• padmabati kund

ଇନକମ ଟାକ୍ସ ନିୟମିତ ଭରୁଛନ୍ତି? ଟୋଲଗେଟ, ଷ୍ଟେସନରେ ପାଇପାରିବେ ଭିଆଇପି ସୁବିଧା


(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ଖୁବ କମ ଲୋକ ସଚ୍ଚୋଟ ଭାବରେ ସରକାରଙ୍କୁ ନିଜର ଟ୍ୟାକ୍ସ ପଇଠ କରୁଛନ୍ତି। ତେବେ ଯେଉଁମାନେ ସଚ୍ଚୋଟ ଭାବରେ ନିଜର ଟ୍ୟାକ୍ସ ଠିକ ସମୟରେ ସରକାରଙ୍କ ପାଖରେ ପଇଠ କରୁଛନ୍ତି ସେମାନଙ୍କ ସେମାନଙ୍କ ପାଇଁ ସରକାର ତରଫରୁ ବିଶେଷ ସୁବିଧା ଯୋଗାଇ ଦେବାର ଯୋଜନା କରାଯାଉଛି।

ଏହି କ୍ରମରେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ତରଫରୁ ଏକ ନୂଆ ନୀତି ପ୍ରଣୟନ କରିବାକୁ ଯୋଜନା କରାଯାଉଛି। ଏହି ଯୋଜନାରେ ସଠିକ ସମୟରେ ଟ୍ୟାକ୍ସ ପଇଠ କରୁଥିବା ବ୍ୟକ୍ତିଙ୍କୁ ଏୟାରପୋର୍ଟ,ରେଲୱେ ଷ୍ଟେସନ, ହାଇୱେ ଟୋଲଗେଟ ଓ ପାସପୋର୍ଟ ତିଆରି ଆଦି ସରକାରୀ ସେବା କ୍ଷେତ୍ରରେ ପ୍ରାଥମିକତା ଦିଆଯିବ।

ଖବର ଏଜେନ୍ସି ପିଟିଆଇରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଅଧୀନରେ ଏକ ସମିତି ଗଠନ କରାଯାଇଛି। ଏହି ସମିତି ସଠିକ ସମୟରେ କର ପଇଠ କରିଥିବା କରଦାତାଙ୍କ ପାଇଁ ପ୍ରୋତ୍ସାହନ ଓ ସୁବିଧାର ମାନଦଣ୍ଡ ନିର୍ଦ୍ଧାରଣ କରୁଛନ୍ତି। ଅର୍ଥ ମନ୍ତ୍ରଣାଳୟ ତରଫରୁ ଏହି ଯୋଜନାର ସମୀକ୍ଷା କରାଯିବା ପରେ ଏହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯିବ। ଏହାପରେ ଏହି ଯୋଜନାକୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ମଞ୍ଜୁରୀ ପ୍ରଦାନ କରାଯିବ।

ଏପରି ହେବ ପରିଚୟ

ଏହି ଯୋଜନାରେ ସଚ୍ଚୋଟ କରଦାତାମାନଙ୍କୁ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ତରଫରୁ ଏକ ସ୍ଵତନ୍ତ୍ର ପରିଚୟପତ୍ର ଦିଆଯିବ ଅଥବା ସେମାନଙ୍କର ପ୍ୟାନ କାର୍ଡକୁ ବିଶେଷ ସେବାଗୁଡିକ ସହିତ ସଂଯୋଗ କରାଯିବ। ଯାହା ଫଳରେ ସେମାନଙ୍କୁ ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଦିଆଯାଉଥିବା ସ୍ଥାନ ଯଥା ରେଲୱେ ଷ୍ଟେସନ, ଏୟାରପୋର୍ଟ ଓ ହାଇୱେ ଟୋଲଗେଟରେ ପ୍ରାଥମିକତା ଦିଆଯିବ।

ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ କର ଅଧିକାରୀଙ୍କ ସହିତ ହୋଇଥିବା ଏକ ବୈଠକରେ ବିଭାଗରୁ କରଦାତାଙ୍କ ସେବା ବଢାଇବା ଓ ଏହାକୁ ସୁନିଶ୍ଚିନ୍ତ କରିବାକୁ କହିଥିଲେ। ଏହାସହିତ ସଚ୍ଚୋଟ ଭାବରେ କର ପଇଠ କରୁଥିବା କରଦାତାକୁ ଗୁରୁତ୍ଵ ଦିଆଯାଉ ବୋଲି ମଧ୍ୟ କହିଥିଲେ।

ଏହି ପ୍ରସ୍ତାବରେ ଯେଉଁ କରଦାତାମାନେ ଲଗାତର ଭାବରେ ଠିକ ସମୟରେ କର ପଇଠ କରୁଛନ୍ତି ସେମାନଙ୍କୁ ବଡ ସରକାରୀ ଅଧିକାରୀଙ୍କ ଦ୍ଵାରା ସର୍ବସାଧାରଣରେ ସମ୍ମାନିତ କରାଯିବାର ମଧ୍ୟ ଯୋଜନା ରହିଛି।

କିଛି ଘଣ୍ଟାରେ ହୋଇଯିବ ରିଫଣ୍ଡ

ଏହାବ୍ୟତୀତ ବାଙ୍ଗାଲୋରରେ ବିଭାଗର କେନ୍ଦ୍ରୀୟ ପ୍ରସଂସ୍କରଣ କେନ୍ଦ୍ର (ସିପିସି)ର କ୍ଷମତା ବୃଦ୍ଧି କରିବା ପାଇଁ ଏକ କ୍ୟାବିନେଟ ଚିଠା ପ୍ରସ୍ତୁତ କରାଯାଇ ପଠାଯାଇଛି ବୋଲି ଆୟକର ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ସିପିସିର କ୍ଷମତା ବୃଦ୍ଧି ହେବା ପରେ କରଦାତାମାନଙ୍କୁ ତୁରନ୍ତ ରିଫଣ୍ଡ କରାଯାଇପାରିବ ଓ ଛୋଟ କରଦାତାଙ୍କ ରିଟର୍ନସକୁ କିଛି ଘଣ୍ଟା ମଧ୍ୟରେ ଯାଞ୍ଚ କରାଯାଇ ପାରିବ।

ପୂର୍ବରୁ କୌଣସି କରଦାତା ଅଧିକ କର ଜମା କରିଦେଇଥିଲେ ତାଙ୍କୁ ଟଙ୍କା ଫେରସ୍ତ ପାଇଁ ଏକ ସପ୍ତାହରୁ ଏକ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। ଏବେର ଏହି ନିଷ୍ପତ୍ତି ଲାଗୁହେଲେ ରିଫଣ୍ଡ ଶୀଘ୍ର ପାଇବା ନେଇ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

#incometax #incometaxreturns #airport #railways #personalfinance

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon