• padmabati kund

ସବୁ ବିବାଦର ଅନ୍ତ ଘଟାଇ ପୁଣି ଟିଭିକୁ ଫେରୁଛି କପିଳ ଶର୍ମାଙ୍କ କମେଡି ଶୋ'


(ବେତାର ବ୍ୟୁରୋ) ବଲିଉଡର ହାସ୍ୟ ଅଭିନେତା କପିଲ ଶର୍ମା ନିଜର ପ୍ରଶଂସକଙ୍କ ପାଇଁ ଖୁସିଖବର ଆଣିଦେଇଛନ୍ତି। ସେ ପୁଣି ଥରେ ନିଜର ନୂଆ କମେଡି ଶୋ ସହିତ ଟେଲିଭିଜନ ପରଦାକୁ ଫେରୁଛନ୍ତି। ଦୀପାବଳୀ ଅବସରରେ କପିଳଙ୍କର ଏହି ଶୋ ଆରମ୍ଭ ହୋଇପାରେ। ତେବେ ଅନୁମାନ କରାଯାଉଛି ଯେ ଏଥର କପିଳଙ୍କ ସହିତ ତାଙ୍କର ପୁରୁଣା ପ୍ରତିଦ୍ଵନ୍ଦୀ କ୍ରୀଷ୍ଣା ଅଭିଷେକ ଓ ଭାରତୀ ଏବଂ ସୁନୀଲ ଗ୍ରୋଭରଙ୍କୁ ମଧ୍ୟ ଦେଖିବାକୁ ମିଳିପାରେ।

କପିଳ କିଛି ଦିନ ଆଗରୁ ଟ୍ଵିଟରରେ ଏକ ପୋଷ୍ଟ କରି ନୂଆ କମେଡି ଶୋ ସହିତ ଫେରୁଛନ୍ତି ବୋଲି ଦର୍ଶକଙ୍କୁ ଜଣାଇଥିଲେ। ସେ ଏହି ପୋଷ୍ଟରେ ଲେଖିଥିଲେ ଯେ, “ଖୁବ ଶୀଘ୍ର ଆପଣଙ୍କ ପାଇଁ ‘ଦ କପିଳ ଶର୍ମା ଶୋ’କୁ ନେଇ ଫେରୁଛି, କେବଳ ସୋନି ଟିଭିରେ। “

'ଦ କପିଳ ଶର୍ମା ନାଇଟ' ରେ ଲୋକପ୍ରିୟ ଚରିତ୍ର କରୁଥିବା ଅଭିନେତା ସୁନୀଲ ଗ୍ରୋଭରଙ୍କ ସହିତ ଝଗଡା ପରେ କପିଳ ଶର୍ମାଙ୍କ ଶୋ' ରୁ ପ୍ରାୟ ସମସ୍ତ ଅଭିନେତା ଏହି ଶୋ' ଛାଡ଼ିଦେଇଥିଲେ। ଏହାପରେ ଏହି ଶୋ' ଟିଭି ରୁ ଉଭାନ ହେଇଯାଇଥିଲା।

ନିକଟରେ କପିଳ ହିନ୍ଦୁସ୍ଥାନ ଟାଇମସକୁ ଦେଇଥିବା ଏକ ସାକ୍ଷାତକାରରେ ନିଜର ସ୍ୱାସ୍ଥ୍ୟ, ଆଗାମୀ ନୂଆ ଶୋ ଓ ସୁନୀଲ ଗ୍ରୋଭରଙ୍କ ବିଷୟରେ କହିଥିଲେ। ସୁନୀଲ ଗ୍ରୋଭରଙ୍କ ବିଷୟରେ ସେ କହିଥିଲେ, “ ସୁନୀଲ ଓ ମୁଁ ଦୁଇଭାଇ ପରି। ଆମ ଭିତରେ କିଛି ବିବାଦ ନାହିଁ। ଏବେ ଅଳ୍ପଦିନ ପୂର୍ବରୁ ଆମେ ଦୁହେଁ ଏକାଠି ବସି ଆସନ୍ତା ପ୍ରୋଜେକ୍ଟ ବିଷୟରେ ଆଲୋଚନା କରୁଥିଲୁ। ଯେପରି ସୋସିଆଲ ମିଡିଆରେ ଦେଖାଯାଇଛି ଆମ ଦୁଇଜଣଙ୍କ ମଧ୍ୟରେ ସେମିତି କିଛି ଝଗଡା ହୋଇନାହିଁ । ଆମେ ଦୁହେଁ ନୂଆ କମେଡି ଶୋ’ ରେ ଏକାଠି ଫେରିପାରୁ।“

ନିଜର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ କପିଳ ଛୋଟ ପରଦାରୁ ବ୍ରେକ ନେଇଯାଇଥିଲେ। ବର୍ତ୍ତମାନ ସେ ଆଗ ଅପେକ୍ଷା ସାମାନ୍ୟ ମୋଟା ମଧ୍ୟ ଦେଖାଯାଉଛନ୍ତି। ମୁମ୍ବାଇକୁ ଫେରିବା ପରେ ସୁସ୍ଥ ରହିବା ପାଇଁ ସେ କିପରି ନିଜର ଜୀବନଶୈଳୀକୁ ବଦଳାଇଛନ୍ତି, ସେ ନେଇ ଅଧିକାଂଶ ସମୟରେ ଟ୍ଵିଟ କରୁଛନ୍ତି।

ତେବେ କପିଳଙ୍କର ଏକ ପଞ୍ଜାବୀ ଫିଲ୍ମ ମଧ୍ୟ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମର ନାମ ରହିଛି ‘ସନ ଅଫ ମନଜିତ ସିଂ’। ଏହି ଫିଲ୍ମର ପ୍ରମୋଶନ ପାଇଁ ସେ ନିକଟରେ ଜଳନ୍ଧର ଯାଇଥିଲେ। ସେଠାରେ ସେ ନିଜର ଆଗାମୀ ଶୋ’ ବିଷୟରେ ମଧ୍ୟ କହିଥିଲେ। ତେବେ ଶୋ’ର ନାମ କଣ ରହିବ ଓ ଏହାର ଫର୍ମାଟ କଣ ରହିବ ଏହା ବିଷୟରେ କପିଳ କିଛି କହିନଥିଲେ। କିନ୍ତୁ ଏହି ଶୋ’ ଦର୍ଶକଙ୍କର ଖୁବ ମନୋରଞ୍ଜନ କରିବ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, “ ଖୁବ ଶୀଘ୍ର ଆପଣଙ୍କ ପାଇଁ ଏହି ଶୋ ମାଧ୍ୟମରେ କିଛି ନୂଆ ନେଇକି ଆସିବି। ମୋ ପୁରୁଣା ଶୋ’ର କିଛି ସାଥୀଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ଏହାସହିତ ଭାରତୀ ଓ କ୍ରୀଷ୍ଣା ମଧ୍ୟ ଏହି ଶୋ’ରେ ମଧ୍ୟ ଦେଖିବାକୁ ମିଳିପାରନ୍ତି।“

ଡିସେମ୍ବରରେ କରିବେ ବିବାହ

ଏହାସହିତ କପିଳ ନିଜ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ଦେଇଛନ୍ତି। ଆସନ୍ତା ଡିସେମ୍ବର 12 ତାରିଖରେ କପିଳ ଗିନ୍ନୀ ଚତରଥଙ୍କ ସହ ବିବାହ କରିବାକୁ ଯାଉଛନ୍ତି।

#entertainment #kapilsharmaa #bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon