- padmabati kund
ପୂଜାପର୍ବରେ ଖର୍ଚ୍ଚ କମାଇବା ପାଇଁ ଆପଣାନ୍ତୁ ୫ ଟିପ୍ସ

(ବେତାର ବ୍ୟୁରୋ) ବର୍ତ୍ତମାନ ପାର୍ବଣ ଋତୁ ଚାଲୁଅଛି। ଏହି ସମୟରେ ନୂତନ ଦ୍ରବ୍ୟ କିଣିବା ଶୁଭ ବୋଲି ବିବେଚନା କରାଯାଇଥାଏ। ଏଥିପାଇଁ ଅନେକ ଇ-କମର୍ସ କମ୍ପାନୀ ତରଫରୁ ସେଲ ମଧ୍ୟ ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଦୋକାନ ଗୁଡିକରେ ମଧ୍ୟ ଜିନିଷ କିଣିବାରେ ଅନେକ ରିହାତି ଓ ଅଫର ମଧ୍ୟ ଦେଇଥାଆନ୍ତି। ଘରର ସାଜସଜ୍ଜା ପାଇଁ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇଥାଏ। ଅନେକ ସମୟରେ ଏହି ଖର୍ଚ୍ଚ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ହୋଇଯାଇଥାଏ।
ଏଥିପାଇଁ ଏହି ପାର୍ବଣ ଋତୁରେ ଆପଣ କିପରି ନିଜର ଖର୍ଚ୍ଚକୁ କିପରି ନିୟନ୍ତ୍ରଣ କରିବେ ସେଥିପାଇଁ ଜାଣିରଖନ୍ତୁ କିଛି ଟିପ୍ସ।
୧.ଚିଠା ପ୍ରସ୍ତୁତ କରନ୍ତୁ: ପାର୍ବଣ ଋତୁରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ଏକ ଚିଠା ପ୍ରସ୍ତୁତ କରନ୍ତୁ। ଆପଣଙ୍କ ପାଖରେ କେତେ ଅର୍ଥ ଅଛି ଓ ଆପଣ ସେଥିରୁ କେତେ ଅର୍ଥ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି ସେନେଇ ଚିଠା ପ୍ରସ୍ତୁତ କରିବା ଆବଶ୍ୟକ। କେଉଁ ଜିନିଷ ଆପଣଙ୍କ ପାଇଁ ନିହାତି ଆବଶ୍ୟକ ଓ କେଉଁ ଜିନିଷରେ ଆପଣ ଖର୍ଚ୍ଚ ନିୟନ୍ତ୍ରଣ କରିପାରିବେ ତାହା ଉପରେ ଧ୍ୟାନ ଦିଅନ୍ତୁ।
୨.ବୋନସକୁ ଆଶା ରଖି ଅଧିକ ଖର୍ଚ୍ଚ କରନ୍ତୁ ନାହିଁ: ଅଧିକାଂଶ ସମୟରେ ଲୋକମାନେ ଆଗକୁ ମିବାକୁ ଥିବା ବୋନସକୁ ଆଶା କରି ସପିଙ୍ଗ କରିଦେଇଥାଆନ୍ତି। କିନ୍ତୁ ସବୁବେଳେ ଆଶା ଅନୁଯାୟୀ ବୋନସ ମିଳିନଥାଏ। ଏଥିପାଇଁ ଆପଣଙ୍କର ବଜେଟ ଅସନ୍ତୁଳିତ ହୋଇଯାଇଥାଏ। କିଛି ଲୋକ ବୋନସ ଆଶାରେ କ୍ରେଡିଟ କାର୍ଡରୁ ମଧ୍ୟ ସପିଙ୍ଗ କରିଦେଇଥାଆନ୍ତି। ଏଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡିବ କାରଣ କ୍ରେଡିଟ କାର୍ଡ ଉପରେ ଲୋନ ରିପେମେଣ୍ଟ ଅଧିକ ହୋଇଥାଏ।

୩.ସେଲର ପ୍ରଲୋଭନରୁ ବଞ୍ଚନ୍ତୁ: ପାର୍ବଣ ଋତୁରେ ଅଧିକ ଇ-କମର୍ସ କମ୍ପାନୀ ଓ ବଡ ବଡ ଦୋକାନ ଗୁଡିକରେ ସେଲ ଆରମ୍ଭ ହୋଇଥାଏ। ଏହି ସେଲରେ ଅଧିକାଂଶ ପ୍ରଡ଼କ୍ଟ ଉପରେ ରିହାତି ମିଳିଥାଏ। ଏଥିପାଇଁ ପ୍ରାୟ ଲୋକ ଲୋଭରେ ଅନାବଶ୍ୟକ ଜିନିଷ ମଧ୍ୟ କିଣିଦେଇଥାଆନ୍ତି, ଯାହା ଆପଣ ଅଧିକ ବ୍ୟବହାର କରିନଥାନ୍ତି। ଏହାଦ୍ୱାରା ଆପଣଙ୍କର ଖର୍ଚ୍ଚ ବଢିଥାଏ। ତେଣୁ ସବୁବେଳେ ଆବଶ୍ୟକୀୟ ଜିନିଷ କିଣନ୍ତୁ।
୪.କ୍ରେଡିଟ କାର୍ଡ ଓ ଡେବିଟ କାର୍ଡରେ ସପିଙ୍ଗ କରନ୍ତୁ ନାହିଁ: ବିଶେଷଜ୍ଞଙ୍କ ମତରେ ଡିଜିଟାଲ ପେମେଣ୍ଟ କରିବା ଅପେକ୍ଷା କ୍ୟାଶ ଦେଇ ସପିଙ୍ଗ କରିବା ଉଚିତ। କାର୍ଡରେ ସପିଙ୍ଗ କରିବା ଦ୍ଵାରା କେତେଟଙ୍କା ଖର୍ଚ୍ଚ କରୁଛନ୍ତି ତାହା ଅନୁଭବ ହୋଇନଥାଏ, କିନ୍ତୁ କ୍ୟାଶ ଦେଇ ସପିଙ୍ଗ କରିବା ଦ୍ଵାରା ଆପଣ ଅନୁଭବ କରିପାରିଥାଆନ୍ତି ଯେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି।

୫.କେବଳ ସାମଗ୍ରୀ ନୁହେଁ ସମ୍ପତ୍ତି ମଧ୍ୟ କିଣନ୍ତୁ: ପାର୍ବଣ ଋତୁରେ ସପିଙ୍ଗ କରିବା ସମୟରେ ଧ୍ୟାନ ରଖନ୍ତୁ ଯେ, ଆପଣ କିଛି ସାମଗ୍ରୀ କିଣୁଛନ୍ତି କି ସମ୍ପତ୍ତି ଯଥା ଜମି, ସୁନଗହଣା କିଣୁଛନ୍ତି। ଯଦି ଆପଣଙ୍କୁ ପରବର୍ତ୍ତୀ ସମୟରେ ଅର୍ଥର ଆବଶ୍ୟକ ହୋଇଥାଏ ତେବେ ଆପଣ ସମ୍ପତ୍ତି ବିକି ଅର୍ଥ ପାଇପାରିବେ। କାରଣ ସମୟ ବଢିବା ସହିତ କୌଣସି ସାମଗ୍ରୀର ଦାମ କମ ହୋଇଥାଏ ଓ ଅନ୍ୟପଟେ ସମ୍ପତ୍ତିର ଦାମ ଅଧିକ ହୋଇଥାଏ। ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।