• ବେତାର ବ୍ୟୁରୋ

ଏହି କାରଣରୁ ପିସିବି ଭାରତଠୁ ଦାବି କଲା ଟ.୪୪୭କୋଟି


(ବେତାର ବ୍ୟୁରୋ) ପାକିସ୍ଥାନ କ୍ରିକେଟ ବୋର୍ଡ ଦ୍ଵାରା ବିସିସିଆଇ (ବୋର୍ଡ ଅଫ କ୍ରିକେଟ କାଉନସିଲ ଇନ ଇଣ୍ଡିଆ)କୁ ମଗାଯାଇଥିବା କ୍ଷତିପୂରଣ ମାମଲାରେ ସୋମବାର ଦିନ ଇଣ୍ଟରନାସନାଲ କ୍ରିକେଟ କାଉନସିଲର ଏକ ପ୍ୟାନେଲ ଶୁଣାଣି ଆରମ୍ଭ କରିଛନ୍ତି। ଏହି ଦୁଇ କ୍ରିକେଟ ବୋର୍ଡ ମଧ୍ୟରେ ହେଇଥିବା ବୁଝାମଣା ପତ୍ରରେ ଲିଖିତ ଚୁକ୍ତିକୁ ବିସିସିଆଇ ଉଲଂଘନ କରିଥିବାରୁ ପାକିସ୍ଥାନ କ୍ରିକେଟ ବୋର୍ଡ ତରଫରୁ ୪୪୭କୋଟି କ୍ଷତିପୂରଣ ଦାବି କରାଯାଇଥିଲା।

ଭାରତ ତରଫରୁ ପାକିସ୍ଥାନର ଏହି ଦାବିକୁ ଯୁକ୍ତିସଙ୍ଗତ ନୁହେଁ ବୋଲି ଦର୍ଶାଇ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର କହିଥିବା ବେଳେ ଓ ପୂର୍ବତନ ବିସିସିଆଇ ଅଧିକାରୀ ରାଜୀବ ଶୁକ୍ଲା କ୍ରିକେଟ ବୋର୍ଡକୁ ଅର୍ଥ ନ ଦେବା ପାଇଁ ପରାମର୍ଶ ଦେଇଛନ୍ତି।

ପାକିସ୍ଥାନ କ୍ରିକେଟ ବୋର୍ଡ ବିସିସିଆଇ ଉପରେ ଅଭିଯୋଗ ଆଣି କହିଥିଲା ଯେ, ଭାରତୀୟ କ୍ରିକେଟ ଦଳ ପାକିସ୍ଥାନ ସହିତ ଦୁଇଥର ଦ୍ଵିପାକ୍ଷିକ ସିରିଜ ଖେଳିବାକୁ ମନା କରିଛି। ଏଥିପାଇଁ ପାକିସ୍ଥାନକୁ କ୍ଷତି ସହିବାକୁ ପଡିଛି। ଏହି ମାମଲାକୁ ନେଇ ପାକିସ୍ଥାନ କ୍ରିକେଟ ବୋର୍ଡ, ଆଇସିସି ପାଖକୁ ଯାଇ ଭାରତଠାରୁ ୪47କୋଟି ଟଙ୍କାର କ୍ଷତି ପୂରଣ ଦାବିକରିଛି।

ଏହି ଘଟଣାକୁ ନେଇ ଆଇପିଏଲର ଚେୟାରମ୍ୟାନ ରାଜୀବ ଶୁକ୍ଲା କହିଛନ୍ତି ଯେ, “ ବିସିସିଆଇ ଓ ପାକିସ୍ଥାନ କ୍ରିକେଟର ଏହି ମାମଲାକୁ ଉଭୟ ନିଜ ନିଜ ମଧ୍ୟରେ ବୁଝାମଣା କରିବା ଉଚିତ । ଏଥିପାଇଁ ଆଇସିସି ପାଖକୁ ଯିବା ଆବଶ୍ୟକତା ନାହିଁ। ଭାରତ ସବୁବେଳେ ପାକିସ୍ଥାନ ସହିତ ଖେଳିବା ପାଇଁ ଚାହେଁ କିନ୍ତୁ କିଛି କଥା ରହିଛି, ଯେଉଁ କାରଣରୁ ସରକାରଙ୍କର ଅନୁମତି ନେବା ଆବଶ୍ୟକ ହୋଇଥାଏ।“

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ ଯେବେବି କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ ହୋଇଥାଏ, ଯାହାକୁ ଆଇସିସି କିମ୍ବା ଏସିଆ କ୍ରିକେଟ କାଉନସିଲ ଆୟୋଜିତ କରିଥାଏ ସେହି ଟୁର୍ଣ୍ଣାମେଣ୍ଟରେ ଭାରତ ପାକିସ୍ଥାନ ସହିତ ଖେଳିଥାଏ। ତେଣୁ ପାକିସ୍ଥାନକୁ କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁ ନାହିଁ।“

ସେହିପରି ଏହି ସଂକ୍ରାନ୍ତରେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର କହିଛନ୍ତି ଯେ, “ ବହୁତ ବର୍ଷ ହେଲାଣି କୌଣସି ଦେଶ ପାକିସ୍ଥାନକୁ କ୍ରିକେଟ ଖେଳିବା ପାଇଁ ଯାଇ ନାହାନ୍ତି। ମୋ ମତରେ ଭାରତ ତରଫରୁ କୌଣସି ଅଧିକାରୀ ଆଇସିସି ଶୁଣାଣିର ଅଂଶ ହେବା କଥା ନୁହେଁ ଏବଂ ପାକିସ୍ଥାନକୁ କୌଣସି ଅର୍ଥଦେବାର ଆବଶ୍ୟକ ମଧ୍ୟ ନାହିଁ।“

ମାମଲା କ'ଣ

ପାକିସ୍ଥାନ କହିବା ଅନୁଯାୟୀ ଭାରତ ଦ୍ଵାରା ସ୍ଵାକ୍ଷର କରାଯାଇଥିବା ବୁଝାମଣା ପତ୍ରରେ ଉଲ୍ଲେଖ ଥିଲା ଯେ ୨୦୧୫ରୁ ୨୦୨୩ ମଧ୍ୟରେ ଭାରତ ଓ ପାକିସ୍ଥାନ ମଧ୍ୟରେ ମୋଟ ଛଅଟି ଦ୍ଵିପାକ୍ଷିକ ସିରିଜ ଖେଳାଯିବ, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଆୟୋଜନ କରାଯାଇ ନାହିଁ। ତେଣୁ ଭାରତ ପାକିସ୍ଥାନ ସହିତ ମ୍ୟାଚ ଖେଳିବାର ଚୁକ୍ତି କରି ଖେଳିନଥିବାରୁ ପାକିସ୍ଥାନକୁ କ୍ଷତି ସହିବାକୁ ପଡିଛି ବୋଲି ପାକିସ୍ଥାନ ଅଭିଯୋଗ କରିଛି।

ଅନ୍ୟପଟେ ବିସିସିଆଇ କହିଛି ଯେ, “ଏହି ବୁଝାମଣା ପତ୍ରରେ ଥିବା ସର୍ତ୍ତାବଳୀ ପୂରଣ କରିବାକୁ

ଆମେ ବାଧ୍ୟ ନୁହେଁ। କାରଣ ପାକିସ୍ଥାନ ମଧ୍ୟ ବୁଝାମଣା ପତ୍ରରେ ଉଲ୍ଲେଖ ଥିବା କିଛି ସର୍ତ୍ତକୁ ପୂରଣ କରିନାହିଁ।"

#cricket #BCCI #PCB

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon