- ବେତାର ବ୍ୟୁରୋ
ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ସ୍ଥାନୀୟ ଲୋକଙ୍କ ବିରୋଧ : ପ୍ରଥମ ଦିନରୁ ବିଭ୍ରାଟ

(ବେତାର ବ୍ୟୁରୋ) ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଆଜିଠୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ବିଭ୍ରାଟ ଦେଖାଦେଇଛି। ଆଜି ଭୋର୍ରୁ ମନ୍ଦିରର ଦ୍ଵାର ଖୋଲାଯିବା ପରେ, ଭକ୍ତମାନେ ଧାଡ଼ି ନ ମାନି ଆଗରୁ ଯେମିତି ମନ୍ଦିରରେ ପ୍ରବେଶ କରୁଥିଲେ, ସେମିତି ଭାବେ ପ୍ରବେଶ କରିଛନ୍ତି।
ପୁରୀର ସ୍ଥାନୀୟ ବାସିନ୍ଦାମାନେ ଏହାକୁ ପ୍ରତିବାଦ କରିଛନ୍ତି। ସେମାନେ ପ୍ରତ୍ୟହ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ସନ୍ଧ୍ୟା ଆଳତି, ବଡ଼ସିଂହାର ବେଶ ଆଦି ଦର୍ଶନ କରିଥାନ୍ତି। ଧାଡ଼ି ବ୍ୟବସ୍ଥା ଲାଗୁ ହେଲେ ସେମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେବେ। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସେମାନଙ୍କୁ ସାଧାରଣ ଭକ୍ତଙ୍କ ଭଳି ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ। ଯାହାକି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଏଥିପାଇଁ ଧାଡି ବ୍ୟବସ୍ଥା ଆରମ୍ଭର ପ୍ରଥମ ଦିନରୁ ହିଁ ବିଶୃଙ୍ଖଳା ଦେଖା ଦେଇଛି।
ସ୍ଵତନ୍ତ୍ର ରିଲିଫ କମିଶନର ଓ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ନିଜେ ଧାଡିରେ ଯାଇ ଶ୍ରୀଜିଉଙ୍କ ଦର୍ଶନ କରି କହିଛନ୍ତି ଯେ, “ଯେହେତୁ ଧାଡି ବ୍ୟବସ୍ଥା ପ୍ରଥମ ଥର ପାଇଁ ହୋଇଛି ତେଣୁ ପ୍ରଥମେ ଦୁଇ ତିନି ଦିନ ଏପରି ବିଭ୍ରାଟ ହୋଇପାରେ। ପରେ ପରିସ୍ଥିତି ଠିକ ହୋଇଯିବ। ସବୁପ୍ରକାର ମତାମତ ଗ୍ରହଣ କରିବାକୁ ପ୍ରଶାସନ ପ୍ରସ୍ତୁତ ଅଛି।“ ତେବେ ବୟସ୍କବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ସମସ୍ତ ଦ୍ଵାରା ଦେଇ ପ୍ରବେଶ କରିପାରିବେ ବୋଲି ସେ କହିଛନ୍ତି।
ଧାଡି ଦର୍ଶନ ପାଇଁ ସିଂହଦ୍ଵାର ସମ୍ମୁଖରେ ସ୍ଥାୟୀ ବାରିକେଡ ପ୍ରସ୍ତୁତ ହୋଇଛି। ଏହି ବ୍ୟବସ୍ଥା ପ୍ରତିଦିନ କରାନଯାଇ ସପ୍ତାହର ଗୋଟିଏ ଦିନ କରାଯିବ। ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଯଦି କିଛି ତ୍ରୁଟି କିମ୍ବା ଭକ୍ତମାନଙ୍କର ଅସୁବିଧା ପରିଲକ୍ଷିତ ହୁଏ, ତେବେ ସେଥିରେ ଆବଶ୍ୟକ ସୁଧାର ଅଣାଯାଇ କାର୍ତ୍ତିକ ମାସ ପରେ ପ୍ରତିଦିନ କାର୍ଯ୍ୟକାରୀ
କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।
ଜିଲ୍ଲାପାଳ ଅସନ୍ତୁଷ୍ଟ
ଧାଡ଼ି ଦର୍ଶନ ବ୍ୟବସ୍ଥାରେ ବିଭ୍ରାଟ ନେଇ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,“ପ୍ରଶାସନର ପ୍ରଚେଷ୍ଟାକୁ ବିଫଳ କରିବା ଠିକ୍ ହୋଇନାହିଁ। ଧାଡ଼ି ଭାଙ୍ଗି କିଏ ପ୍ରଥମେ ଧସେଇ ପଶିଲେ ସିସିଟିଭି ଫୁଟେଜ୍ରୁ ଯାଞ୍ଚ ହେବ। ବିଭ୍ରାଟର କାରଣ ଓ ନିରାକରଣ ନେଇ ଆଲୋଚନା ମଧ୍ୟ ହେବ।”
କିଛି ଦିନ ତଳେ ପୁରୀ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟନ ନିର୍ଦ୍ଧାରିତ ସମୟର କିଛି ପୂର୍ବରୁ ଆସି ଗୁପ୍ତରେ ମନ୍ଦିର ପରିଦର୍ଶନ କରିଥିଲେ ଓ ଏହାର ବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ସେବାୟତମାନେ ଭକ୍ତମାନଙ୍କଠାରୁ ଜୋର ଜବରଦସ୍ତ ଦକ୍ଷିଣା ମାଗୁଥିବାର ସେ ଦେଖିଥିଲେ ଓ ମନ୍ଦିର ପ୍ରଶାସନକୁ ଏବିଷୟରେ ଜଣାଇଥିଲେ।
ଏହାପରେ ମନ୍ଦିର ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆ ଯାଇଥିଲା ଯେ ଧାଡିକିଆ ବ୍ୟବସ୍ଥା ଲାଗୁହେବ , ଯେଉଁଥିରେ ଭକ୍ତମାନେ ଧାଡିରେ ମନ୍ଦିର ଭିତରକୁ ପ୍ରବେଶ କରିବେ ଓ ବିନା କୌଣସି ସେବକ/ସେବାୟତଙ୍କ ସାମ୍ନା କରି ପ୍ରସ୍ଥାନ କରିବେ। ଏହି ନିଷ୍ପତ୍ତି ଅନୁଯାୟୀ ଭକ୍ତମାନେ ସିଂହଦ୍ଵାର ଦେଇ ପ୍ରବେଶ କରିବେ ଓ ଅନ୍ୟ ତିନୋଟି ଦ୍ଵାର ଦେଇ ପ୍ରସ୍ଥାନ କରିବେ।