- ବେତାର ବ୍ୟୁରୋ
ଶ୍ରୀମନ୍ଦିର ଧାଡି ବ୍ୟବସ୍ଥାକୁ ନେଇ ପୁରୀରେ ଭୀଷଣ ଗଣ୍ଡଗୋଳ : ପୋଲିସ ଚୁପ

(ବେତାର ବ୍ୟୁରୋ) ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରି ପୁରୀ ବନ୍ଦ ପାଳନ କରାଯାଇଥିବା ବେଳେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଛି। ପୁରୀ ବଡଦାଣ୍ଡ ରଣକ୍ଷେତ୍ରରେ ପରିଣତ ହୋଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବନ୍ଦ ପାଳନ ବେଳେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆନ୍ଦୋଳନକାରୀ ମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।
ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହାର ପ୍ରାଥମିକ ପର୍ଯ୍ୟାୟରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନର ବ୍ୟବସ୍ଥା ଅକ୍ଟୋବର ୧ ତାରିଖରୁ ଆରମ୍ଭ କରାଯାଇଥିଲା । ଯେଉଁଥିପାଇଁ ପ୍ରଶାସନ ତରଫରୁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଥିଲା । ହେଲେ ଏହାକୁ ବିରୋଧ କରି ୯ ଦଫା ଦାବିରେ ପୁରୀରେ ବୁଧବାର ଦିନ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଥିଲା । ଏହାକୁ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତିକ ଦଳ ମଧ୍ୟ ସମର୍ଥନ କରିଥିଲେ।
ଫଳରେ ପୁରୀରେ ଯାତାୟତ ବନ୍ଦ ହୋଇଯିବା ସହ ଆନ୍ଦୋଳନକାରୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି।

ଧାଡି ଦର୍ଶନକୁ ବିରୋଧ କରି ଜଗନ୍ନାଥ ସେନା ଏବଂ ହଜାର ହଜାର ଆନ୍ଦୋଳନକାରୀମାନେ ସାମ୍ବାଦିକଙ୍କୁ ମାଡ, ବ୍ରହ୍ମ ବିଭ୍ରାଟ ଓ ରତ୍ନଭଣ୍ଡାର ଚାବି ହଜିବା ଭଳି ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକାରୀ ମାନେ ବଡ଼ ଦାଣ୍ଡରେ ଟାୟାର ଜାଳିବା ସହ ମନ୍ଦିର ପ୍ରଶାସନ ତରଫରୁ ନିର୍ମାଣ କରାଯାଇଥିବା ବ୍ୟାରିକେଡ଼କୁ ଭାଙ୍ଗି ଦେଇଛନ୍ତି। ଏହାସହିତ ଜିଲ୍ଲାପାଳ ଅଫିସକୁ ଧସେଇ ପଶିଛନ୍ତି ଓ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଭଙ୍ଗାରୂଜା କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ବଳଗଣ୍ଡି ଛକ ଓ ମାର୍କେଟ ଛକରେ ଥିବା ଟ୍ରାଫିକ ପୋଷ୍ଟକୁ ମଧ୍ୟ ଆନ୍ଦୋଳନକାରୀ ମାନେ ଭାଙ୍ଗି ଦେଇଛନ୍ତି।
ସେପଟେ ବନ୍ଦ ପ୍ରଭାବରେ ସହରରେ ଦୋକାନ ବଜାର ସହ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି। ଆନ୍ଦୋଳନ ଯୋଗୁଁ ସାଧାରଣ ଦର୍ଶନ ମଧ୍ୟ ପ୍ରଭାବିତ ହୋଇଛି। ବନ୍ଦ ବେଳେ ହୋଇଥିବା ବ୍ୟାପକ ଭଙ୍ଗାରୁଜା ଓ ହିଂସାକାଣ୍ଡ ଯୋଗୁଁ ଶ୍ରୀମନ୍ଦିର ମୁଖ୍ୟଦ୍ଵାରରୁ ମାର୍କେଟ ଛକ ପର୍ଯ୍ୟନ୍ତ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି । ପୋଲିସ ବଡଦାଣ୍ଡରେ ଫ୍ଲାଗ୍ ମାର୍ଚ୍ଚ ମଧ୍ୟ କରିଛି ।
ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ପଶି ଆନ୍ଦୋଳନକାରୀ ମାନେ ବ୍ୟାପକ ଭଂଗାରୁଜା କରିଛନ୍ତି। ଏହାସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରିବାକୁ ନେଇ ଭକ୍ତମାନେ ନାରାବାଜି କରିଥିଲେ।
ହିଂସାକାଣ୍ଡ ସମୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଲୁଟ ହୋଇଥିବା ସୂଚନା ମିଳିଛି। କାର୍ଯ୍ୟାଳୟରେ ଥିବା ବସ୍ତା ବସ୍ତା ଚାଉଳ, ଟଙ୍କା ଦୁର୍ବୃତ୍ତମାନେ ଲୁଟ କରିନେଇଛନ୍ତି । ଏହାସହିତ କାର୍ଯ୍ୟାଳୟରେ ଥିବା ବିଭିନ୍ନ ଆସବାବପତ୍ର ମଧ୍ୟ ଦୁର୍ବୃତ୍ତମାନେ ନେଇଯାଇଛନ୍ତି।
ପୁରୀ SP ଚୁପ
ଏପରି ପରିସ୍ଥିତିରେ ପୁରୀରେ ଶାନ୍ତି ଫେରାଇ ଆଣିବା ପାଇଁ ଏସପି ସ୍ଥାଣୁତା ପ୍ରଦର୍ଶନ କରିଛନ୍ତି। ଲୋକମାନଙ୍କୁ ବୁଝାଇବାକୁ ମନା କରିଦେଇଥିବା ସହ ଶାନ୍ତି ଫେରାଇ ଆଣିବାକୁ ଅସହଯୋଗ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାପାଳ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ ହିଂସାକାଣ୍ଡ ପଛରେ କିଛି ଅସମାଜିକ ଲୋକଙ୍କ ହାତ ରହିଛି। ଦର୍ଶନ ବ୍ୟବସ୍ଥା ନେଇ ପୁନଃ ସମୀକ୍ଷା କରାଯିବ ଓ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଧ୍ୟାନ ଦିଆଯିବ।“ପୁଲିସ ଆଇଜି କହିଛନ୍ତି ଯେ ନେତୃତ୍ଵ ବିହୀନ ଆନ୍ଦୋଳନ ହେଲେ ଏମିତି ପରିସ୍ଥିତି ହୋଇଥାଏ।