• ବେତାର ବ୍ୟୁରୋ

ଆପଣଙ୍କ ଝିଅ ପାଇଁ କେତେ ସୁବିଧା ଜନକ ସୁକନ୍ୟା ସମୃଦ୍ଧି ଯୋଜନା


(ବେତାର ବ୍ୟୁରୋ) ନିଜ ସନ୍ତାନଙ୍କ ଭବିଷ୍ୟତ ପାଇଁ ଅର୍ଥ ଜମା କରିବା ପ୍ରତ୍ୟେକ ପିତାମାତାଙ୍କ ମୂଳଲକ୍ଷ୍ୟ ହୋଇଥାଏ। ପ୍ରତ୍ୟେକ ପିତାମାତା ଚାହାନ୍ତି ଯେ ସେମାନଙ୍କ ସନ୍ତାନ ଭବିଷ୍ୟତରେ ସୁବିଧାରେ ରହୁ ଓ ବିଦେଶରେ ଉଚ୍ଚ ଶିକ୍ଷା ଗ୍ରହଣ କରୁ। ଭାରତ ସରକାର ମଧ୍ୟ ଏଥିପାଇଁ ପ୍ରତ୍ୟେକ ଅବିଭାବକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ସୁକନ୍ୟା ସମୃଦ୍ଧି ଯୋଜନା ମାଧ୍ୟମରେ ପିତାମାତାମାନେ ସେମାନଙ୍କ ଝିଅର ଭବିଷ୍ୟତ ପାଇଁ ଓ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ଜମା କରିପାରିବେ। ତେବେ ସରକାରଙ୍କ ଦ୍ଵାରା ପ୍ରଣୀତ ଏହି ସୁକନ୍ୟା ସମୃଦ୍ଧି ଯୋଜନା କେତେ ସୁବିଧାଜନକ ଜାଣିଛନ୍ତି କି?

ସୁକନ୍ୟା ସମୃଦ୍ଧି ଯୋଜନା କଣ?

ଏହି ଯୋଜନା ଭାରତରେ ଜାନୁଆରୀ 2015ରେ ଲଞ୍ଚ କରଯାଇଥିଲା ଓ ଏହା ସରକାରଙ୍କର ‘ବେଟି ବଚାଓ, ବେଟି ପଢାଓ’ ଅଭିଯାନର ଏକ ଅଂଶ ଅଟେ। ଏହି ଯୋଜନାରେ ପିତାମାତାମାନେ ସେମାନଙ୍କ ଝିଅ ନାମରେ ଯେ କୌଣସି ଡାକଘର ଓ ନିର୍ଦ୍ଧାରିତ ସରକାରୀ ବ୍ୟାଙ୍କରେ ଖାତା ଖୋଲି ପାରିବେ।

ଏହି ଯୋଜନାରେ ଜମା କରାଯାଇଥିବା ଅର୍ଥ ଉପରେ ବାର୍ଷିକ 8.6ପ୍ରତିଶତ ସୁଧା ଦିଆଯିବ। ପ୍ରଥମେ ଏହି ଯୋଜନାରେ ସର୍ବନିମ୍ନ ଜମାରାଶି ଟ.1,000 ରଖାଯାଇଥିଲା, ଚଳିତ ବର୍ଷ ଏହାକୁ ଟ.250 କରାଯାଇଛି। ଜଣେ ବ୍ୟକ୍ତି ଏହି ଖାତାରେ ବାର୍ଷିକ ସର୍ବାଧିକ ଏକଲକ୍ଷ ପଚାଶ ହଜାର ସଞ୍ଚୟ କରିପାରିବେ।

ଏହି ଖାତା ଖୋଲିବା ପାଇଁ କନ୍ୟାଙ୍କ ବୟସ 10ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଖାତା ଖୋଲିବାର 15ବର୍ଷ ପର୍ଯ୍ୟନ୍ତ ପିତାମାତାମାନେ ମାସିକ କିମ୍ବା ବାର୍ଷିକ ଭାବରେ ଟଙ୍କା ଡିପୋଜିଟ କରିପାରିବେ। ଖାତା ଖୋଲିବାର 15ବର୍ଷ ପରେ ଡିପୋଜିଟ କରିହେବ ନାହିଁ କିନ୍ତୁ ଆସନ୍ତା ସାତ ବର୍ଷ ଅର୍ଥାତ ଖାତା ଖୋଲିବାର 21ବର୍ଷ ପର୍ଯ୍ୟନ୍ତ ସୁଧ ମିଳିବ। ଏହାପରେ ଆପଣ ଟଙ୍କାକୁ ଉଠାଇ ପାରିବେ।  

ଯାହା ନାମରେ ଖାତା ଖୋଲାଯାଇଥାଏ ତାଙ୍କୁ 18ବର୍ଷ ପୂରିବା ପରେ ବିବାହ ପାଇଁ ବା ଉଚ୍ଚ ଶିକ୍ଷା ପାଇଁ ଆଂଶିକ ଅର୍ଥ ଉଠାଇ ପାରିବେ। ଖାତାରେ ଥିବା ମୋଟ ଅର୍ଥର 50%ହିଁ ଉଠାଇ ପାରିବେ।

21ବର୍ଷ ପରେ ଉଠାଇପାରିବେ ଅର୍ଥ

ଏହି ଯୋଜନାରେ ଅର୍ଥ ଜମା କରୁଥିବା ପିତାମାତାଙ୍କ ମନରେ ଅନେକ ଦ୍ଵନ୍ଦ ରହିଥାଏ। ଅନେକ ଭାବିଥାଆନ୍ତି ଯେ, କନ୍ୟାକୁ 21 ବର୍ଷ ହେବା ପରେ ହିଁ ଅର୍ଥ ଉଠାଇ ହେବ, ମାତ୍ର ଏହା ଭୁଲ ଧାରଣା। ଆପଣ କନ୍ୟାର ଯେଉଁ ବୟସରେ ଅର୍ଥ ଜମା କରିବା ଆରମ୍ଭ କରିଛନ୍ତି, ଠିକ ସେହି ବର୍ଷ ଠାରୁ 21ବର୍ଷ ପରେ ଉକ୍ତ ଜମାରାଶିକୁ ଉଠାଇ ପାରିବେ। ଅର୍ଥାତ, ଯଦି ଆପଣଙ୍କ ଝିଅକୁ  9 ବର୍ଷ ହୋଇଛି ଓ ଆପଣ ଏହି ଯୋଜନାରେ ଏକ ଖାତା ଖୋଲିଲେ, ତେବେ ଆପଣଙ୍କ କନ୍ୟାକୁ 30ବର୍ଷ ହେବା ସମୟରେ ହିଁ ଆପଣ ଉକ୍ତ ଅର୍ଥରାଶିକୁ ଉଠାଇ ପାରିବେ।

ତେଣୁ କନ୍ୟା ସନ୍ତାନ ଜନ୍ମ ହେବା ପରେ ପରେ ହିଁ ସୁକନ୍ୟା ସମୃଦ୍ଧି ଯୋଜନାରେ ଖାତା ଖୋଲନ୍ତୁ ଏବଂ ଅର୍ଥ ଜମା କରନ୍ତୁ। ଯାହାକି ଆପଣଙ୍କ ଝିଅକୁ 21ବର୍ଷ ହୋଇଥିବା ସମୟରେ ଏହି ରାଶିକୁ ଉଠାଇ ପାରିବେ ଓ ଉଚ୍ଚ ଶିକ୍ଷା ପାଇଁ ଖର୍ଚ୍ଚ କରିପାରିବେ।

#sukanyasamruddhiyojana #savings #personalfinance

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon