- ବେତାର ବ୍ୟୁରୋ
ଘରେ ବସି ଅନଲାଇନରେ ଦାଖଲ ହେବ FIR

(ବେତାର ବ୍ୟୁରୋ) ସାଧାରଣ ଜନତାମାନେ ଆଗକୁ ପୋଲିସ ଷ୍ଟେସନ ନଯାଇ ଅନଲାଇନରେ ଅଭିଯୋଗ ଦାଖଲ କରିପାରିବେ। କେନ୍ଦ୍ର ସରକାର ଅତି ଶୀଘ୍ର ସମସ୍ତ ରାଜ୍ୟ ପାଇଁ ‘ସିଟିଜେନ୍ ସେଣ୍ଟ୍ରିକ ପୋର୍ଟାଲ’ ଆରମ୍ଭ କରିବାକୁ ଯାଉଛନ୍ତି । ଜଣେ ନାଗରିକ ଏହି ପୋର୍ଟାଲରେ ସାତଟି ଅପରାଧ ଓ ତା’ ସହ ଜଡିତ ସେବାଗୁଡିକୁ ନେଇ ଅନଲାଇନରେ ଅଭିଯୋଗ ଦାଖଲ କରିପାରିବେ ଏବଂ ଏଫ.ଆଇ.ଆର (FIR) ରୁଜୁ କରିପାରିବେ।
କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି ଯେ, “ ଏହି ସିଟିଜେନ ସେଣ୍ଟ୍ରିକ ପୋର୍ଟାଲ ସମସ୍ତ ରାଜ୍ୟରେ ଲଞ୍ଚ ହେବା ପାଇଁ ପ୍ରସ୍ତୁତ ହୋଇଗଲାଣି। ଏହି ପୋର୍ଟାଲ ଜରିଆରେ ନାଗରିକ ନିଜର ଘରୋଇ ସହାୟକ, ଡ୍ରାଇଭର, ଭଡାଟିଆ ଆଦିଙ୍କ ବିଷୟରେ ମଧ୍ୟ ଯାଞ୍ଚ କରିପାରିବେ । ତେବେ ଏହା କେବେଠାରୁ ଉପଲବ୍ଧ ହେବ ସେ ନେଇ କୌଣସି ସମ୍ଭାବ୍ୟ ତାରିଖ ଘୋଷଣା କରାଯାଇନାହିଁ।
ଏହି ପୋର୍ଟାଲ ଜରିଆରେ ସାଧାରଣ ଜନତାମାନେ ପୋଲିସ ଠାରୁ ଅନଲାଇନରେ ସାର୍ବଜନିକ କାର୍ଯ୍ୟକ୍ରମ ପାଇଁ ଅନୁମତି ନେଇପାରିବେ । ଏହା ସହିତ ଜିନିଷପତ୍ର ଚୋରି ଓ ପାଇବାର ସୂଚନା ଏବଂ ଯାନବାହାନ ଚୋରି ହେଲେ ଅଭିଯୋଗ ମଧ୍ୟ ରୁଜୁ କରିପାରିବେ।
ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ସୁରକ୍ଷା ଓ ରାଷ୍ଟ୍ରୀୟ ସୁରକ୍ଷା କାରଣରୁ ପୋର୍ଟାଲରୁ ଅପରାଧ ସଂପର୍କିତ ଆକଳନ ଏବଂ ରିପୋର୍ଟ କେବଳ ଅଧିକୃତ ପୁଲିସ୍ ଅଧିକାରୀ ହିଁ ସର୍ଚ୍ଚ କରିପାରିବେ। କୌଣସି ଅପରାଧିକ ପୃଷ୍ଠଭୂମିର ସତ୍ୟପ୍ରମାଣ, ଆବେଦନ କରିଥିବା ନାଗରିକଙ୍କୁ ଏହାର ସୂଚନା ଇ-ମେଲ ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନ୍ୟଜଣେ ଅଧିକାରୀ କହିଛନ୍ତି।
ଅପରାଧିକ ଯାଞ୍ଚକୁ ନାଗରିକଙ୍କ ପାଇଁ ଅନୁକୂଳ କରିବା ହେଉଛି ଏହି ପୋର୍ଟାଲର ମୁଖ୍ୟ ଉଦ୍ଦେଶ୍ୟ। ଏହି ପୋର୍ଟାଲରେ ନାଗରିକଙ୍କ ଦ୍ଵାରା ରୁଜୁ କରାଯାଇଥିବା ଏଫ.ଆଇ.ଆର ଓ ଅଭିଯୋଗ ଗୁଡିକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଗୁଡିକୁ ପଠାଇ ଦିଆଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଗୁୱାହାଟିରେ ହୋଇଥିବା ପୋଲିସ ପ୍ରମୁଖଙ୍କ ବାର୍ଷିକ ବୈଠକରେ ଅଭିଭାଷଣ ଦେଇ ଦେଶରେ “ସ୍ମାର୍ଟ”(SMART) ପଲିସି ଲାଗୁ କରିବା ପାଇଁ ପକ୍ଷ ରଖିଥିଲେ। ଏଥିରେ ‘ଏସ୍’ର ଅର୍ଥ କଠୋର ଓ ସଂବେଦନଶୀଳ, ‘ଏମ’ର ଅର୍ଥ ଆଧୁନିକ ଓ ଗତିଶୀଳ, ‘ଏ’ର ଅର୍ଥ ସତର୍କ ଓ ଉତ୍ତରଦାୟୀ, ‘ଆର’ର ଅର୍ଥ ବିଶ୍ୱସନୀୟ ଓ ପ୍ରତିକ୍ରିୟାଶୀଳ, ‘ଟି’ର ଅର୍ଥ ଟେକନିକ ଜ୍ଞାନ କୈାଶଳ ରଖିଥିବା ଓ ପ୍ରଶିକ୍ଷଣ ଥିବା। ସେ ଆହୁରି ମଧ୍ୟ କହିଥିଲେ ଯେ, ସେ ଏପରି ପୋଲିସ ଫୋର୍ସ ଚାହୁଁଛନ୍ତି ଯେଉଁମାନେ କି ଦକ୍ଷ ଭାବରେ ଦେଶର ଆଇନ କାନୁନକୁ ରକ୍ଷା କରିପାରିବେ।
‘ନୋ ଇୟୋର ପୋଲିସ ସିଷ୍ଟମ’ କାର୍ଯ୍ୟକ୍ରମ

ଓଡିଶାରେ ମଧ୍ୟ ଭୁବନେଶ୍ଵର କମିଶନରେଟ ପୋଲିସ ତରଫରୁ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ନୂତନ ପୋଲିସ କମିଶନର ଭାବେ ସତ୍ୟଜିତ ମହାନ୍ତି କାର୍ଯ୍ୟରେ ଯୋଗ ଦେବା ପରେ କେବଳ କଥାରେ ଫ୍ରେଣ୍ଡଲି ନୁହେଁ , ବରଂ କାମରେ ମଧ୍ୟ ଏହାକୁ ରୂପାୟନ କରିଛନ୍ତି । ସାଧାରଣ ଜନତାଙ୍କ ସହିତ ଏକ ଉତ୍ତମ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ସୃଷ୍ଟି କରିବା ପାଇଁ “ନୋ ଇୟୋର ପୋଲିସ ସିଷ୍ଟମ’ କାର୍ଯ୍ୟକ୍ରମ ଗତ ମାସରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପିଲାମାନେ ଥାନା ପରିଦର୍ଶନ କରିବାକୁ ଯାଇ ପୋଲିସଙ୍କ ସହ ପୋଲିସ ବ୍ୟବସ୍ଥା ବିଷୟରେ ଆଲୋଚନା କରିପାରିବେ।