- ବେତାର ବ୍ୟୁରୋ
ଓଡିଆ ୱେବ ସିରିଜ “ରାବଣ ପୋଡି” ଏବେ ୟୁ ଟ୍ୟୁବରେ

(ବେତାର ବ୍ୟୁରୋ) ରାମାୟଣରେ ବର୍ଣ୍ଣିତ ରାବଣ ଚରିତ୍ର ଅହଂକାରର ପ୍ରତୀକ ଅଟନ୍ତି। ଏହି ଅହଂକାରକୁ ହରେଇବା ପାଇଁ ପ୍ରତିବର୍ଷ ଦଶହରା ଅବସରରେ ରାବଣ ପୋଡି ପାଳନ କରାଯାଇଥାଏ। ଏହି ରାବଣ ପୋଡିକୁ ଆଧାର କରି ପ୍ରସ୍ତୁତ କରାଯାଇଛି ଓଡିଆ ୱେବ ସିରିଜ “ରାବଣ ପୋଡି”। ଏହି ୱେବ ସିରିଜ ଜରିଆରେ ମଣିଷ ଭିତରେ ଥିବା ଅହଂକାରକୁ ରାବଣ ଚରିତ୍ର ସହିତ ତୁଳନା କରାଯାଇଛି।
ପୌରଣିକ ତଥ୍ୟ ଅନୁଯାୟୀ ଦୁନିଆର ସର୍ବଶ୍ରେଷ୍ଠ ଜ୍ଞାନୀ, ମହାନ ଯୋଦ୍ଧା, ଶ୍ରେଷ୍ଠ ଭକ୍ତ ଓ ବିଶିଷ୍ଟ ବିଦ୍ଵାନ ହେଉଛନ୍ତି ରାମାୟଣର ରାବଣ, ଯାହାଙ୍କ ବିନା ରାମାୟଣର ପରିକଳ୍ପନା ଅସମ୍ଭବ। କିନ୍ତୁ ଏହି ୱେବ ସିରିଜର ରାବଣ, ରାମାୟଣର ରାବଣ ଚରିତ୍ର ଠାରୁ ଦୁଇପାଦ ଆଗରେ।
“ରାବଣ ପୋଡି”ରେ ଚିତ୍ରିତ ରାବଣ ହେଉଛି କଳିଯୁଗର ରାବଣ ଯିଏକି ସମସ୍ତଙ୍କ ମଧ୍ୟରେ ବିଦ୍ୟମାନ। ବର୍ତ୍ତମାନ ସମୟରେ ମଣିଷ ମଧ୍ୟରେ ରହିଥିବା ଅହଂକାରକୁ ରାବଣ ସହିତ ତୁଳନା କରାଯାଇଛି। କଳିଯୁଗର ଏହି ରାବଣକୁ ନେଇ ଦଶହରାରେ ପ୍ରସ୍ତୁତ କରାଯାଇଛି ଓଡିଆ ୱେବ ସିରିଜ “ରାବଣ ପୋଡି”।
ଏହି ୱେବ ସିରିଜରେ ଜଣେ ଅବସରପ୍ରାପ୍ତ ସେନାଧିକାରୀ ଜୟପ୍ରକାଶ ମିଶ୍ର, ଯିଏକି ନିଜ ଅହଂକାର ଗୁଣ ପାଇଁ ପୁଅର ମୃତ୍ୟୁ ପରେ ବୋହୁ ଏବଂ ନାତିକୁ ଘରୁ କାଢି ଦେଇଛନ୍ତି। ସମୟ ଗଡିବା ସହିତ ତାଙ୍କର ମନ ପରିବର୍ତ୍ତନ ହୋଇଛି। ଏହାପରେ ସେ ନିଜର ସମସ୍ତ ସମ୍ପତ୍ତିକୁ ନିଜ ନାତି ନାମରେ କରିବା ପାଇଁ ନାତିକୁ ଘରକୁ ଡକାଇଛନ୍ତି। ଏହାପରେ ନାତି କିପରି ତାଙ୍କ ଅହଂକାରକୁ ଭଙ୍ଗ କରୁଛି ତାହା ଏହି ୱେବ ସିରିଜ ଦେଖିଲା ପରେ ଜଣାପଡିବ।
ଏହି ୱେବ ସିରିଜର ପ୍ରଥମ ଏପିସୋଡ ନିକଟରେ ରିଲିଜ କରାଯାଇଛି। ଏହାକୁ ଆପଣ ଓଡିଆ ୱାନ ୟୂ ଟ୍ୟୁବ ଚ୍ୟାନେଲରେ ଦେଖିପାରିବେ। ଏହି ୱେବ ସିରିଜରେ ମୋଟ ୪ଟି ଏପିସୋଡ ଦେଖିବାକୁ ମିଳିବ ଓ ଶେଷ ଏପିସୋଡଟି ରାବଣ ପୋଡି ଦିନ ରିଲିଜ କରାଯିବ।
ଏହି “ରାବଣ ପୋଡି” ୱେବ ସିରିଜରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଚୌଧୁରୀ ଜୟ ପ୍ରକାଶ ଦାସ। ତାଙ୍କ ବ୍ୟତୀତ ସାନୁ, ଅଙ୍କିତା ମିଶ୍ର ଓ ଦ୍ଵୀପାନ୍ଵିତ ଦାସମହାପାତ୍ର ମଧ୍ୟ ନଜର ଆସିବେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ବିରାଜ ରଥ ଓ ପ୍ରଯୋଜନା ଦେଇଛନ୍ତି ସମରେଶ ରାଉତରାୟ। ତେବେ ଏହି ୱେବ ସିରିଜ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇପାରିବ ବୋଲି ଏହାର ନିର୍ମାତା ଆଶା ରଖିଛନ୍ତି।