- ବେତାର ବ୍ୟୁରୋ
ପୂଜାରେ ବଲିଉଡ ରିଲିଜ :'ବଧାଇ ହୋ', 'ନମସ୍ତେ ଇଂଲଣ୍ଡ'

(ବେତାର ବ୍ୟୁରୋ) ଦଶହରା ଉପଲକ୍ଷେ ଗୁରୁବାରରେ ଦୁଇଟି ବଲିଉଡ ଫିଲ୍ମ ରିଲିଜ ହୋଇଯାଇଛି। ଗୋଟିଏ ପଟେ ରହିଛି ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ‘ବଧାଇ ହୋ’ ଏବଂ ଅନ୍ୟପଟେ ରହିଛି ଅର୍ଜୁନ କପୁର ଓ ପରିଣୀତି ଚୋପ୍ରାଙ୍କ ଅଭିନୀତ ‘ନମସ୍ତେ ଇଂଲଣ୍ଡ’ ।
ଏହାସହିତ ଅକ୍ଟୋବର 19 ତାରିଖ ଶୁକ୍ରବାରରେ ଆଉ ଏକ ଫିଲ୍ମ ରିଲିଜ ହେବ। ତାରିକ ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ “ଦ ଡାର୍କ ସାଇଡ ଅଫ ଲାଇଫ- ମୁମ୍ବାଇ ସିଟି’ ରିଲିଜ ହେବ। ଏହି ଫିଲ୍ମରେ ମହେଶ ଭଟ୍ଟଙ୍କୁ ମଧ୍ୟ ଅଭିନୟ କରୁଥିବାର ଦେଖିବାକୁ ମିଳିବ। କିନ୍ତୁ ଦଶହରାକୁ ଆଖିରେ ରଖି ‘ବଧାଇ ହୋ’ ଓ ‘ନମସ୍ତେ ଇଂଲଣ୍ଡ’କୁ ରିଲିଜ ତାରିଖର ଗୋଟିଏ ଦିନ ଆଗରୁ ରିଲିଜ କରାଯାଇଛି।
ବଧାଇ ହୋ
ଅମିତ ରବୀନ୍ଦ୍ର ନାଥ ଶର୍ମାଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଫିଲ୍ମ ଏକ ଫ୍ୟାମିଲି କମେଡି ଡ୍ରାମା ଫିଲ୍ମ ଅଟେ ଓ ଏହାର କାହାଣୀ ମଧ୍ୟ ଭିନ୍ନ ଅଟେ। ଏଥିରେ ନିଜ ବାହାଘରକୁ ଅପେକ୍ଷା କରିଥିବା ଜଣେ ଯୁବକକୁ ଖବର ମିଳୁଛି ଯେ ତା’ ମା’ ପୁଣି ଥରେ ଗର୍ଭବତୀ ଅଛନ୍ତି। ଏଥିରେ ଏହି ଯୁବକର ଭୂମିକାରେ ଅଭିନୟ କରିଛନ୍ତି ଆୟୁଷ୍ମାନ ଖୁରାନା। ତାଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି ନିନା ଗୁପ୍ତା ଓ ପିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଗଜରାଜ ରାଓ। ଆୟୁଷ୍ମାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ଦଙ୍ଗଲର ଅଭିନେତ୍ରୀ ସାନ୍ୟା ମଲହୋତ୍ରା।

ଶୁଭେଚ୍ଛା, ଲାଜ ଓ ବାସ୍ତବିକତା ମଧ୍ୟରେ ଏହି କାହାଣୀ ଲୋକଙ୍କୁ ଭରପୁର ହସ ଯୋଗାଇଛି। ଦର୍ଶକମାନେ ଏହାର କମେଡିକୁ ପସନ୍ଦ କରିଛନ୍ତି। ସମସ୍ତ ଅଭିନେତାଙ୍କର ଅଭିନୟକୁ ମଧ୍ୟ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି।
ପାଖାପାଖି ଦୁଇ ଘଣ୍ଟା ତିନି ମିନିଟ ପର୍ଯ୍ୟନ୍ତ ଥିବା ଏହି ଫିଲ୍ମକୁ ପ୍ରସ୍ତୁତ କରିବା ପାଇଁ 25କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଫିଲ୍ମକୁ ଦେଶରେ 1000ରୁ ଅଧିକ ହଲରେ ରିଲିଜ କରାଯାଇଛି। ତେବେ ଦଶହରାରେ ଚାରିଦିନ ୱିକେଣ୍ଡ ରହୁଥିବାରୁ ଏହା ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି।
ନମସ୍ତେ ଇଂଲଣ୍ଡ
ବିପୁଳ ଶାହଙ୍କ ନିର୍ଦ୍ଦେଶିତ ‘ନମସ୍ତେ ଇଂଲଣ୍ଡ’ ମଧ୍ୟ ରିଲିଜ ହୋଇଯାଇଛି। ପାଖାପାଖି ଆଠ ବର୍ଷ ପରେ ବିପୁଳ ନିର୍ଦ୍ଦେଶନା କରୁଛନ୍ତି। ଏହି ଫିଲ୍ମ 11ବର୍ଷ ପୂର୍ବରୁ ରିଲିଜ ହୋଇଥିବା ‘ନମସ୍ତେ ଲଣ୍ଡନ’ର ସିକ୍ଵେଲ ଅଟେ।

ଫିଲ୍ମ କାହାଣୀର ମୁଖ୍ୟ ନାୟକ ଓ ନାୟିକା ହେଉଛନ୍ତି ପରମ,ଜସମିତ। ପରମ ଭୂମିକାରେ ଅଭିନୟ କରିଛନ୍ତି ଅର୍ଜୁନ କପୁର ଓ ଜସମିତ ଭୂମିକାରେ ଅଭିନୟ କରିଛନ୍ତି ପରିଣୀତି ଚୋପ୍ରା। ପରମ ଗାର୍ଲଫ୍ରେଣ୍ଡ ଚକ୍କରରେ ଭାରତକୁ ଆସିଛି ଓ ଏଠାରେ ଜସମିତ ସହ ତାର ଦେଖା ହୋଇଛି। ଏହାପରେ ଉଭୟ ପରସ୍ପରଙ୍କୁ ଭଲ ପାଉଛନ୍ତି। କିନ୍ତୁ ସେମାନଙ୍କ ଆଗରେ ଅନେକ ବାଧାବିଘ୍ନ ଆସୁଛି। ସେସବୁକୁ ପାର କରି ସେମାନେ ବିବାହ କରିଛନ୍ତି।
ଫିଲ୍ମରେ ଅର୍ଜୁନ ଓ ପରିଣୀତିଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ କରିଛନ୍ତି। ଫିଲ୍ମର ସୁଟିଙ୍ଗ ଭାରତ ଓ ଅନ୍ୟଦେଶରେ ସୁଟିଙ୍ଗ ହୋଇଛି। ଫିଲ୍ମର ସୁଟିଙ୍ଗ ପାଇଁ ମୋଟ 40କୋଟି ଟଙ୍କା ଖର୍ଚ୍ଚ ହୋଇଛି ଓ ଏହା 2000 ହଲରେ ରିଲିଜ ହୋଇଛି। ତେବେ ପ୍ରଥମ ଦିନରେ ଫିଲ୍ମ 10ରୁ 12 କୋଟି ଟଙ୍କା ରୋଜଗାର କରିବ ବୋଲି ଆଶା କରାଯାଉଛି।
#entertainment #bollywood #filmrelease #badhaiho #namasteingland