• padmabati kund

ଦୁର୍ଗାପୂଜାରେ ଅନୁଭବ,ବାବୁଶାନଙ୍କ ଫିଲ୍ମ ପାଇଁ ଘୁଞ୍ଚିଲା ଏହି ଚାରି ଓଲିଉଡ ରିଲିଜ


(ବେତାର ବ୍ୟୁରୋ) ଦଶହରା ବଜାରରେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ମଙ୍ଗଳବାର ରିଲିଜ ହୋଇଛି ତରଙ୍ଗ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଦୁଇଟି ଫିଲ୍ମ। ଗୋଟିଏ ପଟେ ରହିଛି ଓଲିଉଡର ଚକୋଲେଟ ଷ୍ଟାର ବାବୁସାନ ଓ ଭୂମିକାଙ୍କ ଅଭିନୀତ ‘ଶ୍ରୀମାନ ସୁରଦାସ’ ଏବଂ ଅନ୍ୟପଟେ ରହିଛି ସୁପରଷ୍ଟାର ଅନୁଭବ ଓ ଶିବାନୀଙ୍କ ଅଭିନୀତ ‘ପ୍ରେମ କୁମାର’।

ଦୁଇଟି ଫିଲ୍ମ ଗୋଟିଏ ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିବାରୁ ଉଭୟ ଫିଲ୍ମ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ ପ୍ରତିଯୋଗୀତା ରହିବ ବୋଲି ଆଶା କରାଯାଉଛି। ତେବେ ପୂର୍ବରୁ ଆହୁରି ଚାରିଟି ଫିଲ୍ମ ଦଶହରାରେ ରିଲିଜ ହେବାର ଯୋଜନା କରାଯାଇଥିଲେ ମଧ୍ୟ ଦଶହରା ବଜାରରେ ଏହି ଦୁଇ ଷ୍ଟାରଙ୍କ ଫିଲ୍ମ ସହ କଡା ପ୍ରତିଯୋଗୀତା ହେବ ବୋଲି ଆଶା କରି ‘ପାଟଣାଗଡ’, ‘ଚାମ୍ପିୟନ’, ‘ଦେବଦାସ’ ଓ ‘ନିମକି’ର ରିଲିଜ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେବେ ଏହି ଫିଲ୍ମ ନୂଆବର୍ଷ ଉପଲକ୍ଷେ କି ତା ଆଗରୁ ରିଲିଜ ହେବ ସେ ବିଷୟରେ କୌଣସି ସୂଚନା ମିଳିନାହିଁ।

ଶ୍ରୀମାନ ସୁରଦାସ

ଓଲିଉଡର ଷ୍ଟାଇଲିଶ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶ୍ରୀମାନ ସୁରଦାସ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବାବୁସାନ ଓ ଭୂମିକା। ଏହାବ୍ୟତୀତ ବୁଦ୍ଧଦିତ୍ୟ ମହାନ୍ତି, ବବି ମିଶ୍ର, ଅଶ୍ରୁମୋଚନ, ମିହିର ଦାସ ଓ ଅପରାଜିତା ମହାନ୍ତି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ବାବୁସାନ ଏହି ଫିଲ୍ମରେ ଜଣେ ଅନ୍ଧ ଭୂମିକାରେ ଅଭିନୟ କରିଛନ୍ତି। ବାବୁସାନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଭୂମିକା ଦାସ। ଏହି ଯୋଡିଙ୍କୁ ପୂର୍ବରୁ ‘ହିରୋ ନମ୍ବର 1’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଦର୍ଶକମାନେ ଏହି ଯୋଡିକୁ ପସନ୍ଦ ମଧ୍ୟ କରିଥିଲେ। ଫିଲ୍ମରେ ନିଜ ଚରିତ୍ରକୁ ନେଇ ବାବୁସାନ କହିଛନ୍ତି, “ତରଙ୍ଗ ସିନେ ପ୍ରଡ଼କ୍ସନର ଏହି ବଡ ବଜେଟ ଫିଲ୍ମକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି। ଏହା ମୋ ପାଇଁ ଏକ ନୂଆ ଚ୍ୟାଲେଞ୍ଜ, କାରଣ ପୂର୍ବରୁ ମୁଁ ଏପରି ଚରିତ୍ରରେ ଅଭିନୟ କରିନାହିଁ।“

ମିହିର ଦାସଙ୍କୁ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି। ଦୁଇବର୍ଷର ବ୍ୟବଧାନ ପରେ ବୁଦ୍ଧଦିତ୍ୟ ମହାନ୍ତିଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ ଓ ସେ ଜଣେ ନୃତ୍ୟ ଶିକ୍ଷକ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ସବୁଥର ପରି ଏଥର ମଧ୍ୟ ଅଭିଜିତ ମଜୁମଦାରଙ୍କ ଗୀତ ଦର୍ଶକଙ୍କ ମନକୁ ଛୁଇଁ ପାରିଛି ଓ ସଂଳାପ ରଚନା କରିଛନ୍ତି ରଣଜିତ ପଟ୍ଟନାୟକ।

ପ୍ରେମକୁମାର

ଆକ୍ସନ ଓ ଏଣ୍ଟରଟେନମେଣ୍ଟରେ ଭରପୁର ଫିଲ୍ମ ‘ପ୍ରେମକୁମାର’ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ରିଲିଜ ହୋଇଯାଇଛି। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି। ଅନୁଭବଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ଦୁଇ ନାୟିକା ଶିବାନୀ ଓ ତମନା। ଏହାବ୍ୟତୀତ କୁନା ତ୍ରିପାଠୀ ଓ ସୁରେଶ ମିଶ୍ର ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଅନୁଭବ ମହାନ୍ତି ଏହି ଫିଲ୍ମରେ ଜଣେ ସେଲ୍ସମ୍ୟାନ ଭୂମିକାରେ ଅଭିନୟ କରିଛନ୍ତି।

ପୂର୍ବରୁ ଏହି ଫିଲ୍ମ ଚଳିତ ବର୍ଷ ରଜରେ ରିଲିଜ ହେବାର ଥିଲା। ମାତ୍ର ଏପ୍ରିଲ ମାସରେ ଫିଲ୍ମର ଏକ ଆକ୍ସନ ଦୃଶ୍ୟର ସୁଟିଙ୍ଗ ସମୟରେ ଅନୁଭବ 30ଫୁଟ ଉଚ୍ଚ ସ୍ଥାନରୁ ତଳକୁ ଖସିପଡିଥିଲେ। ଏଥିପାଇଁ ଏହାର ସୁଟିଙ୍ଗ ରଜ ସୁଦ୍ଧା ଶେଷ ହୋଇପାରିନଥିଲା। ଗତ ସେପ୍ଟେମ୍ବର ମାସରେ କାଶ୍ମୀରରେ ଫିଲ୍ମର ସୁଟିଙ୍ଗରୁ ଫେରୁଥିବା ବେଳେ ଅନୁଭବଙ୍କ ଆତଙ୍କବାଦୀ ଆକ୍ରମଣ ମଧ୍ୟ ହୋଇଥିଲା ଓ ସେ ସେଠାରୁ ସୁରକ୍ଷିତ ଫେରିଥିଲେ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ ଓ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଫିଲ୍ମରେ ହ୍ୟୁମାନ ସାଗର ଓ ଅନନ୍ୟା ନନ୍ଦ ଗାଇଥିବା ରୋମାଣ୍ଟିକ ଗୀତ ‘ସୁନଜରା ସୁନଜରା’କୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି।

#ollywood #pujarelease #Anubhab

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon