• ବେତାର ବ୍ୟୁରୋ

ପେଟ୍ରୋଲ,ଡିଜେଲ ଦର ହ୍ରାସ କଲେ କେନ୍ଦ୍ର ସରକାର


(ବେତାର ବ୍ୟୁରୋ) ପେଟ୍ରୋଲ ଓ ଡିଜେଲର ଦର ଲଗାତାର କିଛିଦିନ ହେବ ଅହେତୁକ ଭାବେ ହୁ ହୁ ହୋଇ ବଢୁଥିବା ବେଳେ ଗୁରୁବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏହାଦ୍ୱାରା ସାଧାରଣ ଜନତାଙ୍କୁ କିଛିଟା ଆଶ୍ଵସ୍ତି ମିଳିବ। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଟଙ୍କା ୫୦ ପଇସା ହ୍ରାସ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ଏନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି ଯେ, “ଆଜିର ବୈଠକରେ ଆମେ ନିଷ୍ପତ୍ତି ନେଇଛୁ ଯେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ଉପରେ ୧ ଟଙ୍କା ୫୦ ପଇସା କାଟିବେ ଓ ବିଭିନ୍ନ ତେଲ କମ୍ପାନୀ ଗୁଡିକ ପେଟ୍ରୋଲ ଓ ଡିଜେଲ ଉପରେ ୧ ଟଙ୍କା ଲେଖାଏଁ ଦର ହ୍ରାସ କରିବେ ।

ରାଜ୍ୟ ସରକାର ଉତ୍ପାଦ ଶୁଳ୍କ ବାବଦରେ ଅଧିକ ଟଙ୍କା ପାଉଥିବାରୁ ତେଲ ଦର ହ୍ରାସ କରିପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି । ଯଦି କେନ୍ଦ୍ର ସରକାରଙ୍କର ଏହି ଅପିଲକୁ ରାଜ୍ୟ ସରକାର ମାନିନିଅନ୍ତି ଓ ପେଟ୍ରୋଲ ଓ ଡିଜେଲ ପିଛା VAT କମ କରନ୍ତି, ତେବେ ଗ୍ରାହକମାନେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ମୋଟ ୫ଟଙ୍କା କମରେ ପାଇପାରିବେ। ତେବେ ଅର୍ଥମନ୍ତ୍ରୀଙ୍କର ଏହି ଘୋଷଣା ପରେ ଗୁଜୁରାଟ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ସରକାର VAT ଉଠାଇବାକୁ ଘୋଷଣା କରିଛନ୍ତି।  

ଏହାସହିତ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ପେଟ୍ରୋଲ ଡିଜେଲ ଦର କମ ହେବା ପରେ ଏକ୍ସାଇଜ ରିଭେନ୍ୟୁରେ ୧୦,୫୦୦ କୋଟି ଟଙ୍କାର ପ୍ରଭାବ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ବ ବଜାରରେ ଋଣ ମୂଲ୍ୟ ତଥା ଡ଼ଲାର ଚାହିଦା ବଢ଼ୁଥିବାରୁ ଏହାର ପ୍ରଭାବ  ତୈଳ ବଜାର ଉପରେ ପଡିଛି।

ଅନ୍ତଃରାଷ୍ଟ୍ରୀୟ ବଜାରରେ ତେଲ ଦର ଲଗାତାର ଭାବରେ ବଢୁଥିବାରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ଭାବରେ ବଢିବାରେ ଲାଗିଥିଲା। ଗୁରୁବାର ଦିନ ଅନ୍ତଃରାଷ୍ଟ୍ରୀୟ ବଜାରରେ ଏହାର ମୂଲ୍ୟ ପ୍ରତି ବ୍ୟାରେଲକୁ ୮୬ ଡଲାରରେ ପହଞ୍ଚିଥିଲା ଯାହା ଗତ ଚାରିବର୍ଷ ମଧ୍ୟରେ ସବୁଠାରୁ ଅଧିକ ଅଟେ।

ବିଗତ ପ୍ରାୟ ଦୁଇ ସପ୍ତାହ ଧରି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ପ୍ରତିଦିନ ବଢିଚାଲିଛି। ଗୁରୁବାର ସକାଳ ବେଳା ପେଟ୍ରୋଲ ଦରରେ ୧୫ ପଇସା ଓ ଡିଜେଲ ଦରରେ ୨୦ ପଇସା ବଢା ଯାଇଛି ବୋଲି ସାର୍ବଜନୀନ ତୈଳ ବିପଣନ କମ୍ପାନୀ କହିଥିଲେ। ଏହି ବୃଦ୍ଧି ପରେ  ଭୁବନେଶ୍ୱରରେ ପେଟ୍ରୋଲ ଦର ଟ.82.86 ଓ ଡିଜେଲ ଦର ଟ.81.02 ରେ ପହଞ୍ଚି ଯାଇଛି।         

#oilprice #centralgovernment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon