• ବେତାର ବ୍ୟୁରୋ

'ତିତଲି' ପାଇଁ 4 ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା


(ବେତାର ବ୍ୟୁରୋ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗଭୀର ଅବପାତର ରୂପ ନେଇଛି। ମଙ୍ଗଳବାର ରାତି ସୁଦ୍ଧା ଏହା ସାଇକ୍ଳୋନିକ ଷ୍ଟର୍ମରେ ପରିଣତ ହେବ। ଏହି ବାତ୍ୟା ପରିସ୍ଥିତିକୁ ଆଖି ଆଗରେ ପୁରୀ, ଗଞ୍ଜାମ, ଗଜପତି ଓ ଜଗତସିଂହପୁରରେ ବୁଧବାର ଠାରୁ ତିନି ଦିନ ପାଇଁ ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ରହିବ ବୋଲି ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ପରିସ୍ଥିତିକୁ ଦେଖି ଅନ୍ୟ ଜିଲ୍ଲା ପାଇଁ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି।

ମଙ୍ଗଳବାର ସନ୍ଧ୍ୟା 7ଟା ସୁଦ୍ଧା ଏହା ଗୋପାଳପୁରରୁ ପ୍ରାୟ ୫୦୦ କିମି ଦୂରରେ ରହିଛି ଓ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଓଡିଶା ଉପକୂଳ ଆଡକୁ ମୁହାଁଉଛି । ସ୍କାଏମେଟ ୱେଦରର ରିପୋର୍ଟ ଅନୁଯାୟୀ, ବୁଧବାର ରାତି ସୁଦ୍ଧା ଏହା ସମୁଦ୍ରକୂଳ ଠାରୁ ୧୦୦କିମି ଦୂରରେ ରହିବ। ୭୨ ଘଣ୍ଟା ଭିତରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ସ୍ଥଳଭାଗ ଛୁଇଁବ। ‘ତିତ୍‌ଲି’ ପ୍ରଭାବରେ ଦୁଇ ଦିନ ଧରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ଓ ଏନେଇ ପାଞ୍ଚଟି ଜିଲ୍ଲାକୁ ରେଡଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ କିଛି ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା। ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଲା- ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ବାତ୍ୟା ‘ତିତଲି’କୁ ନେଇ ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, “ତିତଲି ପ୍ରଭାବରେ ଆଜି ରାତିରୁ ବର୍ଷା ଆରମ୍ଭ ହୋଇଯିବ। ଅକ୍ଟୋବର ୧୦ ଓ ୧୧ ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସ୍ଥଳଭାଗ ଛୁଇଁବା ସମୟରେ ୧୦୦ ରୁ ୧୧୦ କିମି ମାଧ୍ୟରେ ପବନ ବହିବ ଓ ପବନର ବେଗ ୧୫୦କିମି ମଧ୍ୟ ବଢିପାରେ। ବାତ୍ୟା ଯୋଗୁଁ ସମୁଦ୍ରରେ ଅଧମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ। ପବନ ଯୋଗୁଁ ଗଛ ଉପୁଡିଯିବ ଓ ବିଦ୍ୟୁତ, ଟେଲିଫୋନ ଖୁଣ୍ଟ ଭାଙ୍ଗିଯିବ। ବାତ୍ୟା ଓ ବର୍ଷା ଯୋଗୁଁ ଚାଷଜମିରେ ମଧ୍ୟ ବ୍ୟାପକ କ୍ଷତି ହେବ।“

ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ

ଦିଆଯାଇଛି।

ତଳିଆ ଲୋକେ ସ୍ଥାନାନ୍ତର

ତେବେ ବାତ୍ୟା ଆଶଙ୍କାକୁ ଦେଖି ରାଜ୍ୟ ସରକାର ଏହାର ମୁକାବିଲା କରିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆବଶ୍ୟକ ଅନୁସାରେ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡେପୁଟି ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର କହିଛନ୍ତି,“ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ। ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ସହ ଉଦ୍ଧାର କାର୍ଯ୍ୟ ପାଇଁ ୩୦୦ ବୋଟ୍ ବି ପ୍ରସ୍ତୁତ ରଖାଯାଇଛି। ୧୧ ତାରିଖ ଯାଏ ବର୍ଷା ସମ୍ଭାବନା ଥିବାରୁ ବନ୍ୟା ଆଶଙ୍କାକୁ ଏଡ଼ାଇ ହେବନାହିଁ।“

#weatherreport #rain

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon