- padmabati kund
ଅସଦାଚାରଣ ଅଭିଯୋଗରେ ମୋଦୀ ସରକାରର ଏହି ମନ୍ତ୍ରୀ ଦେଲେ ଇସ୍ତଫା

(ବେତାର ବ୍ୟୁରୋ) ମହିଳା ସାମ୍ବାଦିକଙ୍କ ଉପରେ ଅସଦାଚାରଣ କରିବାର ଅଭିଯୋଗ ଆସିବା ପରେ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ.ଜେ ଆକବର ବୁଧବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ହେଉଥିବା ଅସଦାଚରଣ #metoo ଅଭିଯାନରେ ଏମ.ଜେ ଆକବରଙ୍କ ବିରୋଧରେ ୨୦ଜଣ ମହିଳା ଏହି ଅସଦାଚାରଣର ଅଭିଯୋଗ ଆଣିଥିଲେ। ତାଙ୍କ ବିରୋଧରେ ଏକାଧିକ ମହିଳା ଅଭିଯୋଗ ଆଣିଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢିଚାଲିଥିଲା ଓ ଶେଷରେ ସେ ଇସ୍ତଫା ଦେଇଛନ୍ତି।
ତେବେ ସବୁଠାରୁ ବଡ କଥା ହେଉଛି ଗତ ଚାରି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ପ୍ରଥମଥର ପାଇଁ ଜଣେ ମନ୍ତ୍ରୀ କୌଣସି ଅଭିଯୋଗ ପାଇଁ ଇସ୍ତଫା ଦେଇଛନ୍ତି। ଏ ନେଇ ଆକବର କହିଛନ୍ତି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଏନେଇ କୋର୍ଟରେ ଲଢେଇ ଜାରି ରହିବ ।
ଏମ.ଜେ ଆକବରଙ୍କ ଇସ୍ତଫା ପରେ ଅଭିଯୋଗ କରିଥିବା ସମ୍ବାଦିକା ପ୍ରିୟା ରମଣୀ ନିଜ ଟ୍ଵିଟର ଆକାଉଣ୍ଟରେ କହିଛନ୍ତି, “ମୋ ଅଭିଯୋଗ ସତବୋଲି ପ୍ରମାଣିତ ହେଲା। ଏବେ କୋର୍ଟରୁ ନ୍ୟାୟ ମିଳିବ ବୋଲି ଆଶା କରୁଛି।“
#metoo ଅଭିଯାନ ମାଧ୍ୟମରେ ଏମ.ଜେ ଆକବରଙ୍କ ବିରୋଧରେ ପ୍ରଥମେ ମହିଳା ସାମ୍ବାଦିକ ପ୍ରିୟା ରମଣୀ ଅଭିଯୋଗ ଆଣିଥିଲେ। ଆକବର ଇଂରାଜୀ ଖବର କାଗଜ ‘ଏସିଆନ ଏଜ’ର ସମ୍ପାଦକ ଥିବା ସମୟରେ ରମଣୀଙ୍କୁ ଯୌନ ଶୋଷଣ କରିଥିଲେ ସେ ଅଭିଯୋଗ କରିଥିଲେ। ଏହାପରେ ଆହୁରି ଅନେକ ମହିଳା ସାମ୍ବାଦିକ ମଧ୍ୟ ଆକବରଙ୍କ ବିରୋଧରେ ଅସଦାଚାରଣର ଅଭିଯୋଗ ଆଣିଥିଲେ।
ବିଦେଶ ଗ୍ରସ୍ତରେ ଥିବା ଏମ.ଜେ ଆକବର ଅକ୍ଟୋବର ୧୪ ତାରିଖ ରବିବାର ସ୍ଵଦେଶକୁ ଫେରିବା ପରେ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଥିଲେ ଓ ଯୌନ ଶୋଷଣର ଅଭିଯୋଗ କରିଥିବା ମହିଳା ସାମ୍ବାଦିକଙ୍କ ମଧ୍ୟରୁ ପ୍ରିୟା ରମଣୀଙ୍କ ବିରୋଧରେ ସୋମବାର ଏକ ଅପରାଧିକ ମାନହାନୀ କେସ କରିଥିଲେ। କିନ୍ତୁ ପ୍ରିୟା ରମଣୀଙ୍କୁ ୨୦ଜଣ ମହିଳା ପତ୍ରକାର ସମର୍ଥନ କରିଥିଲେ। ଏହି ସମସ୍ତ ମହିଳା ସାମ୍ବାଦିକ ‘ଏସିଆନ ଏଜ’ରେ କାମ କରିସାରିଛନ୍ତି।

ଆକବରଙ୍କ ତରଫରୁ ପ୍ରିୟା ରମଣୀଙ୍କ ବିରୋଧରେ ମାନହାନୀ କେସ କରାଯିବା ପରେ ଏହି ୨୦ଜଣ ମହିଳା ସାମ୍ବାଦିକ ଏକାଠି ବୟାନ ଦେଇଥିଲେ ଓ ରମଣୀଙ୍କୁ ସମର୍ଥନ କରିଥିଲେ। ତେଣୁ ଆକବରଙ୍କ ବିରୋଧରେ ଏହି ସମସ୍ତ ମହିଳାଙ୍କ ଠାରୁ ଅଭିଯୋଗ ଶୁଣିବା ପାଇଁ ଅଦାଲତ ଆଗ୍ରହ ପ୍ରକାଶ କରିଥିଲେ।
କେଉଁମାନେ ଆରୋପ ଲଗାଇଥିଲେ
ଏମ.ଜେ ଆକବର ଇଂରାଜୀ ଖବର କାଗଜ ‘ଏସିଆନ ଏଜ’ର ପୂର୍ବ ସମ୍ପାଦକ ଅଟନ୍ତି। ପ୍ରଥମେ ତାଙ୍କ ଉପରେ ପ୍ରିୟା ରମଣୀ ଅଭିଯୋଗ ଆଣିଥିଲେ ଓ ଧୀରେ ଧୀରେ ୧୧ଜଣ ମହିଳା ସାମ୍ବାଦିକ ମଧ୍ୟ ଆକବରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହି ସମସ୍ତ ମହିଳା ସାମ୍ବାଦିକ ମାନେ ଆକବରଙ୍କ ସହିତ ‘ଏସିଆନ ଏଜ’ରେ କାମ କରିଥିଲେ। ସେମାନଙ୍କ ମଧ୍ୟରେ ଅଛନ୍ତି ଫୋର୍ସ ପତ୍ରିକାର କାର୍ଯ୍ୟକାରୀ ସମ୍ପାଦକ ଗଜାଲା ବହାବା, ଆମେରିକାର ସାମ୍ବାଦିକ ମଜଲି ଡେ ପୟ କୈପ ଓ ଇଂଲଣ୍ଡର ସାମ୍ବାଦିକ ରୂଥ ଡେଭିଡ।