- padmabati kund
‘ବିଗବସ 12’କୁ ପଛରେ ପକାଇଲା ଏକତାଙ୍କ ଶୋ ‘କଶୌଟୀ ଜିନ୍ଦଗୀ କି’

(ବେତାର ବ୍ୟୁରୋ) ଛୋଟ ପରଦାରେ ପ୍ରସାରିତ ହେଉଥିବା ଧାରାବାହିକ ମାଧ୍ୟମରେ ଏକତା କପୁର ସବୁବେଳେ ନିଜର ଯାଦୁ ଦେଖାଇ ଆସିଛନ୍ତି। ସାଧାରଣତଃ ଏକତା କପୁରଙ୍କ ଦ୍ଵାରା ପ୍ରସ୍ତୁତ ଧାରାବାହିକକୁ ଦର୍ଶକମାନେ ଖୁବ ପସନ୍ଦ କରିଥାଆନ୍ତି। ଏପରି ଅନୁମାନ ହୁଏ ଯେ, ସବୁ ସମୟରେ ନିଜ ଧାରାବାହିକ ମାଧ୍ୟମରେ ଦର୍ଶକଙ୍କ ମନକୁ କିଣି ଅଧିକ ଟି.ଆର.ପି ହାସଲ କରିବାର ଫର୍ମୁଲା ଏକତା କପୁରଙ୍କୁ ବେଶ ଭଲ ଭାବରେ ଜଣା। ଏଥିପାଇଁ କିଛି ବର୍ଷ ପୂର୍ବରୁ ପ୍ରସାରିତ ହେଉଥିବା ‘କଶୌଟୀ ଜିନ୍ଦଗୀ କା’ର ଦ୍ଵିତୀୟ ସଂସ୍କରଣ ପ୍ରସାରିତ ହେବାର ଗୋଟିଏ ସପ୍ତାହ ମଧ୍ୟରେ ବି.ଏ.ଆର.ସି ଇଣ୍ଡିଆର ରେଟିଙ୍ଗ ତାଲିକାରେ ସ୍ଥାନ ପାଇଛି ଓ ବିଗବସ 12 କୁ ପଛରେ ପକାଇ ଦେଇଛି।
ବି.ଏ.ଆର.ସି ଇଣ୍ଡିଆର ରିପୋର୍ଟ ମୁତାବକ ଏକତା କପୁରଙ୍କ ପ୍ରଯୋଜିତ ଧାରାବାହିକ ‘କଶୌଟୀ ଜିନ୍ଦଗୀ କି’ ପ୍ରସାରିତ ହେବାର ପ୍ରଥମ ସପ୍ତାହରେ 6 କୋଟି 20 ଲକ୍ଷ ଇମ୍ପ୍ରେସନ ସହିତ ଶ୍ରେଷ୍ଠ ଦଶ ତାଲିକାରେ ରହିଛି। ଏଥିରେ ମୁଖ୍ୟ ଚରିତ୍ରରେ ଏରିକା ଫର୍ଣ୍ଣାଡିସ ଓ ପାର୍ଥ ସମ୍ଥାନ ଅଭିନୟ କରିଛନ୍ତି। ଦର୍ଶକମାନେ ପାର୍ଥ ଓ ଏରିକାଙ୍କ ଯୋଡିକୁ ଖୁବ ପସନ୍ଦ କରିଛନ୍ତି ଓ ପାରିବାରିକ ପୃଷ୍ଠଭୂମିକୁ ନେଇ ପ୍ରସ୍ତୁତ ହୋଇଥିବା ଏହି କାହାଣୀ ଦର୍ଶକଙ୍କୁ ବାନ୍ଧି ରଖି ପାରିଛି।
ବିଗବସ 12କୁ ପଛରେ ପକାଇଲା

ଏକତା କପୁରଙ୍କ ଏହି ଧାରାବାହିକ ‘କଶୌଟୀ ଜିନ୍ଦଗୀ କି’ କଲର୍ସରେ ପ୍ରସାରିତ ବିବାଦୀୟ ରିଆଲିଟି ଶୋ ‘ବିଗବସ 12’କୁ ପଛରେ ପକାଇଦେଇଛି। ‘ବିଗବସ 12’ ଆରମ୍ଭରୁ ପ୍ରଥମ ସପ୍ତାହରେ ଚତୁର୍ଥ ସ୍ଥାନରେ ରହିଥିଲା। ଏହାପରେ ଦ୍ଵିତୀୟ ସପ୍ତାହରେ ଷଷ୍ଠ ସ୍ଥାନକୁ ଖସି ଆସିଥିଲା। ହୁଏତ ଏହି ଶୋ ପ୍ରତି ଦର୍ଶକଙ୍କ ଆଗ୍ରହ କମିବାରେ ଲାଗିଛି।
ଅନ୍ୟପଟେ ଅମିତାଭ ବଚ୍ଚନଙ୍କ ଶୋ “କୌନ ବନେଗା କାରୋଡପଟି 10” ଏହି ସପ୍ତାହରେ ତାଲିକାରେ ଉପରକୁ ଉଠିଛି। ଏହି ସପ୍ତାହରେ ଶୋ କୁ ପ୍ରଥମ କୋଟିପତି ମଧ୍ୟ ମିଳିଛି। ଏଥିପାଇଁ ଶୋ ର ଲୋକପ୍ରିୟତା ବଢିଛି ବୋଲି ଅନୁମାନ କରାଯାଉଛି।

ତେବେ ଏହି ତାଲିକାରେ ଏକତାଙ୍କ ଶୋ “ନାଗିନ 3” ପ୍ରଥମ ସ୍ଥାନରେ ରହିଛି। ସୁରଭି ଯୋଶୀ, ପଲ ଭି ପୁରି ଓ ଅନିତା ହଁସନନ୍ଦାନିଙ୍କ ଅଭିନୀତ ଏହି ଧାରାବାହିକକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି। ତାଲିକାରେ ଦ୍ଵିତୀୟ ସ୍ଥାନରେ ଷ୍ଟାରପ୍ଲସର ଧାରାବାହିକ ‘ୟେ ରିସ୍ତା କ୍ୟା କେହେଲାତା ହେ’, ତୃତୀୟ ସ୍ଥାନରେ ଜୀଟିଭିର ‘କୁଣ୍ଡଳୀ ଭାଗ୍ୟ’, ଚତୁର୍ଥ ସ୍ଥାନରେ ଷ୍ଟାରପ୍ଲସର ‘କୁଲ୍ଫି କୁମାର ବାଜେବାଲା’ ଓ ପଞ୍ଚମ ସ୍ଥାନରେ ଜୀଟିଭିର ‘କୁମକୁମ ଭାଗ୍ୟ’ ରହିଛି।