- ବେତାର ବ୍ୟୁରୋ
କାଠବ୍ରଣରୁ ରକ୍ଷା ପାଇବା ପାଇଁ 6 ଟିପ୍ସ

(ବେତାର ବ୍ୟୁରୋ) ମନୁଷ୍ୟ ଶରୀରରେ ବ୍ରଣ କେବଳ ମୁହଁରେ ହୋଇନଥାଏ। ଏହା ମୁହଁ ବ୍ୟତୀତ ବେକ ଓ ପିଠିରେ ମଧ୍ୟ ହୋଇଥାଏ। ବିଶେଷ କରି ପୁରୁଷମାନଙ୍କ ପିଠିରେ ଏହା ଅଧିକ ଦେଖାଯାଇଥାଏ। ଏହାର କାରଣ ମୁଖ୍ୟତଃ ଶରୀରରେ ଥିବା ହରମୋନ ହୋଇଥାଏ। ହରମୋନରେ ଅସନ୍ତୁଳନ ଓ ଅଧିକ ମାନସିକ ଚାପଗ୍ରସ୍ତ ରହିବା ପିଠିରେ ବ୍ରଣ ସୃଷ୍ଟି ହେବାର ମୁଖ୍ୟ କାରଣ ହୋଇଥାଏ।
ଶରୀରର ପଛ ଭାଗରେ ( ମୁଖ୍ୟତଃ ପିଠିରେ) ହେଉଥିବାରୁ ଅଧିକାଂଶ ଲୋକ ଏହା ଉପରେ ବିଶେଷ ଧ୍ୟାନ ଦେଇନଥାଆନ୍ତି। ଫଳରେ ଖରାଦିନେ ଶରୀରରୁ ଝାଳ ବୋହିବା ପରେ ଏହା ଅଧିକ ସାଂଘାତିକ ହୋଇଯାଇଥାଏ। ତେବେ କେତେକ ସରଳ ଘରୋଇ ଉପଚାର ଦ୍ଵାରା ଏହାକୁ ସହଜରେ ଦୂର କରିପାରିବେ। ଜାଣିରଖନ୍ତୁ ସେଗୁଡିକ କଣ କଣ।
୧.ବେକିଙ୍ଗ ସୋଡା, ଗୋଲାପ ଜଳ ଓ ମହୁରେ ସ୍କ୍ରବ କରନ୍ତୁ: ବେକିଙ୍ଗ ସୋଡାରେ ଅଳ୍ପ ଗୋଲାପ ଜଳ ଓ ମହୁ ମିଶାଇ ଏକ ଫେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ନେଇ ପିଠିରେ ସ୍କ୍ରବ କରନ୍ତୁ। ସ୍କ୍ରବ କରିବା ପରେ ପିଠିକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବାର ଛଅ ଘଣ୍ଟା ପର୍ଯ୍ୟନ୍ତ ପିଠିରେ ସାବୁନର ପ୍ରୟୋଗ କରନ୍ତୁ ନାହିଁ। ଏହିପରି ୧୦-୧୨ ପର୍ଯ୍ୟନ୍ତ କଲେ ପିଠିରୁ ବ୍ରଣ ଦୂର ହୋଇଯିବ।
୨.ହଳଦୀ: ତିନି ଚାମଚ ହଳଦୀରେ ପାଣି ମିଶାଇ ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ରାତିରେ ଶୋଇବା ସମୟରେ ପିଠିରେ ଲଗାନ୍ତୁ। ସକାଳୁ ଉଠି ପିଠିକୁ ଉଷୁମ ପାଣିରେ ଧୁଅନ୍ତୁ ଓ ମେଡିକେଟେଡ ସାବୁନ ଲଗାଇ ଗାଧାନ୍ତୁ। ଲଗାତାର ଦୁଇ ସପ୍ତାହ ଏପରି କରିବା ଦ୍ଵାରା ଫରକ ଜାଣି ପାରିବେ।
୩.ଏଲୋଭେରା: ପିଠିରୁ ବ୍ରଣ ଦୂର କରିବା ପାଇଁ ପ୍ରତ୍ୟେକ ଦିନ ଗାଧୋଇବା ପରେ ପିଠିରେ ଏଲୋଭେରା ଜେଲ ଲଗାନ୍ତୁ। ଏହାଦ୍ଵାରା ପିଠିରୁ ବ୍ରଣ ଦୂର ହେବା ସହିତ ଦାଗ ଦୂର ହୋଇଥାଏ ଓ କାଠବ୍ରଣ ଯୋଗୁଁ ହେଉଥିବା ଦରଜ ମଧ୍ୟ କମ ହୋଇଥାଏ।

୪.ମୁଲତାନି ମାଟିର ପେଷ୍ଟ: ମୁଲତାନି ମାଟିରେ ଅଳ୍ପ ଗୋଲାପ ଜଳ ଓ ଏକ ଚାମଚ ଚନ୍ଦନ ପାଉଡର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ପିଠିରେ ଲଗାନ୍ତୁ ଓ ଶୁଖିଯିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଗ୍ରୀଷ୍ମ ଋତୁରେ ଏହାକୁ ପ୍ରତିଦିନ ଦୁଇଦିନରେ ଥରେ ବ୍ୟବହାର କରନ୍ତୁ।
୫.ଜାଇଫଳ ଓ କଞ୍ଚା କ୍ଷୀର: ଜାଇଫଳର ପାଉଡରକୁ କଞ୍ଚା କ୍ଷୀର ସହିତ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ପିଠିରେ ଲଗାନ୍ତୁ। ଦୁଇଘଣ୍ଟା ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାପରେ ପିଠିରେ ମଶ୍ଚୁରାଇଜର ଲଗାନ୍ତୁ।
୬.ଚାହା ଗଛ ତେଲ: ବ୍ରଣ ପାଇଁ ଟି ଟ୍ରୀ ତେଲ ଅତ୍ୟନ୍ତ ଉପକାରୀ ହୋଇଥାଏ। ଏହା ବ୍ରଣ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ଦୂରେଇ ରଖିଥାଏ ଓ ଅଧିକ ବ୍ରଣ ହେବାକୁ ଦେଇନଥାଏ।