• ବେତାର ବ୍ୟୁରୋ

ସକାଳୁ ଉଠି ପିଅନ୍ତୁ ଏହିସବୁ ସ୍ୱାସ୍ଥ୍ୟକର ପାନୀୟ


(ବେତାର ବ୍ୟୁରୋ) ଅଧିକାଂଶ ଲୋକଙ୍କର ସକାଳୁ ଉଠି ଚା' କିମ୍ବା କଫି ପିଇବାର ଅଭ୍ୟାସ ରହିଥାଏ। କିନ୍ତୁ ସକାଳୁ ଖାଲି ପେଟରେ ଗରମ ପାନୀୟ ପିଇବା ଦେହ ପାଇଁ ଭଲ ହୋଇ ଥାଏ ଏହି ଅଭ୍ୟାସ ହୁଏତ ଶୀତ ପ୍ରଧାନ ଦେଶ ପାଇଁ ଠିକ ହେଇପାରେ , ହେଲେ ଭାରତ ପରି ଏକ ଗ୍ରୀଷ୍ମ ପ୍ରଧାନ ଦେଶରେ ଏହି ଅଭ୍ୟାସ ଶରୀରରେ ଅମ୍ଳ ବା ଏସିଡିଟି ସୃଷ୍ଟି କରେଇଥାଏ ।

ତେବେ ମୁଖ୍ୟ କଥା ହେଲା ନିଜକୁ ସୁସ୍ଥ ରଖିବା ପାଇଁ ସକାଳୁ କିଛି ସ୍ୱାସ୍ଥ୍ୟକର ପାନୀୟ ପିଇବା ଉଚିତ। ସକାଳ ଦିନର ଏକ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥାଏ । ଏହି ସମୟରେ ସ୍ଵାସ୍ଥ୍ୟକର ପାନୀୟ ପିଇବା ଦ୍ଵାରା ଦିନଯାକ ଆପଣ ସତେଜ ଅନୁଭବ କରିଥାଆନ୍ତି ଓ କାମ କରିବା ପାଇଁ ଶକ୍ତି ପାଇଥାଆନ୍ତି।

ସକାଳୁ ଖାଲି ପେଟରେ ଗୋଟିଏ ଗ୍ଳାସ ପାଣି ପିଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଏହାବ୍ୟତୀତ ଅନେକ ପାନୀୟ ରହିଛି ଯାହାକୁ ଆପଣ ସକାଳୁ ପିଇ ପାରିବେ। ତେବେ ଜାଣିରଖନ୍ତୁ ସେହିପରି ସ୍ଵାସ୍ଥ୍ୟକର ପାନୀୟ ଗୁଡିକ କଣ।

୧.ଜୀରା ପାଣି: ଜୀରା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ। ଏହା ସହିତ ପାକସ୍ଥଳୀର ଅନେକ ସମସ୍ୟାକୁ ମଧ୍ୟ ଏହା ଦୂର କରିଥାଏ। ସକାଳୁ ସକାଳୁ ଖାଲି ପେଟରେ ଏହି ପାଣି ପିଇବା ଦ୍ଵାରା ଦିନଯାକ କାମ କରିବା ପାଇଁ ଶକ୍ତି ମିଳିଥାଏ। ଗୋଟିଏ କପ ପାଣିରେ ଏକ ଚାମଚ ଜୀରା ମିଶାଇ ଗରମ କରନ୍ତୁ। ପାଣି ଫୁଟିବା ପରେ ଏହାକୁ ଛାଣି ପିଅନ୍ତୁ।

୨.ନଡିଆ ପାଣି: ନଡିଆ ପାଣିରେ ଲୁଆରିକ ଏସିଡ ରହିଥାଏ। ଏହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ, ବିପାକ କ୍ରିୟାକୁ ତ୍ୱରାନ୍ୱିତ କରିଥାଏ ଓ ଓଜନ କମ କରିବାରେ ସାହାଯ୍ୟ କରିଥାଏ। ନଡିଆ ପାଣିରେ ଥିବା ସୋଡିୟମ ଓ ପୋଟାସିୟମ ଆପଣଙ୍କୁ ହାଇଡ୍ରେଟ ରଖିଥାଏ।

୩.ସବୁଜ ପନିପରିବାରୁ ତିଆରି ଜୁସ: ସବୁଜ ପନିପରିବାରୁ ପ୍ରସ୍ତୁତ ଜୁସ ଆପଣଙ୍କ ଶରୀରକୁ ଆଣ୍ଟିଅକ୍ସିଡାନ୍ଟ ଓ ନ୍ୟୁଟ୍ରିଏଣ୍ଟ ଯୋଗାଇଥାଏ। ସବୁଜ ପନିପରିବା ଯଥା ଶାଗରେ ତିଆରି ଜୁସ ଶରୀରକୁ ଶକ୍ତି ଯୋଗାଇଥାଏ। ଅଧିକ ଲୌହ ଯୁକ୍ତ ପନିପରିବାର ଜୁସ ପ୍ରସ୍ତୁତ କରି ସକାଳୁ ଖାଲି ପେଟରେ ପିଅନ୍ତୁ।

୪.ଏଲୋଭେରା ଜୁସ: ଏଲୋଭେରାରୁ ତିଆରି ଜୁସ ଶରୀର ପାଇଁ ଅତ୍ୟନ୍ତ ଉପାଦେୟ ହୋଇଥାଏ। ଏହା ବଦହଜମିରୁ ରକ୍ଷା କରିଥାଏ। ଏସିଡିଟି ଓ ଗ୍ୟାସ ପରି ସମସ୍ୟାକୁ ମଧ୍ୟ ଦୂରେଇ ରଖିଥାଏ। ଏଥିପାଇଁ ଦୁଇ ଚାମଚ ଏଲୋଭେରା ଜେଲରେ ପାଣି ମିଶାଇ ଜୁସରରେ ଜୁସ ପ୍ରସ୍ତୁତ କରନ୍ତୁ ଓ ଖାଲି ପେଟରେ ପିଅନ୍ତୁ।

୫.ଟମାଟୋ ଜୁସ: ସକାଳୁ ସକାଳୁ ଆପଣ ଟମାଟୋରେ ପ୍ରସ୍ତୁତ ଜୁସ ମଧ୍ୟ ପିଇ ପାରିବେ। ଟମାଟୋରେ ପ୍ରାୟ ୯୫% ଜଳ ରହିଥାଏ ଓ ଏହା ଆପଣଙ୍କ ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ। ଏହାସହିତ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ। ଗୋଟିଏ ଟମାଟୋରେ ତିନିକପ ପାଣି ମିଶାଇ ଜୁସ ପ୍ରସ୍ତୁତ କରନ୍ତୁ ଓ ଏଥିରେ ଅଳ୍ପ ଲେମ୍ବୁ ରସ ମିଶାଇ ସକାଳୁ ଖାଲି ପେଟରେ ପିଅନ୍ତୁ।

#health #drinks #lifestyle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon