- ବେତାର ବ୍ୟୁରୋ
ପାରିବାରିକ କଳହ ଦୂର ପାଇଁ ତୁଳସୀ ଗଛର ଉପାଦେୟତା

(ବେତାର ବ୍ୟୁରୋ) ଶାସ୍ତ୍ରରେ ତୁଳସୀ ଗଛକୁ ଲକ୍ଷ୍ମୀଦେବୀଙ୍କ ଅବତାର ଓ ଭଗବାନ ବିଷ୍ଣୁଙ୍କର ପ୍ରିୟ ବୋଲି କୁହାଯାଇଛି। ଏଥିପାଇଁ ହିନ୍ଦୁ ଧର୍ମରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଓ ବିଶେଷ କରି ବିଷ୍ଣୁଙ୍କ ପୂଜା ପାଇଁ ତୁଳସୀର ପ୍ରୟୋଗ କରାଯାଇଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ଘରର ଅଗଣାରେ ତୁଳସୀ ଗଛକୁ ପୂଜା କରିଥାଆନ୍ତି। କୁହାଯାଏ ଯେଉଁ ଘରେ ପ୍ରତିଦିନ ତୁଳସୀ ଗଛକୁ ପୂଜା କରାଯାଏ, ସେହି ଘରେ ମାତା ଲକ୍ଷ୍ମୀ ଅବସ୍ଥାନ କରିଥାଆନ୍ତି। ସେଠାରେ ସବୁବେଳେ ସୁଖଶାନ୍ତି ବିରାଜମାନ କରିଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ତୁଳସୀ ଗଛର ବିଶେଷ ମହତ୍ତ୍ଵ ରହିଛି। ଘରର ସଠିକ ସ୍ଥାନରେ ତୁଳସୀ ଗଛ ଲଗାଇବା ଦ୍ଵାରା ଘର ମଧ୍ୟରେ ସକାରାତ୍ମକ ଶକ୍ତି ରହିଥାଏ।
୧. ବାସ୍ତୁଶାସ୍ତ୍ରରେ ଉତ୍ତର ଓ ପୂର୍ବ ଦିଗକୁ ଅତ୍ୟନ୍ତ ଶୁଭ ଦିଗ ବୋଲି ବିବେଚନା କରାଯାଏ। ତେଣୁ ଘର ଉତ୍ତର ଓ ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ଉଚିତ, ଏହାଦ୍ୱାରା ଶୁଭଫଳ ମିଳିଥାଏ।
୨.ତୁଳସୀ ଗଛରେ ଔଷଧୀୟ ଗୁଣ ରହିଥାଏ ଓ ଏହା ସହିତ ଏହାକୁ ଦେବତାଙ୍କ ଅବତାର ବୋଲି କୁହାଯାଏ। ଏହି ଗଛକୁ ଘରେ ଲଗାଇବା ଦ୍ଵାରା ଘର ମଧ୍ୟରେ ସକରାତ୍ମକ ଶକ୍ତି ସବୁବେଳେ ବିରାଜମାନ କରିଥାଏ।
୩. ଯଦି ଘର ଉପରେ କୌଣସି ବିପତ୍ତିର ଆଶଙ୍କା ରହିଥାଏ ତେବେ ସେହି ଘରେ ଲଗାଯାଇଥିବା ତୁଳସୀ ଗଛ ଶୁଖିଯାଇଥାଏ। ଅନେକ ଦେଖାଶୁଣା କରିବା ପରେ ନୂତନ ଗଛ ସୃଷ୍ଟି ହୋଇନଥାଏ ଓ ଗଛର ପତ୍ର ଝଡିଯାଇଥାଏ। ସେହି ସମୟରେ ସମସ୍ତ କାର୍ଯ୍ୟ ଧ୍ୟାନର ସହିତ କରନ୍ତୁ ଓ ନିଜର ଆଚାର ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ।

୪. ଯଦି ଘରେ ପୂଜା କରାଯାଉଥିବା ତୁଳସୀ ଗଛ ଶୁଖିଯାଏ ତେବେ ଏହାକୁ ପାଖରେ ଥିବା ନଦୀ କିମ୍ବା କୁଅରେ ପକାଇ ଦିଅନ୍ତୁ। ଯଦି ପାଖରେ କୌଣସି କୂଅ ବା ନଦୀ ନଥାଏ ତେବେ ଗଛଟିକୁ ଲଗାଯାଇଥିବା କୁଣ୍ଡରେ ପୋତି ଦିଅନ୍ତୁ।
୫. ଯଦି ପରିବାରର ସଦସ୍ୟଙ୍କ ମଧ୍ୟରେ ସବୁବେଳେ କଳିଝଗଡା ଲାଗି ରହୁଥାଏ ତେବେ ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛର କୁଣ୍ଡକୁ ରୋଷେଇ ଘର ପାଖରେ ଲଗାନ୍ତୁ। ଏହାଦ୍ୱାରା ପରିବାର ମଧ୍ୟରେ ଲାଗିରହିଥିବା ଝଗଡା ଦୂର ହେବ।
୬.ପରିବାରର କୌଣସି ସଦସ୍ୟ ଯଦି ଭୁଲ ରାସ୍ତାରେ ଚାଲୁ ଥାଆନ୍ତି ବା ଖରାପ କାମ କରୁଥାଆନ୍ତି ତେବେ ଯେକୌଣସି ବାହାନାରେ ତାଙ୍କୁ ପ୍ରତିଦିନ ତିନୋଟି ତୁଳସୀ ପତ୍ର ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ସୁଫଳ ମିଳିବ।
(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )