- padmabati kund
ଦୀପାବଳୀରେ 2 ଘଣ୍ଟା ଫୁଟିବ ବାଣ : ସୁପ୍ରିମକୋର୍ଟ

(ବେତାର ବ୍ୟୁରୋ) ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ। ଦୀପ ଜାଳି ଓ ବାଣ ଫୁଟାଇ ଲୋକମାନେ ଏହି ପର୍ବକୁ ଉପଭୋଗ କରିଥାଆନ୍ତି। ଏହାସହିତ ବାୟୁ ପ୍ରଦୂଷଣ ମଧ୍ୟ ହୋଇଥାଏ। ତେବେ ଦୀପାବଳୀରେ ବାଣ ବିକ୍ରି ଓ ବାଣ ଫୁଟାଇବାର ସମୟକୁ ନେଇ ସର୍ବୋଚ୍ଚ ନ୍ୟାୟଳୟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି। ବାଣ ବିକ୍ରିକୁ ସଂପୂର୍ଣ୍ଣ ନିଷିଦ୍ଧ କରିନଥିଲେ ମଧ୍ୟ କେବଳ ଲାଇସେନ୍ସ ଥିବା ଦୋକାନ ଗୁଡିକରେ ବାଣ ବିକ୍ରି ହୋଇପାରିବ ଓ ମାତ୍ର ଦୁଇଘଣ୍ଟା ବାଣ ଫୁଟିବ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି।
ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ବାଣ ଉତ୍ପାଦନ ଓ ବିକ୍ରି ଉପରେ ଲଗାମ ଲଗାଇବାକୁ କୋର୍ଟରେ ଆବେଦନ କରଯାଇଥିଲା। ମଙ୍ଗଳବାର ଏହି ମାମଲାର ଶୁଣାଣୀ କରି ସର୍ବୋଚ୍ଚ ନ୍ୟାୟଳୟ ଏହି ବଡ ନିଷ୍ପତ୍ତି ନେଇଛନ୍ତି।

ସର୍ବୋଚ୍ଚ ନ୍ୟାୟଳୟର ନିଷ୍ପତ୍ତି ଅନୁଯାୟୀ, ପରିବେଶକୁ କମ ପ୍ରଦୂଷଣ କରୁଥିବା ବାଣ ଗୁଡିକ ବିକ୍ରି ହୋଇପାରିବ। ଯେଉଁ ବାଣ ଗୁଡିକରୁ ଅଧିକ ଧୂଆଁ ବାହାରୁଥିବ ଓ ଅଧିକ ସମୟ ପର୍ଯ୍ୟନ୍ତ ଫୁଟୁଥିବ ସେହି ବାଣ ଗୁଡିକ ବିକ୍ରି କରାଯାଇ ପାରିବ ନାହିଁ। ସବୁଜ ବାଣ ବିକ୍ରି କରାଯାଇପାରିବ।
ସେହିପରି ଦୀପାବଳିରେ ବାଣ ଫୁଟାଇବା ପାଇଁ କୋର୍ଟ ତରଫରୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି। ଲୋକମାନେ ରାତିରେ ମାତ୍ର ଦୁଇଘଣ୍ଟା ପାଇଁ, ରାତି 8ଟାରୁ ରାତି 10ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ ଓ କେବଳ ନିର୍ଦ୍ଧିଷ୍ଟ ସ୍ଥାନରେ ହିଁ ବାଣ ଫୁଟାଇ ପାରିବେ।

ଏହାସହିତ ସର୍ବୋଚ୍ଚ ନ୍ୟାୟଳୟ ନିଜ ନିଷ୍ପତ୍ତିରେ ଶୁଣାଇଛନ୍ତି ଯେ, ଯେଉଁ ଟ୍ରେଡ଼ର୍ସଙ୍କ ପାଖରେ ବାଣ ବିକିବା ପାଇଁ ଲାଇସେନ୍ସ ଥିବ କେବଳ ସେହିମାନେ ହିଁ ବାଣ ବିକ୍ରି କରିପାରିବେ। ଏହାସହିତ ଅନଲାଇନରେ ବାଣ ବିକ୍ରି କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟଳୟ ନିଷ୍ପତ୍ତି ନେଇଛନ୍ତି। ଯଦି କେହି ଅନଲାଇନରେ ବାଣ ବିକ୍ରି କରୁଥାଏ ତେବେ ତାଙ୍କ ବିରୁଦ୍ଧରେ ଅବମାନନା ମାମଲା ରୁଜୁ କରାଯିବ। ଏହି ନିୟମ ସମଗ୍ର ଦେଶରେ ଲାଗୁ ହୋଇଛି।
ସବୁବେଳେ ଲାଗୁ ହେବ ନିୟମ
ଏହାସହିତ ସର୍ବୋଚ୍ଚ ନ୍ୟାୟଳୟ ନିଷ୍ପତ୍ତି ନେଇଛନ୍ତି ଯେ, କୌଣସି ଧାର୍ମିକ ପର୍ବ ଓ ବିବାହରେ ପ୍ରତିବନ୍ଧିତ କେମିକାଲ ଯୁକ୍ତ ବାଣର ବ୍ୟବହାର କରାଯାଇପାରିବନି ଓ ନିର୍ଦ୍ଧାରିତ ଡେସିବଲ ଲିମିଟ୍ ଭିତରେ ଧ୍ୱନି ବାହାର କରୁଥିବା ବାଣ ହିଁ ଫୁଟାଇପାରିବେ।
ଗତବର୍ଷ ବାଣ ବିକ୍ରି ଉପରେ କଟକଣା ଜାରି କରିବାକୁ ୩ ଜଣ ବାଳକ ସୁପ୍ରିମକୋର୍ଟରେ ଆବଦେନ କରିଥିଲେ। ଆବେଦନରେ ସେମାନେ ଦର୍ଶାଇଥିଲେ ଯେ ପ୍ରଦୂଷଣ ଯୋଗୁଁ ସେମାନଙ୍କ ଫୁସଫୁସର ବିକାଶ ଠିକ ଭାବେ ହୋଇନାହିଁ । ଗତବର୍ଷ ସୁପ୍ରିମକୋର୍ଟ ଦୀପାବଳୀ ପୂର୍ବରୁ ବାଣ ବିକ୍ରି ଉପରେ କଟକଣା ଜାରି କରିଥିଲେ । ଏହା ସହ କହିଥିଲେ ନଭେମ୍ବର ପହିଲା , ୨୦୧୭ ଦୀପାବଳୀ ପରେ ବାଣ ବିକ୍ରି କରାଯାଇପାରିବ ।
ଦିଲ୍ଲୀର ପ୍ରଦୂଷଣ ନେଇ ଶୁଣାଣିବେଳେ ସୁପ୍ରିମକୋର୍ଟ ଗତବର୍ଷ ଦିଲ୍ଲୀ –ଏନସିଆରରେ ଏହି ବ୍ୟାନ ଲଗାଇଥିଲେ । ପରେ ଏଥିରେ ସଂଶୋଧନ କରି କିଛି ସର୍ତ୍ତ ସହିତ ଦୀପାବଳୀ ପରେ ବାଣ ବିକ୍ରି ପାଇଁ ଅନୁମତି ଦେଇଛନ୍ତି। ଏହାସହିତ ବାଣ ବିକ୍ରି କରିବାକୁ ଲାଇସେନ୍ସ ସଂଖ୍ୟା ୫୦ ପ୍ରତିଶତ କମାଇବାକୁ ଓ ଅନ୍ୟ ରାଜ୍ୟରୁ ବାଣ ଆଣିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।