• ବେତାର ବ୍ୟୁରୋ

ସିଆରପିଏଫ କରିବ 21,566 ଯବାନଙ୍କ ଭର୍ତ୍ତି, ବଦଳିବ ପୁରୁଣା ଟ୍ରେନିଂ ପ୍ରଣାଳୀ


(ବେତାର ବ୍ୟୁରୋ) ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ତରଫରୁ ନକ୍ସଲ ଓ ଆତଙ୍କବାଦୀ ପ୍ରଭାବିତ ରାଜ୍ୟ ଗୁଡିକରେ ଡ୍ୟୁଟି ପାଇଁ ଦକ୍ଷ ଓ ଶକ୍ତିଶାଳୀ ସୈନିକଙ୍କୁ ପ୍ରସ୍ତୁତ କରିବାକୁ ଦିଆଯାଉଥିବା ଶାରିରୀକ ପ୍ରଶିକ୍ଷଣ ପ୍ରଣାଳୀ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଖୁବ ଶୀଘ୍ର 21,566 କର୍ମୀଙ୍କୁ ନିଯୁକ୍ତି ଦେବା ପାଇଁ ଯାଉଛି।

ପାଖାପାଖି ତିନି ଲକ୍ଷରୁ ଅଧିକ କର୍ମୀ ଥିବା ଏହି ମଜଭୁତ ସେନା ହେଉଛି ସବୁଠାରୁ ବଡ ନିଯୁକ୍ତିକର୍ତ୍ତା ଯାହା କନଷ୍ଟେବଳ ପଦବୀରେ ଯୁବାକର୍ମୀଙ୍କୁ ଓ ଆସିଷ୍ଟାଣ୍ଟ କମାଣ୍ଡ ରାଙ୍କରେ ଅଧିକାରୀଙ୍କୁ ନିଯୁକ୍ତି ଦେଇଥାଏ। ପ୍ରତିବର୍ଷ ହଜାରରୁ ଅଧିକ କର୍ମୀ ସିଆରପିଏଫର ବିଭିନ୍ନ ଏକାଡେମିରେ ଟ୍ରେନିଙ୍ଗ ନେଇଥାଆନ୍ତି।

ସିଆରପିଏଫର ଏହି ନିଷ୍ପତ୍ତିକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି କାରଣ କିଛି ମାସ ଆଗରୁ ସରକାର ଘୋଷଣା କରିଥିଲେ ଯେ ସିଆରପିଏଫ, ବିଏସଏଫ (BSF) ଓ ଭାରତ ତିବ୍ବତ ସୀମା ପୋଲିସ (ITBP)ରେ ଅଧିକ ସଂଖ୍ୟାରେ ନିଯୁକ୍ତି ପ୍ରକାଶ ପାଇବ। ଏହି ଅଭିଯାନରେ ମୋଟ 54,953 ଜଣ କର୍ମୀଙ୍କୁ ନିଯୁକ୍ତି ଦିଆଯିବ ଓ ସେଥିରୁ 21,566 ପଦରେ ନିଯୁକ୍ତି ସିଆରପିଏଫରେ କରାଯିବ।

ସିଆରପିଏଫର ମହାନିର୍ଦ୍ଦେଶକ ଆର.ଆର ଭଟନାଗର କହିଛନ୍ତି ଯେ, “  ସିଆରପିଏଫରେ ଭର୍ତ୍ତି ସମୟରେ ଦିଆଯାଉଥିବା ପ୍ରଶିକ୍ଷଣ ପାଠ୍ୟକ୍ରମରେ କର୍ମୀମାନେ ବହୁ ସଂଖ୍ୟାରେ ଆଘାତ ହେଉଥିବାର ଦେଖିବାକୁ ମିଳୁଛି। ଏହାକୁ ଦେଖିବା ପରେ ପୁରୁଣା ପ୍ରଶିକ୍ଷଣ ପ୍ରଣାଳୀକୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି।“

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରେନିଂ ସମୟରେ ଆଘାତ ଯୋଗୁଁ କେତେକ ଯୁବକ ସାରା ଜୀବନ ପାଇଁ କ୍ଷତର ଶିକାର ହୋଇଥାଆନ୍ତି ଓ କେତେକ ନିଜ ମୁଣ୍ଡରେ ଭୟଙ୍କର ଆଘାତ ପାଇଥାଆନ୍ତି। ଟ୍ରେନିଂ ସମୟରେ ଲାଗୁଥିବା ଆଘାତ ଯେପରି ସାରା ଜୀବନ ପାଇଁ ସ୍ଥାୟୀ ଆଘାତ ନହୁଏ ଏଥିପାଇଁ ଏକ ବିଶେଷଜ୍ଞଙ୍କ ଦଳ କାମ କରୁଛନ୍ତି। ଏହାଦ୍ଵାରା ଯୁବକମାନେ ଟ୍ରେନିଂ ସମୟରେ ନିଜର ଆତ୍ମବିଶ୍ଵାସ ବଢାଇପାରିବେ ଓ ଟ୍ରେନିଙ୍ଗ ସେଣ୍ଟରରୁ ବାହାରିବା ପରେ ଜଣେ ଦକ୍ଷ ସୈନିକ ହୋଇ ବାହାରିବେ।

ଗତ କିଛି ବର୍ଷ ମଧ୍ୟରେ ସିଆରପିଏଫର ଅନେକ ସୈନ୍ୟ ଛତିଶଗଡ, ଓଡିଶା ତଥା ଆନ୍ଧ୍ରପ୍ରଦେଶର ଉପାନ୍ତ ଅଂଚଳରେ ରହୁଥିବା ମାଓବାଦୀଙ୍କ ଦ୍ବାରା ନିହତ ହେଇଛନ୍ତି। ମିଲିଟାରୀ ଭାଷାରେ ଏହାକୁ ଆମ୍ବୁଷ ବା ଚକ୍ରବ୍ୟୁହ ବୋଲି କୁହାଯାଇଥାଏ। ଏହି ପ୍ରଣାଳୀରେ ମାଓବାଦୀମାନେ ପ୍ରଥମେ ସୈନ୍ୟମାନଙ୍କୁ ନିଜ ଆଡ୍ଡା ସ୍ଥଳୀ ଆସିବାକୁ ଉତ୍ସାହିତ କରନ୍ତି ଓ ପରେ ଚାରିଆଡୁ ଆକ୍ରମଣ କରି ସେମାନଙ୍କୁ ହତ୍ୟା କରିଥାନ୍ତି।ଏହିପରି ଘଟଣା ବାରମ୍ବାର ଘଟିଛି, ଯାହାଫଳରେ ସିଆରପିଏଫ ନିଜ ଟ୍ରେନିଂ ପଦ୍ଧତି ବଦଳେଇବାକୁ ନିଷ୍ପତ୍ତି ନେଇଛି।

ସିଆରପିଏଫ ନିର୍ଦ୍ଦେଶକ କହିଛନ୍ତି ଯେ, “ ଆମେ ଟ୍ରେନିଙ୍ଗ ପ୍ରଣାଳୀରେ ବିଜ୍ଞାନ ସମ୍ମତ ପରିବର୍ତ୍ତନ କରିଛୁ ଯାହାଦ୍ୱାରା ସେମାନେ ଭଲ ଭାବରେ ଟ୍ରେନିଙ୍ଗ ଗ୍ରହଣ କରିପାରିବେ। ପ୍ରତ୍ୟେକ ବ୍ୟକ୍ତିଙ୍କର ଦୁର୍ବଳତା ଓ ଶକ୍ତି ବିଷୟରେ ଜାଣିବା ପରେ ସେମାନଙ୍କୁ ସେହି ଅନୁସାରେ ଟ୍ରେନିଙ୍ଗ ଦିଆଯିବ, ଯାହାଫଳରେ ସେମାନେ ସାରା ଜୀବନ ପାଇଁ ଆଘାତ ଭୋଗିବେ ନାହିଁ।“   

#CRPF #training #jobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon