• ବେତାର ଷ୍ଟାଫ ଲେଖକ

'ପାଇପ ଭିତରେ ପେଚା' ଫୋଟୋ ପାଇଁ 10 ବର୍ଷର ବାଳକ ହେଲେ ସମ୍ମାନିତ


ମାତ୍ର ଦଶ ବର୍ଷର ଜଣେ ବାଳକ କଣ ବା କରିପାରିବ । ଭଲ ଗୀତ ଗାଈ ପାରିବ , ଶ୍ଳୋକ ମୁଖସ୍ଥ କରିପାରିବ ବା ଭଲ ନାଚି ପାରିବ । ହେଲେ ଦଶବର୍ଷର ଜଣେ ବାଳକ ଯେ ବିଶ୍ଵର ଶ୍ରେଷ୍ଠ ବନ୍ୟପ୍ରାଣୀ ଫୋଟୋଗ୍ରାଫର ହେଇପାରିବ, ଏକଥା ଶୁଣିକି ମଧ୍ୟ ବିଶ୍ଵାସ କରି ହୁଏନା ।

ତେବେ ଏକଥାକୁ ସତ କରି ଦେଖାଇଛନ୍ତି ପଞ୍ଜାବର ଜଳନ୍ଧର ସହରର ବାସିନ୍ଦା ଅର୍ଶଦୀପ ସିଂ । ବୟସ ମାତ୍ର ଦଶବର୍ଷ । ହେଲେ ଜଣେ ଅଭିଜ୍ଞ ଫୋଟୋଗ୍ରାଫର ପରି ଫୋଟୋ ଉଠାଇଥାନ୍ତି ସେ । ଏଭଳି ବିଶ୍ଵସ୍ତରର ପୁରସ୍କାର ପାଇ ଏକ ବିରଳ ରେକର୍ଡର ଅଧିକାରୀ ହେଇଛନ୍ତି ଏହି କୁନି ପଞ୍ଜାବୀ ।

ଧୈର୍ଯ୍ୟ ପାଇଁ ପୁରସ୍କାର

ବନ୍ୟପ୍ରାଣୀ ଫୋଟୋଗ୍ରାଫି ଏକ କଠିନ କାର୍ଯ୍ୟ । କାରଣ ଆପଣଙ୍କୁ ଏକ ସୁନ୍ଦର ଫୋଟୋ ଉଠାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥାଏ । ଏବଂ ଠିକ ସମୟରେ ହିଁ ଫୋଟୋ ଉଠାଇବାକୁ ପଡିଥାଏ କାରଣ ବନ୍ୟ ପଶୁମାନେ କ୍ୟାମେରା ଦେଖିଲେ ହିଁ ଦଉଡି ପଳେଇବାକୁ ଉଦ୍ୟମ କରିଥାନ୍ତି ।

ତେବେ ଏହି ପାଇପ ଭିତରେ ପେଚା ଫୋଟୋ ପାଇଁ ‘ଅର୍ଶଦୀପ’ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିଲେ ଓ ନିଜର ଫୋଟୋ ଉଠାଇବା କଳାକୁ ଉପଯୋଗ କରି ଏହି ପୁରସ୍କାର-ଉପଯୋଗୀ ଫୋଟୋ ଉଠାଇଥିଲେ ବୋଲି ବନ୍ୟପ୍ରାଣୀ ଫୋଟୋଗ୍ରାଫି ପୁରସ୍କାର ପ୍ରଦାନ କରୁଥିବା ଇଂଲଣ୍ଡସ୍ଥିତ ସଂସ୍ଥା ପ୍ରକାଶ କରିଛି ।

ଏହି ଫୋଟୋ ଉଠାଇବା ବିଷୟରେ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ 10 ବର୍ଷୀୟ ଅର୍ଶଦୀପ କହିଛନ୍ତି ଯେ ସେ ପଞ୍ଜାବର କପୁରଥାଲା ଅଞ୍ଚଳର ଉପକଣ୍ଠ ଦେଇ ଯାଉଥିବା ସମୟରେ ଦୁଇଟି ପେଚାକୁ ଏକ ପାଇପ ଭିତରେ ପଶିଯାଉଥିବାର ଦେଖିଥିଲେ ଓ ତାଙ୍କ ପିତାଙ୍କୁ କାର ଅଟକାବା ପାଇଁ କହିଥିଲେ । ଯଦିଓ ତାଙ୍କ ପିତା ଗୋଟିଏ ପାଇପ ଭିତରେ ଦୁଇଟି ପେଚା ପଶିଥିବା କଥାକୁ ବିଶ୍ଵାସ କରିପାରୁ ନ ଥିଲେ , ତେବେ ପୁଅର ଅନୁରୋଧ କୁ ଏଡାଇ ନ ପାରି କାର ଅଟକାଇଥିଲେ ଓ ଏହି ଫୋଟୋ ଉଠାଇବା ପାଇଁ କାରର କାଚ ଅଧା ଖୋଲା ରଖି ତା’ ଉପରେ କ୍ୟାମେରା ଥୋଇ ଫୋଟୋ ଉଠାଇବାପାଇଆ ଦୁହେଁ ଅପେକ୍ଷା କରିଥିଲେ ।

ପାଖାପାଖି ଅଧଘଣ୍ଟା ଅପେକ୍ଷା କରିବା ପରେ ପ୍ରଥମେ ଗୋଟିଏ ପେଚା ଆସି ପାଇପ ମୁହଁ ପାଖରେ ଠିଆ ହେଇଥିଲା ଓ ଏହାର କିଛି ସମୟ ପରେ ଅନ୍ୟ ପେଚାଟି ଆସି ସେଠାରେ ଛିଡାହେଇଥିଲା । ସେହି ସମୟରେ ସୁଯୋଗ ଦେଖି ଏହି ଦୁଇଟି ପେଚାଙ୍କର ଫୋଟୋ ଉଠାଥିଲେ ଅର୍ଶଦୀପ ।

ଛୋଟ ବୟସରୁ ଲାଗିଲା ନିଶା

ମାତ୍ର ପାଞ୍ଚ ବର୍ଷ ବୟସରୁ ବନ୍ୟ ପ୍ରାଣୀ ଫୋଟୋ ଉଠାଉଥିବା ଦଶ ବର୍ଷୀୟ ଅର୍ଶଦୀପ କହିଛନ୍ତି ଯେ , ଯେବେଠୁ ତାଙ୍କ ପିତା ଏକ କ୍ୟାମେରା ଉପହାର ଆକାର ରେ ଦେଇଥିଲେ , ସେବେଠୁ ତାଙ୍କର ଏହି ନିଶା ଲାଗିଗଲା।

ତାଙ୍କ ମାତାପିତାଙ୍କ ଅନୁଯାୟୀ ସେମାନେ ପ୍ରତିବର୍ଷ ଗ୍ରୀଷ୍ମ ଛୁଟିରେ ଏପରି ଜାଗା ମାନଙ୍କୁ ବୁଲିବାପାଇଁ ଯାଇଥାନ୍ତି, ଯେଉଥରେ ବନ୍ୟପ୍ରାଣୀ ଫୋଟୋଗ୍ରାଫିର ମଉକା ମିଳିଥାଏ । ଏହି ପୁରସ୍କାର ପାଇବା ଆଗରୁ ଅର୍ଶଦୀପଙ୍କ କୃତୀ ଅନେକ ଟିଭି ଚ୍ୟାନେଲ ଶୋ’ ରେ ପ୍ରସାରିତ ହେଇସାରିଛି ।

#youngtalent #Career

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon