• padmabati kund

ଲୋକପ୍ରିୟ ଧାରାବାହିକ 'ସିଆଇଡି' ବନ୍ଦ ଖବରକୁ ନେଇ ସୋସିଆଲ ମିଡିଆରେ ପ୍ରତିବାଦ


(ବେତାର ବ୍ୟୁରୋ) ଟେଲିଭିଜନ ଦୁନିଆରେ ସବୁଠାରୁ ଅଧିକ ଲୋକପ୍ରିୟ ଓ ଅଧିକ ଦିନ ପ୍ରସାରିତ ହୋଇଆସୁଥିବା ସିରିଏଲ ‘ସି.ଆଇ.ଡି’ ବନ୍ଦ ହେବାକୁ ଯାଉଛି। ଦୀର୍ଘ 21ବର୍ଷ ହେବ ଏହା ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲରେ ପ୍ରସାରିତ ହୋଇଆସୁଛି। ଚଳିତ ଅକ୍ଟୋବର ମାସ 27 ତାରିଖରେ ଶେଷ ଅଧ୍ୟାୟ ପ୍ରସାରିତ ହେବ ବୋଲି ଖବର ସାମ୍ନାକୁ ଆସିଛି।

ଶନିବାର ଓ ରବିବାର ପ୍ରସାରିତ ହେଉଥିବା ଏହି କ୍ରାଇମ ଶୋ’ରେ ବର୍ତ୍ତମାନ ପର୍ଯ୍ୟନ୍ତ 1546ଟି ଅଧ୍ୟାୟ ପ୍ରସାରିତ ହୋଇସାରିଛି। ସି.ଆଇ.ଡିର ପ୍ରସାରଣ ବନ୍ଦ ହେବାର ଖବର ଆସିବା ପରେ, ଏହି ସିରିଏଲକୁ ପସନ୍ଦ କରୁଥିବା ଦର୍ଶକମାନେ ସୋସିଆଲ ମିଡିଆରେ #saveCID ନାମକ ଏକ ଅଭିଯାନ ଆରମ୍ଭ କରିଛନ୍ତି।

ଆସନ୍ତା ଅକ୍ଟୋବର 27ତାରିଖରେ ସି.ଆଇ.ଡିର ଶେଷ ଅଧ୍ୟାୟ ପ୍ରସାରିତ ହେବ ବୋଲି ସି.ଆଇ.ଡି ର ଲୋକପ୍ରିୟ ଅଫିସର ଇନସ୍ପେକ୍ଟର ଦୟା ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ ଜଣାଇଛନ୍ତି। ସେ ଏହି ସାକ୍ଷାତକାରରେ କହିଛନ୍ତି, “ହଁ, ଏହି କଥା ସତ ଅଟେ। ଆମକୁ କିଛି ଦିନ ଆଗରୁ ଏହି ଖବର ମିଳିଛି। ଏହି ଶନିବାର (ଅକ୍ଟୋବର 27)ରେ ସି.ଆଇ.ଡିର ଶେଷ ଅଧ୍ୟାୟ ପ୍ରସାରିତ ହେବ।“

ସେ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ଆମ ଶୋ’ର 21 ବର୍ଷ ଚାଲୁଅଛି। ଆଉ କିଛିଦିନ ଏହା ପ୍ରସାରିତ ହୋଇଥିଲେ 22ବର୍ଷ ହୋଇଥାଆନ୍ତା। ହଠାତ ଶୋ’ର ପ୍ରଯୋଜକ ଆମକୁ କହିଲେ ଯେ, ଚ୍ୟାନେଲ ସହିତ କିଛି ସମସ୍ୟାକୁ ନେଇ ଶୁଟିଙ୍ଗ ବନ୍ଦ କରିବାକୁ ପଡିବ। ମୁଁ ମୋ ଚରିତ୍ରକୁ ବହୁତ ମନେ ପକାଇବି। ଲୋକମାନେ ଏହି ଶୋ’କୁ ବହୁତ ପସନ୍ଦ କରୁଛନ୍ତି। ଆମେ ସବୁ କଳାକାର ମଧ୍ୟ ପରସ୍ପରକୁ ବହୁତ ମନେ ପକାଇବୁ।“

କେବଳ ଶୋ’ର କଳାକାର ମାନେ ଏହି ଖବରକୁ ନେଇ ମନଦୁଃଖ କରିନାହାନ୍ତି, ଶୋ’ର ଦର୍ଶକମାନେ ମଧ୍ୟ ଏଥିପାଇଁ ସୋସିଆଲ ମିଡିଆରେ ଏକ #saveCID ଅଭିଯାନ ଆରମ୍ଭ କରିଛନ୍ତି। ସେମାନେ ଏହି ଶୋ’କୁ କେତେ ଭଲ ପାଆନ୍ତି ତାହା ସେମାନେ ଜଣାଇଛନ୍ତି ଓ ଚ୍ୟାଲେନକୁ ଶୋ’ ବନ୍ଦ ନକରିବା ପାଇଁ କହିଛନ୍ତି।

ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ସୋନି ଚ୍ୟାନେଲ, ମୁଁ ଆପଣଙ୍କ ଚ୍ୟାନେଲରେ ପ୍ରସାରିତ କେବିସି, କ୍ରାଇମ ପେଟ୍ରୋଲ ଇତ୍ୟାଦି ଦେଖେନାହିଁ, ସି.ଆଇ.ଡି କୁ ବନ୍ଦ କରିବାକୁ ସାହସ କରନ୍ତୁ ନାହିଁ। 21ବର୍ଷ ମଜାର କଥା ନୁହଁ। ସେହି ବର୍ଷ କଥା ମନେପକାନ୍ତୁ ଯେତେବେଳେ ଆପଣଙ୍କ ଚ୍ୟାନେଲରେ ପ୍ରସାରିତ କରିବାକୁ କୌଣସି ଶୋ’ ନଥିଲା ଓ ସି.ଆଇ.ଡି ଆପଣଙ୍କ ଚ୍ୟାନେଲକୁ ବଞ୍ଚାଇଥିଲା।“

ଅନ୍ୟଜଣେ ବ୍ୟବହାରକାରୀ ଲେଖିଛନ୍ତି, “ସି.ଆଇ.ଡିକୁ ଏପରି ଭାବରେ ବନ୍ଦ କରି ଆମଠାରୁ ଆମ ଜୀବନକୁ ଛଡାଇ ନିଅନ୍ତୁନାହିଁ। ସି.ଆଇ.ଡିକୁ ବନ୍ଦ କରନ୍ତୁ ନାହିଁ।“

ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ଟ୍ଵିଟ କରି ଲେଖିଛନ୍ତି, “ସି.ଆଇ.ଡି ଆମ ପରିବାର ସହିତ ସମାନ ଓ ଆମେ ଆମ ପରିବାର ବିନା ବଞ୍ଚି ପାରିବୁ ନାହିଁ।“

ଏହି ସିରିଏଲ 1998 ମସିହାରେ ସୋନି ଚ୍ୟାନେଲରେ ପ୍ରସାରଣ ଆରମ୍ଭ ହୋଇଥିଲା। ଏହି ଶୋ’ମାଧ୍ୟମରେ ଦର୍ଶକ ମାନଙ୍କୁ ଅନେକ ପ୍ରିୟ କଳାକାର ମଧ୍ୟ ମିଳିଛନ୍ତି। ଖାସକରି ଏସିପି ପ୍ରଦ୍ୟୁମନ (ଶିବାଜୀ ସାଟମ), ଇନସ୍ପେକ୍ଟର ଅଭିଜିତ (ଆଦିତ୍ୟ ଶ୍ରୀବାସ୍ତବ), ଇନସ୍ପେକ୍ଟର ଦୟା (ଦୟାନନ୍ଦ ସେଟ୍ଟୀ) ଓ ଇନସ୍ପେକ୍ଟର ଫ୍ରେଡ୍ରିକ୍ସ (ଦିନେଶ ଫଡନିସ)ଙ୍କୁ ଦର୍ଶକମାନେ ଖୁବ ପସନ୍ଦ କରିଥାଆନ୍ତି। ତେବେ କିଛି ଦିନ ଆଗରୁ ମଧ୍ୟ ଏହି ଶୋ’କୁ ବନ୍ଦ କରାଯାଇଥିଲା କିନ୍ତୁ ଲୋକପ୍ରିୟତା ଓ ଦର୍ଶକଙ୍କ ଭଲପାଇବାକୁ ଦେଖି ଏହାକୁ ପୁଣିଥରେ ପ୍ରସାରିତ କରାଯାଉଥିଲା।

#entertainment #tvshow #CID #saveCID

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon