• padmabati kund

ବଲିଉଡ ରିଲିଜ : କାଜଲଙ୍କ ‘ହେଲିକପ୍ଟର ଈଲା’, ଗୋବିନ୍ଦାଙ୍କ ‘ଫ୍ରାଏଡେ’ ସହିତ ଆସିଲା 'ଜଲେବି'


(ବେତାର ବ୍ୟୁରୋ) ଶୁକ୍ରବାର ରିଲିଜ ହୋଇଯାଇଛି ବଲିଉଡର ଦୁଇଟି ଭିନ୍ନ ସ୍ଵାଦର ଫିଲ୍ମ। ଗୋଟିଏ ପଟେ ରହିଛି କାଜୋଲଙ୍କ ଅଭିନୀତ ଫ୍ୟାମିଲି ଡ୍ରାମା ଓ କମେଡିରେ ଭରପୁର ଫିଲ୍ମ ‘ହେଲିକପ୍ଟର ଈଲା’ ଏବଂ ଅନ୍ୟପଟେ ରିଲିଜ ହୋଇଛି ସୁପରଷ୍ଟାର ଗୋବିନ୍ଦାଙ୍କ କମେଡି ଫିଲ୍ମ ‘ଫ୍ରାଏଡେ’।

ଫ୍ରାଏଡେ

ଫିଲ୍ମର କାହାଣୀ ଆରମ୍ଭ ହୋଇଛି ସେଲ୍ସମ୍ୟାନ ରାଜୀବ ଛାବଡା( ବରୁଣ ଶର୍ମା)ଙ୍କ ଠାରୁ। ସେ ବିଚରା କେବେବି କୌଣସି କାମରେ ସଫଳ ହୋଇପାରୁନାହିଁ। ବହୁ ସମୟ ଧରି ଏକ ୱାଟର ପ୍ୟୁରୀଫାୟାର ବିକ୍ରି କରିପାରୁନାହିଁ ଯାହା ଫଳରେ ତାକୁ ଚାକିରୀ ହରାଇବାକୁ ପଡୁଛି। ଚାକିରୀ ସହିତ ତା ଗାର୍ଲଫ୍ରେଣ୍ଡ ମଧ୍ୟ କମ୍ପାନୀର ସବୁଠୁ ସଫଳ ସେଲ୍ସମ୍ୟାନ ସହିତ ଚାଲିଯାଉଛି।

ଏପରି ଭାବରେ ନିରାଶ ହେବା ପରେ ରାଜୀବ ଜଣାଶୁଣା ଷ୍ଟେଜ ଅଭିନେତା ଗଗନ(ଗୋବିନ୍ଦା)ର ସମାଜସେବୀ ପତ୍ନୀ ବେଲା(ପ୍ରଭଲିନ ସନ୍ଧୁ)କୁ ଭଉଣୀ କରି ତାପାଖକୁ ୱାଟରପ୍ୟୁରୀଫାୟାର ବିକିବାକୁ ଯାଉଛି। ସେଠାକୁ ଗଲାପରେ ସେ ଜାଣିବାକୁ ପାଉଛି ଯେ, ପୋଲିସ ଅଫିସର ରାଜେଶ ଖେଡାର ପତ୍ନୀ ବିନ୍ଦୁ(ଦିଗାଙ୍ଗନା ସୂର୍ଯ୍ୟବଂଶୀ)ସହ ଗଗନର ସମ୍ପର୍କ ରହିଛି। ରାଜୀବ ଆଗରୁ ଏକ ଚୋର ମଧ୍ୟ ଗଗନର ପରକୀୟା ପ୍ରୀତି ସମ୍ପର୍କ ବିଷୟରେ ଜାଣି ଗଗନକୁ ବ୍ଲାକମେଲ କରି ତା ଘରେ ରହୁଛି। ରାଜୀବ ସେଠାରେ ପହଞ୍ଚିବା ପରେ ଅନେକ ଦ୍ଵନ୍ଦ୍ଵ ଉପୁଜିଛି। ଏପରି ଅନେକ ଦ୍ଵନ୍ଦ୍ଵ ମଧ୍ୟରେ ଫିଲ୍ମର କାହାଣୀ ଆଗକୁ ଆଗେଇଛି।

ଫିଲ୍ମରେ ଗୋବିନ୍ଦା ଓ ବରୁଣ ଶର୍ମାଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ କରିଥିବା ବେଳେ କାହାଣୀକୁ ଦର୍ଶକମାନେ ସେତେଟା ପସନ୍ଦ କରିନାହାନ୍ତି। ନିଜର ପ୍ରଥମ ଫିଲ୍ମ ଭାବେ ଡେବ୍ୟୁ କରିଥିବା ଦିଗାଙ୍ଗନା ସୂର୍ଯ୍ୟବଂଶୀ ମଧ୍ୟ ଭଲ ଅଭିନୟ କରିଛନ୍ତି। ଫିଲ୍ମର ଗୀତ ମଧ୍ୟ ଦର୍ଶକମାନଙ୍କୁ ବାନ୍ଧି ପାରିବ ନାହିଁ।

ହେଲିକପ୍ଟର ଈଲା

ଫିଲ୍ମର କାହାଣୀ ସିଙ୍ଗଲ ମଦର ଈଲା(କାଜୋଲ) ଓ ତାଙ୍କ ପୁଅ ବିବାନ(ରିଦ୍ଧିସେନ)ଙ୍କୁ ନେଇ ତିଆରି ହୋଇଛି। ଈଲା ନିଜ ପୁଅର ଭଲ ଭାବରେ ଭରଣପୋଷଣ କରିବା ପାଇଁ ନିଜର ଗାୟିକା ହେବାର ସ୍ଵପ୍ନକୁ ଅଧାରୁ ଛାଡିଦେଇଛନ୍ତି। ଯେଉଁ ସମୟରେ ଈଲା ସଫଳତାର ଖୁବ ପାଖରେ ଥାଏ ସେ ସମୟରେ କ୍ୟାରିୟର ଆରମ୍ଭ କରିବା ଆଗରୁ ବିବାହ କରି ଘର ସଂସାର କରିବାକୁ ଚିନ୍ତା କରିଛନ୍ତି। ବୟଫ୍ରେଣ୍ଡ ଅରୁଣ(ତୋତା ରାମ ଚୌଧୁରୀ) ସହ ବିବାହ କରିବା ପରେ ସେ ଗାୟିକା ହେବାର ସ୍ଵପ୍ନକୁ ପୁରା କରିବାରେ ଲାଗିଯାଇଛନ୍ତି।

କିନ୍ତୁ ଏହାମଧ୍ୟରେ ଈଲା ମା’ ହୋଇଯାଇଛନ୍ତି ଓ ପରିସ୍ଥିତି ଏପରି ହୋଇଛି ଯେ ଅରୁଣ ହଠାତ ତାଙ୍କୁ ଛାଡି କୁଆଡେ ପଳାଇଯାଇଛନ୍ତି। ଏହାପରେ ଈଲା ନିଜର ସବୁ ସ୍ଵପ୍ନକୁ ଭୁଲି ବିବାନକୁ ବଡ କରିବାରେ ଲାଗିଯାଇଛନ୍ତି। ସେ ସବୁବେଳେ ବିବାନ ସହ ରହିବାକୁ ଚାହୁଁଛନ୍ତି। କିନ୍ତୁ ବିବାନ ଏସବୁ ପସନ୍ଦ କରୁନାହିଁ। କାହାଣୀରେ ନୂଆମୋଦ ସେତେବେଳେ ଆସେ ଯେତେବେଳେ ଈଲା ନିଜ ପୁଅ ସହ ଅଧିକ ସମୟ ରହିବା ଚକ୍କରରେ ନିଜ ପାଠପଢା ପୁରା କରିବାର ନିଷ୍ପତ୍ତି ନେଇଛନ୍ତି ଓ ବିବାନର କଲେଜରେ ହିଁ ଆଡମିଶନ ନେଇଛନ୍ତି।

ଅନ୍ୟ ସମସ୍ତ ଫିଲ୍ମ ପରି କଜୋଲ ଏଥିରେ ମଧ୍ୟ ଖୁବ ଚମତ୍କାର ଅଭିନୟ କରିଛନ୍ତି ଓ ରିଦ୍ଧି ସେନ ମଧ୍ୟ ଭଲ ଅଭିନୟ କରିଛନ୍ତି। ଉଭୟଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଦୀପ ସରକାର। ଫିଲ୍ମର ଏକ ଗୀତ “ୟାଦୋ କି ଆଲମାରୀ” ଦର୍ଶକଙ୍କ ମନରେ ଘର କରିପାରିଛି।

ଜଲେବି

ମହେଶ ଭଟ୍ଟଙ୍କ ପ୍ରଡ଼କ୍ସନ ହାଉସରେ ନିର୍ମିତ ଫିଲ୍ମ “ଜଲେବି :ଦ ଏଭରଲାଷ୍ଟିଙ୍ଗ ଟେଷ୍ଟ ଅଫ ଲଭ” ମଧ୍ୟ ରିଲିଜ ହୋଇଯାଇଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବରୁଣ ମିତ୍ରା ଓ ରିୟା ଚକ୍ରବର୍ତ୍ତୀ।

‘ଜଲେବି’ ଫିଲ୍ମର କାହାଣୀ ହେଉଛି ମୁମ୍ବାଇରେ ରହୁଥିବା ରିୟା ଚକ୍ରବର୍ତ୍ତୀଙ୍କର, ଯିଏକି ମୁମ୍ବାଇରୁ ଦିଲ୍ଲୀ ବୁଲିବାକୁ ଆସିଛନ୍ତି ଓ ଗାଇଡ ବରୁଣ ମିତ୍ରାଙ୍କୁ ଭଲପାଇ ଯାଇଛନ୍ତି। ସ୍ୱଭାବରେ ଟିକେ ନଟଖଟ ଥିବା ରିୟା ବରୁଣଙ୍କୁ ବିବାହ କରିବା ପରେ ଶାଶୁ ଘରକୁ ଲେହେଙ୍ଗା କିମ୍ବା ଶାଢ଼ୀ ପିନ୍ଧି ନଆସି, ଟପ ଓ ପାଇଜାମାପିନ୍ଧି ଆସିଛନ୍ତି। ଗୃହପ୍ରବେଶ ପାଇଁ ରଖାଯାଇଥିବା ଚାଉଳ ଭରା କଳସକୁ ଫୁଟବଲ ପରି ଗୋଇଠା ମାରିଛନ୍ତି। ତେବେ ସମୟ ବଢିବା ସହିତ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଛି ଓ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଛନ୍ତି।

‘ଜଲେବି’ର ନିର୍ଦ୍ଦେଶନା ଦେଇଛନ୍ତି ପୁଷ୍ପଦୀପ ଭରଦ୍ଵାଜ। ରିୟା ଚକ୍ରବର୍ତ୍ତୀ ଓ ବରୁଣ ମିତ୍ରାଙ୍କ ବ୍ୟତୀତ ଦିଗାଙ୍ଗନା ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିଛି।ରିୟା ଓ ବରୁଣଙ୍କ ଅଭିନୟକୁ ଦର୍ଶକମାନେ ପସନ୍ଦ କରିଛନ୍ତି।

#entertainment #bollywood #fryday #helicoptereela

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon