• ବେତାର ବ୍ୟୁରୋ

ବଢୁଛି ବାଘ ବିବାଦ : ଲୋକେ କହିଲେ ବାଘ ମାରିଛି, ସରକାର ମାନୁ ନାହାନ୍ତି


(ବେତାର ବ୍ୟୁରୋ) ସାତକୋଶିଆରେ ପୁଣି ବାଘୁଣୀ ‘ସୁନ୍ଦରୀ’ର ଆତଙ୍କ ଖେଳିଯାଇଛି। ‘ସୁନ୍ଦରୀ’କୁ ନେଇ ବିବାଦ ବଢିବାରେ ଲାଗିଛି। ବାଘୁଣୀ ଗ୍ରାମ ନିକଟରେ ବୁଲୁଥିବାର ଗ୍ରାମବାସୀମାନେ ଦେଖିଛନ୍ତି ବୋଲି କହିଛନ୍ତି ଓ ଗ୍ରାମର ଜଣେ ବ୍ୟକ୍ତି ଏବଂ ଏକ ବଳଦକୁ ବାଘୁଣୀ ‘ସୁନ୍ଦରୀ’ ମାରିଛି ବୋଲି କହିଛନ୍ତି। ଅନ୍ୟପଟେ ବାଘ ଆକ୍ରମଣ କରିଥିବାର ପ୍ରମାଣ ନ ଥିବାରୁ ବାଘୁଣୀକୁ ନରଖାଦକ  (man-eater) ବୋଲି ଘୋଷଣା କରାଯିବ ନାହିଁ ବୋଲି ଜଙ୍ଗଲ ବିଭାଗର ମୁଖ୍ୟ ଅଧିକାରୀ କହିଛନ୍ତି।  

ଜଙ୍ଗଲ ବିଭାଗର ମୁଖ୍ୟ ସନ୍ଦୀପ ତ୍ରିପାଠୀ କହିଛନ୍ତି ଯେ, ବାଘୁଣୀକୁ ନରଘାତକ ବୋଲି ଘୋଷଣା କରାଯିବ ନାହିଁ। କାରଣ ଯେଉଁ ଦୁଇଟି ଘଟଣାରେ ବାଘ ଆକ୍ରମଣର କଥା କୁହାଯାଇଛି ତାହାର ପ୍ରମାଣ ମିଳିନାହିଁ । ଶବ ବ୍ୟବଚ୍ଛେଦର ରିପୋର୍ଟକୁ ଅପେକ୍ଷା କରାଯାଇଛି। 

ତେବେ ଉକ୍ତ ସ୍ଥାନରେ ନିସ୍ତେଜକ ଟିମ ଉପସ୍ଥିତ ଅଛନ୍ତି କିନ୍ତୁ ଉତ୍ତେଜନା ଲାଗିରହିଥିବାରୁ ଟିମ ଜଙ୍ଗଲ ଭିତରକୁ ପ୍ରବେଶ କରିପାରୁନାହାନ୍ତି। ଟିମକୁ ଜଙ୍ଗଲ ଭିତରକୁ ପ୍ରବେଶ କରିବାକୁ ଦିଆଯାଉ ବୋଲି ସେ ସ୍ଥାନୀୟ ବାସିନ୍ଦାଙ୍କୁ କହିଛନ୍ତି। ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ଏନକ୍ଲୋଜରକୁ ଅଣାଯିବ ବୋଲି ଜଙ୍ଗଲ ବିଭାଗର ଏହି ଅଧିକାରୀ କହିଛନ୍ତି।

ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରାମ ପାଖରେ ବାଘୁଣୀ ରହିଛି ବୋଲି ସଚେତନ କରଯାଇଥିଲା। କିନ୍ତୁ ବାରଣକୁ ନ ମାନି ଜଙ୍ଗଲ ଭିତରକୁ ମାଛ ମାରିବାକୁ ଯାଇଥିବାରୁ ଏପରି ଦୁର୍ଘଟଣା ଘଟିଛି । ପ୍ରଥମେ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ପରାମର୍ଶ ନିଆଯିବ ଓ ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେବେ ରବିବାର ରାତିରୁ ଚାରିଜଣ ବନବିଭାଗ କର୍ମଚାରୀ ମଧ୍ୟ ନିଖୋଜ ଅଛନ୍ତି ବୋଲି ସେ କହିଛନ୍ତି।

ରବିବାର ବାଘୁଣୀ ‘ସୁନ୍ଦରୀ’ଜଣେ ମଣିଷ ଓ ସୋମବାର ସକାଳେ ଗୋଟିଏ ବଳଦର ଶିକାର କରିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଛି। ସୁନ୍ଦରୀକୁ  ଆଠମଲ୍ଲିକ ବିଧାୟକ ସଂଜୀବ ସାହୁ ମଧ୍ୟ ବିରୋଧ କରିଛନ୍ତି। ‘ସୁନ୍ଦରୀ’କୁ ତୁରନ୍ତ ସ୍ଥାନାନ୍ତର କରାଯାଉ ବୋଲି ସେ ପିସିସିଏଫକୁ ଅନୁରୋଧ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଓ ଜଙ୍ଗଲମନ୍ତ୍ରୀଙ୍କ ନିକଟରେ ମଧ୍ୟ ନିଜ ଦାବି ଜଣାଇଛନ୍ତି। ସୁନ୍ଦରୀ ଭୟରେ ସାତକୋଶିଆର ଲୋକମାନେ ରହିଛନ୍ତି ବୋଲି ସେ କହିଛନ୍ତି। ‘ସୁନ୍ଦରୀ’ ଭୟରେ ବିଦ୍ୟାଳୟ ଗୁଡିକ ମଧ୍ୟ ବନ୍ଦ ରହିଛି।

ରବିବାର ବାଘୁଣୀ ‘ସୁନ୍ଦରୀ’ ଗ୍ରାମର ଚାଷୀ ତ୍ରିନାଥ ସାହୁ (୬୦ବର୍ଷ)ଙ୍କୁ ନାଳ ପକ୍ଷରୁ ଘୋଷାଡ଼ି ନେଇଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବାଘୁଣୀ ‘ସୁନ୍ଦରୀ’ ଅତି ନୃଶଂସ ଭାବରେ ଟାଣିନେଇ ତଣ୍ଟି କଣା କରିଦେଇଥିଲା ଓ ଅଣ୍ଟା ପଛ ପକ୍ଷରୁ ଦୁଇପୁଳା ମାଂସ ଖାଇଦେଇଥିଲା।

ଶନିବାର ରାତିରୁ ଅନୁଗୁଳ ଅଂଚଳର ଟାଇଁସି ଗ୍ରାମରେ ବାଘୁଣୀ ‘ସୁନ୍ଦରୀ’ର ଆତଙ୍କ ଖେଳିଯାଇଥିଲା। ଗ୍ରାମବାସୀମାନେ ରାତିରେ ସୁନ୍ଦରୀକୁ ଗ୍ରାମ ପାଖରେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ ଓ ବାଘ ଜଗିବାକୁ ମଧ୍ୟ ବନ ବିଭାଗକୁ କହିଥିଲେ। ସୁନ୍ଦରୀ ଭୟରେ ଗ୍ରାମବାସୀମାନଙ୍କୁ ରାତିରେ ମଧ୍ୟ ଉଜାଗର ରହିବାକୁ ପଡିଥିଲା। ରବିବାର ସକାଳୁ ଗାଁ’ର ଚାଷୀ ତ୍ରିନାଥ ଆଳୁ ଚାଷ କରିବା ପାଇଁ ମହେଶ୍ଵରୀ ପୀଠ ନିକଟସ୍ଥ ନିଜ ଜମିକୁ ଯାଇଥିଲେ। ତାଙ୍କ ସାଙ୍ଗରେ ଅନ୍ୟଜଣେ ଭାଗୀଚାଷୀ ମଧ୍ୟ ଥିଲେ। ଭାଗୀଚାଷୀ ହଳ କରୁଥିବା ସମୟରେ ତ୍ରିନାଥ ନିଜ ଜମିଠାରୁ ଶହେ ମିଟର ଦୁରରେ ଥିବା ନାଳକୁ ମାଛ ଧରିବା ପାଇଁ ଯାଇଥିଲେ ଏହି ସମୟରେ ‘ସୁନ୍ଦରୀ’ ତ୍ରିନାଥଙ୍କ  ଉପରେ ଆକ୍ରମଣ କରିଥିଲା।

ଏହାସହିତ ବାଘୁଣୀ ଜଣେ ସାମ୍ବାଦିକ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ତ୍ରିନାଥଙ୍କ ମୃତ୍ୟୁ ପରେ ସାମ୍ବାଦିକ ରଘୁନାଥ ସାହୁ ଫଟୋ ଉଠାଉଥିବା ବେଳେ ‘ସୁନ୍ଦରୀ’ ତାଙ୍କୁ ପଞ୍ଝା ମାରିଥିଲା। 

#sundaree #tigeress

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon