• ବେତାର ବ୍ୟୁରୋ

ବିଶ୍ଵକପ ହକି ପ୍ରସ୍ତୁତି : ରାଜଧାନୀରେ ଗୋରୁ ବୁଲିଲେ ମାଲିକ ଗଣିବେ ହଜାରେ ଟଙ୍କା ଜରିମାନା


(ବେତାର ବ୍ୟୁରୋ) ରାଜଧାନୀ ଭୁବନେଶ୍ଵର ରାସ୍ତାରେ ଗୃହପାଳିତ ପଶୁ ଯଥା ଗାଈ ଓ ମଇଁଷିଙ୍କ ପାଇଁ ଅନେକ ସମୟରେ ଟ୍ରାଫିକ ଜାମ ହୋଇଥାଏ ଓ ଦୁର୍ଘଟଣା ମଧ୍ୟ ଘଟିଥାଏ। ଏହାକୁ ଦୂର କରିବା ପାଇଁ ଭୁବନେଶ୍ଵର ମୁନିସପାଲଟି କର୍ପୋରେସନ (ବିଏମସି) ତରଫରୁ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏଣିକି ରାସ୍ତାରେ ଗାଈକୁ ଛାଡିଲେ ବିଏମ୍‌ସି ଗାଈର ମାଲିକଙ୍କ ଠାରୁ ଜରିମାନା ଆଦାୟ କରିବ। ଏହି ଅଭିଯାନ ନଭେମ୍ବର ୨୮ରୁ ହେବାକୁ ଥିବା ହକି ବିଶ୍ଵକପ୍ ପୂର୍ବରୁ ଆରମ୍ଭ ହେବ।

ଏହି ଯୋଜନାରେ ସମସ୍ତ ଗୃହପାଳିତ ଗାଈ ଓ ମଇଁଷିଙ୍କ କାନରେ ଟ୍ୟାଗ୍ ମଧ୍ୟ ଲଗାଯିବ। ଏଥିପାଇଁ ସହିଦନଗର ପଶୁ ଚିକିତ୍ସାଳୟ ପକ୍ଷରୁ ରାଜଧାନୀର ସମସ୍ତ ଗାଈ ଓ ମଇଁଷିଙ୍କ କାନରେ ଟ୍ୟାଗ୍ ଲଗାଯିବ। ପଶୁ ଚିକିତ୍ସାଳୟର କର୍ମଚାରୀମାନେ ଘର ଘର ବୁଲି ଏହି ଟ୍ୟାଗ୍ ଲଗାଇବେ। ଟ୍ୟାଗ୍‌ରେ ସେମାନଙ୍କ ମାଲିକଙ୍କ ମୋବାଇଲ୍ ନମ୍ବର ସହିତ ସବିଶେଷ ତଥ୍ୟ ରହିବ।

ଯଦି ରାସ୍ତାରେ ଗାଈ ଓ ମଇଁଷି ବୁଲୁଥିବାର ଦେଖାଯାଏ ତେବେ ସେମାନଙ୍କୁ ଉଠାଇ ନେଇ ୟୁନିଟ-୩ସ୍ଥିତ କାଞ୍ଜିହୁଦାରେ ରଖାଯିବ। ଏହାପରେ ସେମାନଙ୍କ କାନରେ ଲାଗିଥିବା ଟ୍ୟାଗ୍‌ରୁ ମାଲିକଙ୍କ ନମ୍ବର ସଂଗ୍ରହ କରି ଫୋନ୍ କରି ଗାଈ/ମଇଁଷି ନେବାକୁ କୁହାଯିବ। ଗୋଟିଏ ଦିନ ପାଇଁ ହଜାରେ ଟଙ୍କା ଜମା କରି ସେ ଗାଈ/ମଇଁଷି ଘରକୁ ନେଇପାରିବେ। ଯଦି ଗାଈ/ମଇଁଷି କାନରେ ଟ୍ୟାଗ୍ ଲାଗି ନଥିବ ତେବେ ଦିନକୁ ୧୫୦୦ଟଙ୍କା ହିସାବରେ ଜରିମାନା ଆଦାୟ କରାଯିବ। ଆଉ ତିନି ଦିନ ମଧ୍ୟରେ ଯଦି ଗାଈ/ମଇଁଷିକୁ କେହି ଆସି ନ ନିଅନ୍ତି ତେବେ ନିଲାମ ଡକାଯିବ ବୋଲି ନିଷ୍ପତ୍ତି ହୋଇଛି।

ପୂର୍ବରୁ କାଞ୍ଜିଆହୁଦାକୁ ଗାଈ ଆସିଲେ ୫୦୦ଟଙ୍କା ଜରିମାନା ଆଦାୟ ହେଉଥିବାବେଳେ ଏବେ ଏହାକୁ ସର୍ବନିମ୍ନ ହଜାରେ ଟଙ୍କାକୁ ବଢ଼ାଇ ଦିଆଯାଇଛି ବୋଲି ଡେପୁଟି କମିସନର ଶୁଭ୍ରାଂଶୁ ମିଶ୍ର କହିଛନ୍ତି। ବିଏମ୍‌ସିର ଏହି ଯୋଜନା ଗତ କାଉନସିଲ୍ ବୈଠକରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି।ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ଏହି ଅଭିଯାନକୁ ସଫଳ କରିବା ପାଇଁ ବିଏମ୍‌ସି ପକ୍ଷରୁ ମାଗଣାରେ ପ୍ରତ୍ୟେକ ଗୃହପାଳିତ ଗାଈ ଓ ମଇଁଷିଙ୍କ କାନରେ ଟ୍ୟାଗ୍ ଲାଗିବ।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ୮୦୦ରୁ ଅଧିକ ଷଣ୍ଢ ଏବଂ ୨ହଜାରରୁ ଅଧିକ ଗା‌ଈ ଓ ମଇଁଷି ବୁଲୁଛନ୍ତି। ଏମାନେ ରାସ୍ତାରେ ବୁଲୁଥିବାରୁ ଏବଂ ରାସ୍ତା ଉପରେ ଶୋଇ ରହୁଥିବାରୁ ବହୁ ସମୟରେ ଟ୍ରାଫିକ ଜାମ୍ ହେବା ସହ ଦୁଘର୍ଟଣା ବି ଘଟୁଛି।

ଷଣ୍ଢଙ୍କ କାନରେ କିନ୍ତୁ ଟ୍ୟାଗ୍ ଲାଗିବନି। ଷଣ୍ଢଗୁଡ଼ିକୁ ଜାମୁକୋଳିରେ ଥିବା କାଞ୍ଜିଆହୁଦାରେ ଛାଡ଼ି ଦିଆଯିବ। ଏଠାରେ ୩୦୦ ଷଣ୍ଢ ରହିବା ପାଇଁ ବ୍ୟବସ୍ଥା ଥିବାବେଳେ ଏହାର ପରିଚାଳନା ପାଇଁ ଖୁବ୍ ଶୀଘ୍ର ଏକ ସଂସ୍ଥାକୁ ଦାୟିତ୍ଵ ଦିଆଯିବ। ଏହାବ୍ୟତୀତ ଘରୋଇ ଗୋଶାଳାରେ ମଧ୍ୟ ଷଣ୍ଢଙ୍କୁ ଛଡ଼ାଯିବ। ଏଥିପାଇଁ ଆରଏଫ୍‌ପି ଆହ୍ଵାନ ହୋଇଛି। ଯେଉଁମାନେ ‌ଷଣ୍ଢ ରଖିବେ ସେମାନଙ୍କୁ ପ୍ରତି ଷଣ୍ଢ ପିଛା ଖର୍ଚ୍ଚ ହିସାବ କରି ଦିଆଯିବ। ଏହି ସମସ୍ତ ଖର୍ଚ୍ଚ ବିଏମ୍‌ସି ବହନ କରିବ।

#smartcity #bhubaneswar

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon