• ବେତାର ବ୍ୟୁରୋ

ଓଡ଼ିଶାରେ ପ୍ଲାଷ୍ଟିକ ବ୍ୟାନ : ଜାଣନ୍ତୁ କ'ଣ ରହିଛି କଟକଣା ତଥା ପଲିଥିନର ବିକଳ୍ପ


(ବେତାର ବ୍ୟୁରୋ) ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆଜିଠାରୁ ରାଜ୍ୟର ଛଅଟି ସହରରେ ପ୍ଲାଷ୍ଟିକ ବ୍ୟାନ ହେବ। ପ୍ଲାଷ୍ଟିକ, ପଲିଥିନ ବ୍ୟାଗ ଓ ସୋଲୋ ପ୍ଲେଟ (ଥରମୋକୁଲ) ବ୍ୟବହାର ସଂପୂର୍ଣ୍ଣ ଭାବରେ ବନ୍ଦ ହେବ। ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟୋ ମହାନଗର ନିଗମ ଯଥା ଭୁବନେଶ୍ଵର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପର୍ଯ୍ୟଟନ କ୍ଷେତ୍ର ପୁରୀରେ କଡାକଡି ଭାବେ ଏହି କଟକଣା ଲାଗୁ ହେବ।ତେବେ ଏଥିପାଇଁ ବିକଳ୍ପ ଭାବେ ଆପଣମାନେ କଣ ବ୍ୟବହାର କରିବେ ତାହା ଜାଣିବା ଆବଶ୍ୟକ।

ପ୍ଲାଷ୍ଟିକ କଟକଣା

ଥର୍ମୋକୁଲ କିମ୍ବା ପ୍ଲାଷ୍ଟିକ୍‌ ପ୍ରସ୍ତୁତ ଥାଳି, ୫୦୦ ମିଲିଲିଟରଠୁ କମ୍ ପରିମାଣର ପାଣିବୋତଲ, ପ୍ଲାଷ୍ଟିକ ଚାମଚ, କପ୍, ପ୍ଲେଟ୍, ଗ୍ଲାସ୍, ଷ୍ଟ୍ର, ପାଉଚ୍ ଏବଂ ଅନ୍ୟ ତରଳ ପଦାର୍ଥ ରହୁଥିବା କଣ୍ଟେନର ମଧ୍ୟ ବ୍ୟବହାର କରାଯିବନି। ସେହିଭଳି କୌଣସି ବ୍ୟକ୍ତି ଜାଣତରେ କିମ୍ବା ଅଜାଣତରେ ପ୍ଲାଷ୍ଟିକ ଏଣେ ତେଣେ ଫିଙ୍ଗି ପାରିବେ ନାହିଁ।

ନିୟମ ଉଲ୍ଲଂଘନକାରୀଙ୍କୁ ୫ ବର୍ଷ ଜେଲ ଓ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ଅଛି। ଛୋଟ ଛୋଟ ବ୍ୟବସାୟୀଙ୍କ କ୍ଷେତ୍ରରେ ୨ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ପାଇଁ ମ୍ୟୁନିସପାଲ ଆଇନରେ ସରକାର ବ୍ୟବସ୍ଥା କରିବାକୁ ଯାଉଛନ୍ତି। 

ତେବେ ଦ୍ରବ୍ୟ ସଂରକ୍ଷଣ, ପରିବହନ, ପ୍ୟାକେଜିଂ ପାଇଁ ବ୍ୟବହାର ହେଉଥିବା ୫୦ ମାଇକ୍ରନଠାରୁ ଅଧିକ ମୋଟେଇ ପଲିଥିନ୍, ବିକ୍ରି ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଓ ପାନୀୟ ରହୁଥିବା ପ୍ଲାଷ୍ଟିକ୍ ବ୍ୟବହାର କରିବା ଉପରେ କଟକଣା ରହିବ ନାହିଁ। ନର୍ସରୀ, କୃଷି, ଉଦ୍ୟାନ କୃଷି ଲାଗି ବ୍ୟବହାର ହେଉଥିବା ପଲିଥିନ୍, ମେଡିସିନ୍, ରକ୍ତ ସଂରକ୍ଷଣ ବ୍ୟାଗ୍, ସିରିଞ୍ଜ୍ ଓ ଅନ୍ୟ ଡାକ୍ତରୀ ଉପକରଣ କ୍ଷେତ୍ରରେ କୌଣସି କଟକଣା ଲାଗିବ ନାହିଁ।

ଯେଉଁମାନଙ୍କ ନିକଟରେ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ଠାରୁ ଅଧିକ ମାଇକ୍ରନରର ପଲିଥିନ୍ ଓ ପ୍ଲାଷ୍ଟିକ ସାମଗ୍ରୀ ଅଛି ତାହାକୁ ଆସନ୍ତା ମାସକ ମଧ୍ୟରେ ଶେଷ କରିବାକୁ ପଡିବ। ଅକ୍ଟୋବର୨୬ ତାରିଖ ପରେ ଏହି ସାମଗ୍ରୀ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ପ୍ଲାଷ୍ଟିକର ବିକଳ୍ପ

ପ୍ଲାଷ୍ଟିକ ସଂପୂର୍ଣ୍ଣ ବ୍ୟାନ ହେବା ପରେ ବାଜରରୁ ଜିନିଷ ପତ୍ର କିଣିବା ପରେ ଲୋକମାନେ ହଇରାଣ ହେବେ। ଆଗରୁ ବ୍ୟବହୃତ ହେଉଥିବା କାଗଜ ଠୁଙ୍ଗାର ଚାହିଦା ବଢିବ। ଏହାବ୍ୟତୀତ ଜିନିଷପତ୍ର ନେବା ଆଣିବା କରିବା ପାଇଁ ପ୍ଲାଷ୍ଟିକ ପରିବର୍ତ୍ତେ ଅନେକ ବିକଳ୍ପ ମଧ୍ୟ ରହିଛି। ଯେପରି କଟନରେ ତିଆରି କାନଭାସ ବ୍ୟାଗ, ପ୍ରାକୃତିକ ମଣ୍ଡ ଓ ପନିପରିବା ଅପଚୟରୁ ପ୍ରସ୍ତୁତ ପରିବେଶ ଅନୁକୂଳ ବ୍ୟାଗ ଓ ଝୋଟରେ ତିଆରି ବ୍ୟାଗ ବ୍ୟବହାର କରିପାରିବେ। ତେବେ ଏହି ସବୁ ବ୍ୟାଗ ଓଡିଶାର ବଜାରରେ ବର୍ତ୍ତମାନ ଉପଲବ୍ଧ ହେଉନାହିଁ।

ପ୍ଲାଷ୍ଟିକ ବ୍ୟାନକୁ ନେଇ ଗଣମାଧ୍ୟମରେ ସଚେତନତା ସୃଷ୍ଟି କରିବା ଲାଗି ଗୋଟିଏ ବର୍ଷ ପାଇଁ ମାଗଣାରେ ସିନେମାହଲ ମାଲିକମାନେ ହଲରେ ସ୍ଲାଇଡ୍ ସୋ ମାଧ୍ୟମରେ ଏହାର ପ୍ରଚାର କରିବାକୁ ଡ୍ରାଫ୍ଟରେ ଉଲ୍ଲେଖ ରହିଛି । ଏହାସହିତ ଖାଲି ବୋତଲ ଫେରାଇଲେ ଗ୍ରାହକ ମାନଙ୍କୁ ଟଙ୍କା ମଧ୍ୟ ମିଳିବ, ଅର୍ଥାତ ସରକାର ବାଏ ବ୍ୟାକ ନୀତି ଲାଗୁ କରିବା ପାଇଁ ଯୋଜନା ମଧ୍ୟ କରୁଛନ୍ତି।

#city #plastickban

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon