• ବେତାର ବ୍ୟୁରୋ

ବଲିଉଡ ରିଲିଜ : ‘ଲଭଯାତ୍ରୀ’ ର ଗୀତ ଓ ‘ଅନ୍ଧାଧୁନ’ ର କାହାଣୀ ଦମଦାର


(ବେତାର ବ୍ୟୁରୋ) ଶୁକ୍ରବାର ଦିନ ଦୁଇଟି ଭିନ୍ନ ସ୍ଵାଦର ବଲିଉଡ ଫିଲ୍ମ ରିଲିଜ ହୋଇଯାଇଛି। ଗୋଟିଏ ପଟେ ରହିଛି ରୋମାନ୍ସ ଓ ଡ୍ରାମାରେ ଭରପୁର ଫିଲ୍ମ ‘ଲଭଯାତ୍ରୀ : ଏ ଜର୍ଣ୍ଣୀ ଅଫ ଲଭ’ ଏବଂ ଅନ୍ୟପଟେ ରହିଛି ଆୟୁଷ୍ମାନ ଖୁରାନା ଓ ତବ୍ବୁଙ୍କ ଅଭିନୀତ ଥ୍ରୀଲର, ରୋମାନ୍ସ, କମେଡିରେ ଭରପୁର ଫିଲ୍ମ ‘ଅନ୍ଧାଧୁନ’।

ଲଭଯାତ୍ରୀ : ଏ ଜର୍ଣ୍ଣୀ ଅଫ ଲଭ

ରୋମାନ୍ସ ଓ ଡ୍ରାମା ଫିଲ୍ମ ‘ଲଭଯାତ୍ରୀ : ଏ ଜର୍ଣ୍ଣୀ ଅଫ ଲଭ’ରେ ରହିଛି ବଡୋଦରାର ସୁଶ୍ରୁତ (ଆୟୁଷ ଶର୍ମା) ଓ ଇଂଲଣ୍ଡର ମିଶେଲ (ବାରିନା ହୁସେନ)ଙ୍କ ପ୍ରେମ କାହାଣୀ। ନବରାତ୍ରିର ନଅ ଦିନ ସୁଶ୍ରୁତର ଜୀବନକୁ କିପରି ବଦଳାଇଦେଇଛି ତାହା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।

ସୁଶ୍ରୁତ ହେଉଛି ଏପରି ଏକ ପିଲା ଯାହାର ନିଜ ଜୀବନରେ କିଛି ଆଶା ନାହିଁ। ସେ କେବଳ ନାଚିବାକୁ ଚାହେଁ। ପରିବାର ତରଫରୁ ତାକୁ ଚାକିରୀ କରିବା ପାଇଁ କୁହାଯାଉଥିବା ବେଳେ ସେ ବଡୋଦରାରେ ଏକ ଡ୍ୟାନ୍ସ ଏକାଡେମି ଖୋଲିବା ପାଇଁ ଚାହେଁ। ଅନ୍ୟପଟେ ଇଂଲଣ୍ଡରେ ରହୁଥିବା ମିଶେଲ ନିଜର ଜନ୍ମଭୂମି ଭାରତ ଯିବାକୁ ଚାହେଁ ଓ ତାର ପିତା (ରୋନିତ ରୟ)ମଧ୍ୟ ରାଜି ହୋଇଯାଇଛନ୍ତି। ଭାରତକୁ ଆସିବା ପରେ ପରିବାର ଲୋକଙ୍କ କଥା ରଖି ମିଶେଲ ନବରାତ୍ରି ପାଇଁ ବଡୋଦରାରେ ରହିଯାଏ ଓ ଏହି ସମୟରେ ସେ ସୁଶ୍ରୁତ ସହିତ ଦେଖାହୁଏ। ସୁଶ୍ରୁତ ମିଶେଲକୁ ଭଲପାଇଯାଏ ଓ ମିଶେଲର ଭଲପାଇବା ପାଇବା ପାଇଁ ସେ ସବୁ କାମ କରେ।

ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଅଭିରାଜ ମୀନାବାଲା ବଲିଉଡର 90’ ଦଶକର ପ୍ରେମକାହାଣୀର ଛାପ ଦେଇଛନ୍ତି। ଏଥିରେ ଆୟୁଷ ଶର୍ମା ଓ ବରିନା ହୁସେନଙ୍କ ବ୍ୟତୀତ ରୋନିତ ରୟ, ରାମ କପୁର, ପ୍ରାଚୀ ଶାହ, ପ୍ରତୀକ ଗାନ୍ଧୀ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମରେ ସଲମାନ ଖାନ, ଅରବାଜ ଖାନ ଓ ସୋହେଲ ଖାନଙ୍କୁ ଅତିଥି ଭୂମିକାରେ ଦେଖିବାକୁ ମିଳିଛି।

ଚଳଚ୍ଚିତ୍ର ସମୀକ୍ଷକଙ୍କ ମତରେ ସମସ୍ତ ଅଭିନେତା ନିଜ ନିଜର ଚରିତ୍ରକୁ ଖୁବ ଭଲ ଭାବରେ ପ୍ରତିପାଦନ କରିଛନ୍ତି କିନ୍ତୁ ଫିଲ୍ମର କାହାଣୀ ଦର୍ଶକଙ୍କୁ ଆକର୍ଷିତ କରିପାରିନାହିଁ। ତେବେ ଫିଲ୍ମର ଗୀତ ଗୁଡିକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି।

ଅନ୍ଧାଧୁନ

ଥ୍ରୀଲର, ରୋମାନ୍ସ ଓ କମେଡି ଫିଲ୍ମ ‘ଅନ୍ଧାଧୁନ’ରେ ଆୟୁଷ୍ମାନ ଜଣେ ଅନ୍ଧ ପିଆନୋ ବାଦକ ଭୂମିକାରେ ଅଭିନୟ କରିଛନ୍ତି। ପୁନେରେ ରହୁଥିବା ଏହି ଅନ୍ଧ ପିଆନୋ ବାଦକ ଆକାଶ (ଆୟୁଷ୍ମାନ ଖୁରାନା) ଏକ ମର୍ଡର ପରେ ଲୁଚିକରି ରହିଛନ୍ତି। କିନ୍ତୁ ପରିସ୍ଥିତି ତାଙ୍କୁ ଏହି ମର୍ଡର ବିରୋଧରେ ଅଭିଯୋଗ କରିବା ପାଇଁ ବାଧ୍ୟ କରିଛି। ଯେହେତୁ ସେ ଦେଖିପାରୁନାହାନ୍ତି ତେଣୁ ସେ ଏହି ହତ୍ୟାର ସାକ୍ଷୀ ନୁହନ୍ତି କିନ୍ତୁ ଏହି ହତ୍ୟାର ଅଭିଯୋଗ କରିବା ତାଙ୍କ ପାଇଁ ବହୁତ ଜରୁରୀ ହୋଇଯାଇଛି।

ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଆୟୁଷ୍ମାନ ଖୁରାନା, ରାଧିକା ଆପ୍ତେ ଓ ତବ୍ବୁ। ସମସ୍ତଙ୍କର ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ‘ଏଜେଣ୍ଟ ବିନୋଦ’ ଓ ‘ବଦଲାପୁର’ର ନିର୍ଦ୍ଦେଶକ ଶ୍ରୀ ରାଘବନ। ଫିଲ୍ମର କାହାଣୀକୁ ମଧ୍ୟ  ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି ଓ କାହାଣୀରେ ଥିବା ଟ୍ଵିଷ୍ଟ ଫିଲ୍ମକୁ ଅଧିକ ରୋମାଞ୍ଚକର କରିଛି।

#entertainment #fridayrelease #andhadhun #loveyatri

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon