• ବେତାର ବ୍ୟୁରୋ

ଗୁରୁବାର ସ୍ଥଳଭାଗ ଛୁଇଁବ 'ତିତଲି' ; ରେଳ ବିଭାଗର ଗ୍ରୁପ-ଡି ପରୀକ୍ଷା ବାତିଲ


(ବେତାର ବ୍ୟୁରୋ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ “ତିତଲି” ଭୟଙ୍କର ସାମୂଦ୍ରିକ ଝଡ଼ରେ ପରିଣତ ହୋଇସାରିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟା ଅଧିକ ଘନୀଭୂତ ହୋଇପାରେ । ବର୍ତ୍ତମାନ ଏହା ଗୋପାଳପୁର ଠାରୁ 200 କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ 15 କିଲୋମିଟର ବେଗରେ ଏହା ସ୍ଥଳଭାଗ ଆଡକୁ ମାଡି ଆସୁଛି। ଗୁରୁବାର ଭୋର ସାଢେ ପାଞ୍ଚରୁ ଆଠଟା ସମୟ ଭିତରେ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ ଓ ଓଡିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ।

ଏହି ସମୟରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୬୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗଂଜାମ, ଗଜପତି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ପାଣିପାଗ ବିଭାଗ ଜାରି କରିଛି।

ଏହାର ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ । ବିଶେଷ କରି ଗଞ୍ଜାମ ଓ ପୁରୀ ଜିଲ୍ଲାରେ ତିତଲିର ଅଧିକ ପ୍ରଭାବ ରହିବ। ବାତ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ରେଳ ବିଭାଗ ତରଫରୁ ଆସନ୍ତା ଅକ୍ଟୋବର 11 ଓ 12 ତାରିଖରେ ଭୁବନେଶ୍ଵର, ବ୍ରହ୍ମପୁର, କଟକ, ଖୋର୍ଦ୍ଧା ରୋଡ, ଢେଙ୍କାନାଳ ଓ ସମ୍ବଲପୁରରେ ହେବାକୁ ଥିବା ଗ୍ରୁପ-ଡି ପରୀକ୍ଷାକୁ ବାତିଲ କରାଯାଇଛି।

ତିତଲିର ଭୟାବହତାକୁ ଦୃଷ୍ଟିରେ ରଖି କିଛି ଟ୍ରେନ ଚଳାଚଳ ପୂର୍ବତଟ ରେଳବାଇ ବାତିଲ କରାଯାଇଛି । ଆଜି ରାତି ୧୦ଟାରୁ ଖୋର୍ଦ୍ଧାରୋଡ୍ ଓ ବିଜୟନଗରମ୍ ମଧ୍ୟରେ ଟ୍ରେନ୍ ଚଳାଚଳ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏପରିକି ପରବର୍ତ୍ତୀ ନିଷ୍ପତ୍ତି ନ ଆସିବା ଯାଏଁ ରେଳ ଚଳାଚଳକୁ ବନ୍ଦ କରାଯାଇଛି ।

ପାଣିପାଗ ବିଭାଗ ତରଫରୁ ବଡ଼ ଧରଣର ଝଡ଼ର ଆଶଙ୍କା ମଧ୍ୟ କରାଯାଉଛି । ଯାହା ଅନେକ କ୍ଷୟକ୍ଷତି କରାଇପାରେ । ପବନର ବେଗ ଅଧିକ ରହିବା ଯୋଗୁଁ ଗଛ ଉପୁଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗିବାର ଆଶଙ୍କା ରହିଛି । ଏହାସହ ପୁରୀ ଓ ଗଞ୍ଜାମରେ ବିଦ୍ୟୁତ କାଟ କରିବା ଆବଶ୍ୟକ ରହିଛି ବୋଲି ଶରତ ସାହୁ କହିଛନ୍ତି।

କଲେଜ ନିର୍ବାଚନ ସ୍ଥଗିତ

ଅନ୍ୟପଟେ ତିତଲି ପାଇଁ ୨ ଦିନ ଧରି ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । କଲେଜ ବନ୍ଦ ରହିବା ଯୋଗୁଁ ଛାତ୍ରସଂସଦ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ସସସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି ।

ଏପଟେ ତିତଲି ଯୋଗୁଁ ବଂଶଧାରା ଓ ଋଷିକୁଲ୍ୟାରେ ବନ୍ୟା ଆଶଙ୍କା ରହିଛି । ବନ୍ୟା ପରିସ୍ଥିତି ନେଇ ଜଳ ସଂପଦ ବିଭାଗ ନଜର ରଖିଛି । ଏସଡ଼ିଓ ଓ ଜୁନିୟର ଇଞ୍ଜିନୟରମାନଙ୍କୁ ସଜାଗ ରହିବା ପାଇଁ ନର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂପୁର ଏବଂ କେନ୍ଦ୍ରାପଡ଼ାରେ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ ଓ ଓଡ୍ରାଫ ଟିମ ପ୍ରସ୍ତୁତ ରହିଛନ୍ତି । ରାଜ୍ୟର ୬ଟି ଜିଲ୍ଳାକୁ ଏନଡିଆରଏଫ୍ ଟିମ୍ ଓ ୮ଟି ଓଡ୍ରାଫ୍ ଟିମ୍ ପଠାଯାଇଛି । ଏହାବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ୩୮ ଟି ଅଗ୍ନିଶମ ଟିମ ପହଞ୍ଚିଛନ୍ତି।

#weatherreport #titli

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon