• padmabati kund

କେବିସିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହକି ୱାର୍ଲ୍ଡକପ ପ୍ରଚାର


(ବେତାର ବ୍ୟୁରୋ) ଆସନ୍ତା ନଭେମ୍ବର ମାସରେ ଓଡିଶାରେ ପୁରୁଷ ହକି ବିଶ୍ଵକପ 2018 ହେବାକୁ ଯାଉଛି। ଏହାର ପ୍ରଚାର ପ୍ରସାର ବର୍ତ୍ତମାନ ଖୁବ ଜୋରରେ ଚାଲିଛି। ତେବେ ସୋନି ଟେଲିଭିଜନରେ  ପ୍ରସାରିତ ଲୋକପ୍ରିୟ କ୍ଵିଜ ଶୋ’ ‘କୌନ ବନେଗା କରୋଡ ପତି’ରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ପ୍ରଚାର କରିଛନ୍ତି।

ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଶୋ ‘କୌନ ବନେଗା କରୋଡ ପତି’ର କର୍ମବୀର ଅଧ୍ୟାୟରେ ଭାରତୀୟ ହକିଦଳକୁ ଦେଖିବାକୁ ମିଳିବ। ଏହି ଅଧ୍ୟାୟଟି ଶୁକ୍ରବାର (ଅକ୍ଟୋବର 12) ରାତି 9ଟାରେ ପ୍ରସାରିତ ହେବ। ଏଥିପାଇଁ ସୋନି ଟିଭି ତରଫରୁ ଏକ ପ୍ରମୋସନାଲ ଭିଡିଓ ଲଞ୍ଚ କରାଯାଇଛି। ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଉଥିବାର ଦେଖିବାକୁ ମିଳିଛି।

ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳକୁ ଦେଇଥିବା ବାର୍ତ୍ତାରେ କହିଛନ୍ତି, “ଓଡିଶାରେ ହକି ହେଉଛି ସବୁଠାରୁ ଲୋକପ୍ରିୟ ଖେଳ। ଏହା ଖାସ କରି ଆଦିବାସୀ ଅଞ୍ଚଳରେ ଅଧିକ ଲୋକପ୍ରିୟ। ଆପଣ ଦେଖିବାକୁ ପାଇବେ ଯେ, ଛୋଟପିଲାମାନେ ଚାଲିବା ଆରମ୍ଭ କରିବା ଦିନଠାରୁ ଏହି ଖେଳ ଖେଳିବା ଆରମ୍ଭ କରିଥାଆନ୍ତି। ଭାରତୀୟ ହକି ଦଳକୁ ଓଡିଶାରେ ସ୍ଵାଗତ କରିବାକୁ ଉତ୍ସୁକତାର ସହ ଚାହିଁ ରହିଛୁ ଓ ଭାରତ ଏହି ହକି ବିଶ୍ଵକପ 2018 ଜିତିବ ବୋଲି ଆଶା କରୁଛୁ।“

ଭାରତୀୟ ହକି ଦଳର କ୍ୟାପଟେନ ମନପ୍ରିତ ସିଂ ଓ ଦଳର ଅନ୍ୟ ସାଥୀ ଖେଳାଳୀଙ୍କୁ ‘କୌନ ବନେଗା କରୋଡ ପତି’ର ଏକ ଅଧ୍ୟାୟରେ ଦେଖିବାକୁ ମିଳିବ। ଅମିତାଭ ବଚ୍ଚନ ମଧ୍ୟ ଏହି ଅଧ୍ୟାୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ନିଜ ଟ୍ଵିଟର ଆକାଉଣ୍ଟରେ ଖେଳାଳୀଙ୍କ ସହ ଏକ ଫଟୋ ଶେୟାର କରି ସେ ଲେଖିଛନ୍ତି, “କୌନ ବନେଗା କରୋଡ ପତି’ର କର୍ମବୀର ଅଧ୍ୟାୟରେ ଭାରତୀୟ ହକି ଦଳକୁ ସ୍ଵାଗତ କରୁଛି। ଦେଶ ପାଇଁ ସେମାନଙ୍କ ପ୍ରୟାସ ଅତୁଳନୀୟ ଅଟେ। ଯେତେବେଳେ ଦେଶର କୌଣସି ଖେଳାଳୀଙ୍କୁ ସମ୍ମାନିତ କରୁ ସେତେବେଳେ ଦେଶକୁ ସମ୍ମାନିତ କରୁ। ଏମାନେ ହେଉଛନ୍ତି ଦେଶର ଗୌରବ। “

ତେବେ ଓଡିଶାର ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ନଭେମ୍ବର 28 ତାରିଖରୁ ଡିସେମ୍ବର 16  ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ୱାର୍ଲ୍ଡକପ 2018 ଅନୁଷ୍ଠିତ ହେବ। ଏଥିରେ ମୋଟ 16ଟି ଦେଶ ଭାଗ ନେବେ। ଲିଗ ମ୍ୟାଚରେ ସମସ୍ତ ଦଳ ତିନୋଟି ଲେଖାଏଁ ମ୍ୟାଚ ଖେଳିବେ।

ଏହି ଟୁର୍ଣ୍ଣାମେଣ୍ଟରେ ଟାଇଟିଲ ସଙ୍ଗୀତକୁ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରେହମାନ ଓ ଗୀତିକାର ଗୁଲଜାର ରଚନା କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହାସହିତ ଏ.ଆର ରେହମାନ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ସଙ୍ଗୀତ ପରିବେଷଣ କରିବେ। ହକି ଖେଳକୁ ନେଇ ବଲିଉଡରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଚକଦେ ଇଣ୍ଡିଆ’ରେ କୋଚ ଭୂମିକାରେ ଅଭିନୟ କରିଥିବା ଅଭିନେତା ଶାହରୁଖ ଖାନ ମଧ୍ୟ ଉଦଘାଟନୀ ଉତ୍ସବରେ ଯୋଗ ଦେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

#hockeyworldcup #naveenpattanayak #kbc

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon