• ବେତାର ବ୍ୟୁରୋ

ଏହି ଶୁକ୍ରବାର ରିଲିଜ ହେବ ଓଡିଆ ହରର ଫିଲ୍ମ 'ରହସ୍ୟ'


(ବେତାର ବ୍ୟୁରୋ) ଓଲିଉଡରେ ରିଲିଜ ହେବାକୁ ଯାଉଛି ଏକ ଭିନ୍ନ ସ୍ଵାଦର ଚଳଚ୍ଚିତ୍ର ‘ରହସ୍ୟ’। ଓଡିଶାରେ ପ୍ରଥମ ଥ୍ରୀଡି ଚଳଚ୍ଚିତ୍ର ‘କାଉଁରିକନ୍ୟା’ ଭେଟିଦେଇ ଚହଳ ସୃଷ୍ଟି କରିଥିବା ଆଞ୍ଜେଲ ବି ମିଡିଆ ହରର୍ ଓ ଥ୍ରୀଲର କାହାଣୀକୁ ନେଇ ପ୍ରସ୍ତୁତ କରିଛି ଏହି ଚଳଚ୍ଚିତ୍ର।

ଏକ ଇନଷ୍ଟିଚ୍ୟୁଟରେ ପଢୁଥିବା ପାଞ୍ଚ ଜଣ ଚରିତ୍ରକୁ ନେଇ ଏହି ସିନେମାର କାହାଣୀ ଗତିଶୀଳ ହୋଇଛି । ସେହି ପାଞ୍ଚ ଜଣ ହେଉଛନ୍ତି ଦେବ, ସୃତି, ଅଲ୍ଲି, ରିଧିମା ଏବଂ ଲାଲା । ଏମାନେ ଏକାଠି ମିଶି ଏକ ସିନେମା ତିଆରି କରିବା ପାଇଁ ଚିନ୍ତା କରନ୍ତି । ଦେବ ନିଜ ସ୍ୱପ୍ନରେ ଦେଖୁଥିବା ଏକ କାହାଣୀକୁ ନେଇ ସିନେମା ତିଆରି କରିବା ପାଇଁ ଏକ ପୁରୁଣା ବଙ୍ଗଳାକୁ ଯାଆନ୍ତି । ସେହି ସ୍ଥାନକୁ ଯିବା ପରେ ଦେବ ଜାଣିପାରେ ଯେ ସେ ତାର ସ୍ୱପ୍ନରେ ସବୁବେଳେ ଏହି ସ୍ଥାନକୁ ଦେଖୁଥାଏ । ସେଠାରେ ପହଞ୍ଚିବା ପରେ ଏମାନଙ୍କ ସହ ଅଦ୍ଭୁତ ଏବଂ ରହସ୍ୟମୟ ଦୁର୍ଘଟଣା ଘଟିବା ଆରମ୍ଭ ହୋଇଯାଏ।

ଏହିପରି ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ହୋଇଥିବା ଓଡିଆ ଚଳଚ୍ଚିତ୍ର ‘ରହସ୍ୟ’ରେ ନାୟକ ଭାବେ ନଜର ଆସିବେ ନବାଗତ ତୁଷାର ଏବଂ ନାୟିକା ଭାବେ ‘କାଉଁରୀ କନ୍ୟା’ର ଅଭିନେତ୍ରୀ କାବ୍ୟାଙ୍କୁ ଦେଖିବାକୁ ମିଳିବ । ଏମାନଙ୍କ ବ୍ୟତୀତ ଜଗନ୍ନାଥ ଘୋଷ, ଅଂଶୁମାନ ସାମଲ, ସୁଦୀପ୍ତା ଓ ବିକାଶ ରଞ୍ଜନଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ରହସ୍ୟରେ ଭରପୁର ଏହି ସିନେମାର କାହାଣୀ ଏବଂ ସ୍କ୍ରିନ୍ ପ୍ଲେ ଲେଖିଛନ୍ତି ସୌମ୍ୟ ରଂଜନ ସାହୁ । ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବିଘ୍ନେଶ୍ୱର ପଣ୍ଡା ଏବଂ ପ୍ରଯୋଜନା କରିଛନ୍ତି ନାରାୟଣ ସାହୁ ଓ ଶାନ୍ତନୁ କୁମାର ସିଅ। ଚଳଚ୍ଚିତ୍ରର କାହାଣୀକୁ ସୁହାଇଲା ଭଳି ସଙ୍ଗୀତକୁ ଏଥିରେ ସ୍ଥାନ ଦେଇଛନ୍ତି ଚଳଚ୍ଚିତ୍ର ନିର୍ମାତା। ଏହି ଫିଲ୍ମରେ ଭିନ୍ନ ସ୍ୱାଦର ମନଲୋଭା ଗୀତ ଶୁଣିବାକୁ ମିଳିବ । ଚଳଚ୍ଚିତ୍ର ‘ରହସ୍ୟ’ରେ ସଙ୍ଗୀତ ଭାର ତୁଲାଇଛନ୍ତି ନିହାର – ଶାନ୍ତନୁ। ଚଳଚ୍ଚିତ୍ରରେ ଡାଇଲାଗ ଦେଇଛନ୍ତି ବି.ଚନ୍ଦନ କୁମାର।

ଏହାସହିତ ଫିଲ୍ମରେ ଉଚ୍ଚ କୋଟିର ଭିଜୁଆଲ ଇଫେକ୍ଟସ ଏବଂ ଗ୍ରାଫିକ୍ସ କାମ ମଧ୍ୟ ଦେଖିବାକୁ ମିଳିବ। ଯାହା ପୂର୍ବରୁ କୌଣସି ଓଡିଆ ଚଳଚ୍ଚିତ୍ରରେ ଦେଖିବାକୁ ମିଳିନାହିଁ। ଫିଲ୍ମର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ, ଭିନ୍ନ ଧରଣର କାହାଣୀ ଓ ଆକର୍ଷଣୀୟ ଗୀତକୁ ନେଇ ଚଳଚ୍ଚିତ୍ରଟି ଅକ୍ଟୋବର ୫ ତାରିଖରେ ରିଲିଜ ହେବ। ତେବେ ଦର୍ଶକମାନେ ଏହି ଭିନ୍ନ ସ୍ଵାଦର କାହାଣୀକୁ ପସନ୍ଦ କରିବେ ବୋଲି ନିର୍ମାତା ଆଶା ରଖିଛନ୍ତି।

#entertainment #ollywood #rahasya

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon