- padmabati kund
ଏବେଠୁ ଡିଜିଟାଲ ପେମେଣ୍ଟରେ ଭରନ୍ତୁ ଟ୍ରାଫିକ ଜରିମାନା

(ବେତାର ବ୍ୟୁରୋ) ରାସ୍ତାରେ ଗଲାବେଳେ ହେଲମେଟ ନ ପିନ୍ଧିଲେ ବା ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ, ଗାଡିର RC ବୁକ ଇତ୍ୟାଦି ଜରୁରୀ କାଗଜପତ୍ର ନ ରଖିଲେ ଟ୍ରାଫିକ ପୋଲିସ ଜରିମାନା ଚାଲାଣ କାଟି ଚାଳକଙ୍କ ଠାରୁ ଅର୍ଥ ଆଦାୟ କରିଥାନ୍ତି । ତେବେ ଅନେକ ସମୟରେ କିଛି ଚାଳକ 'ପାଖରେ ପଇସା ନାହିଁ, ଏଟିମରୁ ଉଠାଇ ଆଣୁଛୁ' କହି ଖସି ମଧ୍ୟ ଯାଇଥାନ୍ତି। ଏବେ ଆଉ ସେଭଳି ହେବାର ବାଟ ବନ୍ଦ ହେଇଯାଇଛି ।
କାରଣ ଓଡିଶା ପରିବହନ ବିଭାଗ ତରଫରୁ ସମଗ୍ର ରାଜ୍ୟରେ ନଭେମ୍ବର 1 ତାରିଖରୁ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ଫଳରେ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନେ ନିଜର କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡ ମାଧ୍ୟମରେ ଜରିମାନା ପଇଠ କରିପାରିବେ।
ବର୍ତ୍ତମାନ ସମୟରେ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଜରିମାନା ଆଦାୟ କରିବା ପରେ ହାତରେ ଲେଖାଯାଇଥିବା ରସିଦ ପ୍ରଦାନ କରାଯାଉଛି। ଇ-ଚାଲାଣ ବ୍ୟବସ୍ଥା ଲାଗୁ ହେବାପରେ ଯାନବାହାନ ସମ୍ବନ୍ଧୀୟ କର ତଥା ଜରିମାନା ଗୁଡିକୁ କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ମାଧ୍ୟମରେ ଆଦାୟ କରିବା ପାଇଁ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।
ନିୟମ ଉଲ୍ଲଂଘନକାରୀ ଚିହ୍ନଟ
ଏହି ଇ-ଚାଲାଣ କାଟିବା ପାଇଁ ବ୍ୟବହାର ହେବାକୁ ଥିବା ଉପକରଣ ସାହାଯ୍ୟରେ ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରାଯାଇପାରିବ। ରାଜ୍ୟ ପରିବହନ କମିଶନର ସଂଜୀବ ପଣ୍ଡା କହିଛନ୍ତି ଯେ, ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିଷୟରେ ଅଧିକାରୀମାନେ ସହଜରେ ଜାଣି ପାରିବେ। ଯଦି କୌଣସି ବ୍ୟକ୍ତି ଥରେ ନିୟମ ଉଲ୍ଲଂଘନ ପାଇଁ ଦଣ୍ଡିତ ହୋଇଥିବେ ଓ ଜରିମାନା ଦେଇଥିବେ ତେବେ ଉକ୍ତ ବ୍ୟକ୍ତିଙ୍କର ସମସ୍ତ ତଥ୍ୟ ଏହି ଉପକରଣରେ ସଂରକ୍ଷିତ ହୋଇ ରହିଯିବ। ବାରମ୍ବାର ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କଠାରୁ ଅଧିକ ଜରିମାନା ଆଦାୟ କରାଯିବ।
ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ ସଂଜୀବ ପଣ୍ଡା କହିଛନ୍ତି, “ଅନଲାଇନରେ ଯାନବାହାନ ସମ୍ବନ୍ଧୀୟ ରାଜସ୍ୱ ଆଦାୟ କରିବା ପାଇଁ HDFC ବ୍ୟାଙ୍କ ସହିତ ଚୁକ୍ତି ସ୍ଵାକ୍ଷର କରାଯାଇଛି। ବର୍ତ୍ତମାନ ରାଜ୍ୟବାସୀ ଯାନବାହାନ ସମ୍ବନ୍ଧୀୟ ସମସ୍ତ ଟ୍ୟାକ୍ସ ଓ ଫି’ ରାଜ୍ୟ ପରିବହନ ଅଧିକାରୀଙ୍କ ଅଫିସରେ ଅନଲାଇନରେ ପଇଠ କରିପାରିବେ। ଏହାସହିତ ରାସ୍ତାରେ ଚେକିଙ୍ଗ କରୁଥିବା ଅଧିକାରୀଙ୍କୁ ମଧ୍ୟ ସେହି ସ୍ଥାନରେ ପଏଣ୍ଟ ଅଫ ସେଲ (pos) ମେସିନ ମାଧ୍ୟମରେ ଜରିମାନା ପଇଠ କରିପାରିବେ।“

କେମିତି କରିବ କାମ
HDFC ବ୍ୟାଙ୍କର ଆଞ୍ଚଳିକ (ଓଡିଶା) ମୁଖ୍ୟ ଦେବାଶିଷ ସେନାପତି କହିଛନ୍ତି, “ସମଗ୍ର ରାଜ୍ୟରେ ଥିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ଓ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ (RTO)ଙ୍କ କାର୍ଯ୍ୟାଳୟରେ ମୋଟ 162ଟି ପଏଣ୍ଟ ଅଫ ସେଲ(pos) ମେସିନ ରଖାଯିବ। ଏହାସହିତ ପରିବହନ ବିଭାଗର ଏନଫୋର୍ସମେଣ୍ଟ ଅଫିସରଙ୍କୁ 195ଟି ମୋବାଇଲ ଇ-ଚାଲାଣ ଉପକରଣ ଯୋଗାଇ ଦିଆଯିବ।“
ଏହି pos ମେସିନକୁ ବ୍ୟବହାର କରିବା ପାଇଁ ଖୁବ ଶୀଘ୍ର ଅଧିକାରୀ ମାନଙ୍କୁ ଟ୍ରେନିଂ ଦିଆଯିବ ବୋଲି ସଂଜୀବ ପଣ୍ଡା କହିଛନ୍ତି.।