• ବେତାର ବ୍ୟୁରୋ

ଶ୍ରୀମନ୍ଦିରରେ ବାସି ଅଭଡ଼ା  ବିକ୍ରି ବନ୍ଦ ହେଲା


(ବେତାର ବ୍ୟୁରୋ) ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଅବଢା ଦର ତାଲିକାକୁ ନେଇ ସୁଆର ମହାସୁଆର ନିଯୋଗ ସହିତ ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆନନ୍ଦ ବଜାରରେ ବାସି ମହାପ୍ରସାଦ ବିକ୍ରି ହୋଇପାରିବ ନାହିଁ। ଏହାସହିତ ବୈଠକରେ ଅବଢାର ଦରଧାର୍ଯ୍ୟକୁ ନେଇ ବିସ୍ତୃତ ଆଲୋଚନା କରାଯିବା ପରେ କୋଠା ଭୋଗରୁ ଖର୍ଚ୍ଚ ଆକଳନ ଭିତ୍ତିରେ ଅବଢା ଦର ଚୁଡାନ୍ତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ଦର ଅନୁମୋଦନ କରାଯିବା ପରେ ଦର ତାଲିକା ଆନନ୍ଦ ବଜାର ଓ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଲଗାଯିବ। ଏହାସହିତ ଦାରତାଲିକା ଓ ଆନନ୍ଦ ବଜାରରେ ଅବଢା କିଣାକୁ ନେଇ ଶୃଙ୍ଖଳା ଆଣିବା ପାଇଁ ଆନନ୍ଦ ବଜାରରେ ଅଭିଯୋଗ କେନ୍ଦ୍ର ଖୋଲାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଏହି ଅଭିଯୋଗ କେନ୍ଦ୍ରରେ ସୁଆର ମହାସୁଆର ନିଯୋଗର ପ୍ରତିନିଧି ଓ ଶ୍ରୀମନ୍ଦିର ପ୍ରତିନିଧିମାନେ ଉପସ୍ଥିତ ରହିବେ। ଏମାନେ ମହାପ୍ରସାଦ କିଣୁଥିବା କ୍ରେତାଙ୍କର ଅଭିଯୋଗ ଗ୍ରହଣ କରି ଏହାର ଆଶୁ ସମାଧାନ କରିବେ। ଏହି ଅଭିଯୋଗ ପ୍ରକୋଷ୍ଠରେ ଜଣେ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ସେହିପରି ଆନନ୍ଦବଜାରରେ କେହି ଭକ୍ତମାନଙ୍କୁ ଅବଢା କିଣିବାକୁ ବାଧ୍ୟ କରିପାରିବେନି ବା ଡାକିପରିବେନି। ଏହି ନିୟମକୁ ଯେପରି କଡାକଡି ଭାବରେ ପାଳନ କରାଯିବ ସେନେଇ ନିଷ୍ପତ୍ତି ନିଆଯାଇଛି। ଯଦି କେହି ଏହି ନିୟମକୁ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଶ୍ରୀମନ୍ଦିରରେ ସୁଆର ମହାସୁଆର ସେବକଙ୍କୁ ପରିଚୟପତ୍ର ପ୍ରଦାନ କରାଯିବାର ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଅନଧିକୃତ ବ୍ୟକ୍ତିଙ୍କୁ ଅବଢା ବିକ୍ରି ପାଇଁ ସୁଯୋଗ ଦିଆଯିବ ନାହିଁ। ସେହିପରି କିଛି ବ୍ୟକ୍ତିଙ୍କ ଦ୍ୱାରା ନିମ୍ନମାନର ଏବଂ ଅମୁଣିଆ ରାବିଡି ଓ ଖୁଆପେଡା ବ୍ରିକି ଅଭିଯୋଗକୁ ପ୍ରଶାସନ ଗୁରୁତର ଭାବେ ଗ୍ରହଣ କରିଛି। କାର୍ତ୍ତିକ ମାସରେ ଲକ୍ଷାଧିକ ଭକ୍ତ ମହାପ୍ରସାଦ ଉପରେ ନିର୍ଭର କରୁଥିବାରୁ ନୀତି ସବ୍‍କମିଟି ବୈଠକରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଭୋଗମଣ୍ଡପ ସମ୍ପନ୍ନ କରାଯିବାକୁ ଆଲୋଚନା ହୋଇଛି।

ପରୀକ୍ଷା ମୂଳକ ଅବଢା ରନ୍ଧାକୁ ବିରୋଧ

ପରୀକ୍ଷା ମୂଳକ ଭାବେ ଅବଢା ରନ୍ଧାକୁ ନେଇ ଉକ୍ତ ବୈଠକରେ ଆଲୋଚନା କରାଯାଇଛି। ନୃସିଂହ ମନ୍ଦିର ପରିବର୍ତ୍ତେ କୋଠଭୋଗରେ ପରୀକ୍ଷାମୂଳକ ଅବଢା ରାନ୍ଧିବାକୁ ନିଷ୍ପତ୍ତି ନିଆଯାଇଛି। କୋଠଭୋଗ ରୋଷେଇ ଦାୟିତ୍ଵରେ ଥିବା ସେବକଙ୍କୁ ପରୀକ୍ଷାମୂଳକ ଅବଢା ରୋଷେଇ ପାଇଁ ନିର୍ଦ୍ଧିଷ୍ଟ ପରିମାଣର ଚାଉଳ, ଡାଲି, କୁଡୁଆ, ଆଦି ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେବ। କୋଠଭୋଗରେ ଏହାକୁ ରୋଷେଇ କରାଯାଇ ମୂଳଖର୍ଚ୍ଚ ଆକଳନ ହେବ। ଖର୍ଚ୍ଚ ଆକଳନ ପରେ ଲାଭାଂଶ କେତେ ରଖାଯିବ ତାହା ପରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିତୀଗତ ନିଷ୍ପତ୍ତି ନିଆଯାଇ ଅବଢା ବିକ୍ରି ହେବ। ଅବଢା ରନ୍ଧା ସମୟରେ ଶ୍ରୀମନ୍ଦିରର ଦେଉଳକରଣ ଓ ଶ୍ରୀମନ୍ଦିର ସୁପରଭାଇଜର ଉପସ୍ଥିତ ରହି ନିରୀକ୍ଷଣ କରିବେ।

#shreemandira #puri #jagannathtemple #mahaprasad

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon