• padmabati kund

ବହୁମୂଖୀ ଉପଯୋଗୀତା ନେଇ ଆସିଲା ଭୁବନେଶ୍ବର ସିଟି ସ୍ମାର୍ଟକାର୍ଡ : ‘ଓଡିଶୀ ସିଟି କାର୍ଡ’


(ବେତାର ବ୍ୟୁରୋ) ଶୁକ୍ରବାର ଦିନ ସଚିବାଳୟରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ଵର ବାସିନ୍ଦାଙ୍କ ପାଇଁ ବହୁମୂଖୀ ସେବା ପ୍ରଦାନକାରୀ କାର୍ଡ “ଓଡିଶୀ ସିଟି କାର୍ଡ”କୁ ଲୋକର୍ପଣ କରିଛନ୍ତି। ଏହି ବହୁମୂଖୀ ସେବା ପ୍ରଦାନକାରୀ କାର୍ଡ ବ୍ୟବସ୍ଥା ଭୁବନେଶ୍ଵର ମହାନଗର ନିଗଣ (ବିଏମସି), ଭୁବନେଶ୍ଵର ସ୍ମାର୍ଟସିଟି ଲିମିଟେଡ ଓ ଆଇସିଆଇସିଆଇ ବ୍ୟାଙ୍କର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ମୋ ଓଡିଶୀ କେନ୍ଦ୍ର”ର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କେନ୍ଦ୍ର ଗୁଡିକରେ ଦେୟ ପ୍ରଦାନ ସେବା ଉପଲବ୍ଧ ହେବ। ପ୍ରଥମ ପର୍ଯ୍ୟାୟରେ ମୋଟ 25 ଟି ‘ମୋ ଓଡିଶୀ କେନ୍ଦ୍ର’ ଖୋଲାଯାଇଛି। ପରବର୍ତ୍ତୀ ସମୟରେ ଆଉ 300ଟି ‘ମୋ ଓଡିଶୀ କେନ୍ଦ୍ର’ ଖୋଲାଯିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏହି ‘ଓଡିଶୀ ସିଟି କାର୍ଡ’ ଜରିଆରେ ସାଧାରଣ ନାଗରିକମାନେ ବଜାରରେ ବିଭିନ୍ନ ସାମଗ୍ରୀ କିଣିବା, ସିଟିବସ ଭଡା, ପାଣି ବିଲ, ଗାଡି ପାର୍କିଙ୍ଗ ଦେୟ, ସମ୍ପତ୍ତି ଟିକସ ପଇଠ କରିପାରିବେ। ଖୁବ ଶୀଘ୍ର ଓ ଅତି ସହଜରେ ସମସ୍ତ ଦେୟ ପଇଠ କରିବା ପାଇଁ ଏହି କାର୍ଡକୁ ପ୍ରସ୍ତୁତ କରାଯାଇଛି।

ସମଗ୍ର ଦେଶରେ ଥିବା ରିଟେଲ ଦୋକାନ ଗୁଡିକରେ ମଧ୍ୟ ଏହି କାର୍ଡକୁ ପଏଣ୍ଟ ଅଫ ସେଲ(PSO)ମେସିନ ସାହାଯ୍ୟରେ ବ୍ୟବହାର କରାଯାଇ ପାରିବ। ଏହାସହିତ ଇ-କମର୍ସ ୱେବସାଇଟ ଗୁଡିକରେ ମଧ୍ୟ ସପିଙ୍ଗ କାର୍ଯ୍ୟ ପାଇଁ ଏହି କାର୍ଡକୁ ବ୍ୟବହାର କରାଯାଇ ପାରିବ।

ବର୍ତ୍ତମାନ 25ଟି ମୋ ଓଡିଶୀ କେନ୍ଦ୍ରରେ ଏହି କାର୍ଡ ଉପଲବ୍ଧ ହେଉଛି। ଏହି କାର୍ଡକୁ ନେବାକୁ ଚାହୁଁଥିବା ବ୍ୟକ୍ତି ଟ.50 ଦେଇ ନେଇପାରିବେ। ଏହି କାର୍ଡର ବୈଧତା 5ବର୍ଷ ପର୍ଯ୍ୟନ୍ତ ରହିବ। ଏହି କାର୍ଡ ପାଇଁ କୌଣସି ବାର୍ଷିକ ଦେୟ ଦେବାକୁ ପଡିବ ନାହିଁ। ମୋ ଓଡିଶୀ କେନ୍ଦ୍ରରେ ଏହି କାର୍ଡକୁ ରିଚାର୍ଜ କରାଯାଇପାରିବ।

ଏହି କାର୍ଡ ବ୍ୟବହାର କରିବାର ଏକ ବର୍ଷ ପରେ ବ୍ୟବହାରକାରୀ ମାନେ ସଂପୂର୍ଣ୍ଣ KYC ହୋଇପାରିବେ ଓ ମାସକୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ କରିପାରିବେ। ବର୍ତ୍ତମାନ ବ୍ୟବହାରକାରୀମାନେ ମାସକୁ ଟ.10,000 ପର୍ଯ୍ୟନ୍ତ ରିଚାର୍ଜ କରିପାରିବେ।

ଏହି କାର୍ଡ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ଏହି କାର୍ଡ ବ୍ୟବସ୍ଥା ଭୁବନେଶ୍ଵର ଐତିହ୍ୟ ସହରରୁ ସ୍ମାର୍ଟସିଟି ଦିଗକୁ ଯାତ୍ରା କରୁଥିବାର ଏକ ପ୍ରତିଫଳନ। ବୈଷୟିକ ପ୍ରଯୁକ୍ତି ବିଦ୍ୟା ଜରିଆରେ ଏହି ସହରକୁ ଏକ ଅତ୍ୟାଧୁନିକ ସହାରାଞ୍ଚଳରେ ପରିଣତ କରିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଆଗାମୀ ଦିନରେ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ଵକପର ଆୟୋଜନ ବେଳେ ଏହି ସହରକୁ ପ୍ରମୁଖ କ୍ରୀଡା ସହରରେ ରୂପାନ୍ତରିତ କରିବାକୁ ଏହି ଉଦ୍ୟମ ସହାୟକ ହେବ। “

#smartcity #bhubaneswar #odysseycard

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon