• padmabati kund

ଶୁଦ୍ଧ ଦୀପାବଳି : ଧୂଆଁ ପରିବର୍ତ୍ତେ ବାଣରୁ ବାହାରିବ ପାଣି


(ବେତାର ବ୍ୟୁରୋ) କିଛି ଦିନ ଆଗରୁ ସୁପ୍ରିମ କୋର୍ଟ ଦୀପାବଳିରେ ବାଣ ଫୁଟାଇବାକୁ ନେଇ ନିଜର ନିଷ୍ପତ୍ତି ଶୁଣାଇଥିଲେ। ପରିବେଶକୁ ଅଧିକ ପ୍ରଦୂଷଣ କରୁଥିବା ବାଣ ଫୁଟାଯିବ ନାହିଁ ବୋଲି କଡା ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ସବୁଜ ବାଣ ଓ ଇଲେକ୍ଟ୍ରିକ ବାଣର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପରିବେଶ ସୁରକ୍ଷା ଦିଗରେ ପ୍ରସ୍ତୁତ କରାଯାଉଥିବା ଏହି ସବୁଜ ବାଣ ଓ ଇଲେକ୍ଟ୍ରିକ ବାଣର ଫର୍ମୁଲା ପ୍ରସ୍ତୁତ ହୋଇଯାଇଛି, ତେବେ ଏହାର ବ୍ୟବହାର ଏବର୍ଷ ନ ହେଇ ଆସନ୍ତା ବର୍ଷ ଦୀପାବଳିରେ ହୋଇପାରିବ ବୋଲି ସୂଚନା ମିଳିଛି।

ଏହି ଫର୍ମୁଲା ଅନୁଯାୟୀ ସବୁଜ ବାଣ ଓ ଇଲେକ୍ଟ୍ରିକ ବାଣରେ ଏପରି ଏକ ରାସାୟନିକ ପଦାର୍ଥର ବ୍ୟବହାର କରାଯିବ, ଯାହା ଜଳିବା ସହିତ ସେଥିରୁ ଛୋଟ ଛୋଟ ବୁନ୍ଦା ପାଣି ବାହାରିବ। ଏହି ପାଣି ବୁନ୍ଦା ବାଣରୁ ବାହାରୁଥିବା ପ୍ରଦୂଷଣକୁ ଶୋଷି ନେବ ଓ ଏହାଦ୍ଵାରା 30 ରୁ 35 ପ୍ରତିଶତ ପ୍ରଦୂଷଣ କମ କରାଯାଇ ପାରିବ।

ଏହି ରିପୋର୍ଟ ପ୍ରସ୍ତୁତ କରାଯିବା ପରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ମନ୍ତ୍ରଣାଳୟକୁ ପଠାଯାଇଛି। ଏହାବ୍ୟତୀତ ଏହି ବାଣରେ ଆଲୁମିନିୟମ, ବେରିୟମ ଓ ପାଉଁଶର ବ୍ୟବହାର କରାଯିବ ନାହିଁ। ପାଉଁଶର ବ୍ୟବହାର ନକରାଯିବା କାରଣରୁ 15 ରୁ 20 ପ୍ରତିଶତ ପ୍ରଦୂଷଣ ଆପେ ଆପେ କମିଯିବ। ପାଉଁଶର ବ୍ୟବହାର ବାଣରେ ଫିଲର ଭାବରେ କରାଯାଇଥାଏ। ମନ୍ତ୍ରଣାଳୟ ତରଫରୁ ମଞ୍ଜୁରୀ ମିଳିବା ପରେ ଏପରି ଗ୍ରୀନ ବାଣ ପ୍ରସ୍ତୁତକାରୀଙ୍କୁ ଖୋଜା ଯିବ ଓ ବଜାରରେ ଡିଷ୍ଟ୍ରିବ୍ୟୁଟରଙ୍କ ସହ ମଧ୍ୟ କଥାବାର୍ତ୍ତା କରାଯିବ।

ଇଲେକ୍ଟ୍ରିକ ବାଣ

ବର୍ତ୍ତମାନ ବଜାରରେ ଗୋଟିଏ ବା ଦୁଇଟି ଇଲେକ୍ଟ୍ରିକ ବାଣ ପ୍ରସ୍ତୁତ କରୁଥିବା କମ୍ପାନୀ ରହିଛି। ଏହି ଇଲେକ୍ଟ୍ରିକ ବାଣ ଅଧିକ ଦାମୀ ହୋଇଥିବାରୁ ସାଧାରଣ ଜନତା ଏହା ବିଷୟରେ ଅଜ୍ଞ ଅଛନ୍ତି। ଏହା ଇଲେକ୍ଟ୍ରୋନିକ୍ସ ଉପକରଣ ପରି କାର୍ଯ୍ୟ କରିଥାଏ। ଏହା ଫୁଟିବା ସହିତ ଶବ୍ଦ ଓ ଆଲୋକ ମଧ୍ୟ ପ୍ରଦାନ କରିଥାଏ, କିନ୍ତୁ ଏଥିରୁ ଧୂଆଁ ବାହାରି ନଥାଏ। ଏହାବ୍ୟତୀତ ଏଥିରେ ହାନିକାରକ ରାସାୟନିକ ପଦାର୍ଥର ମଧ୍ୟ ବ୍ୟବହାର ହୋଇନଥାଏ।

ଏହି ଇଲେକ୍ଟ୍ରିକ ବାଣ ଚାର୍ଜ ହୋଇପାରୁଥିବା ବ୍ୟାଟେରୀରେ ମଧ୍ୟ କାମ କରିବ ଓ ଏହାକୁ ରିମୋଟ ସାହାଯ୍ୟରେ ନିୟନ୍ତ୍ରଣ କରାଯାଇ ପାରିବ। ଏହାର ମୂଲ୍ୟ ଅଧିକ ରହିଥିବାରୁ ବଜାରକୁ ଶସ୍ତା ଇଲେକ୍ଟ୍ରିକ ବାଣ ଆଣିବା ପାଇଁ ମଧ୍ୟ ଯୋଜନା କରାଯାଉଛି।

କେନ୍ଦ୍ରୀୟ ପର୍ଯ୍ୟାବାରଣ ମନ୍ତ୍ରଣାଳୟର ପରାମର୍ଶଦାତା ଡଃ ଟି.କେ ଯୋଶୀଙ୍କ କହିବା ଅନୁଯାୟୀ, ସବୁଜ ବାଣ ଓ ଇଲେକ୍ଟ୍ରୋନିକ୍ସ ବାଣର ନିର୍ମାଣ କାର୍ଯ୍ୟ ପ୍ରଗତି ପଥରେ ଅଛି। ମନ୍ତ୍ରଣାଳୟ ଓ ଅର୍ଥର ମଞ୍ଜୁରୀ ମିଳିବା ପରେ ବାଣ ନିର୍ମାତା ଏହାକୁ ପ୍ରସ୍ତୁତ କରିବା ଆରମ୍ଭ କରିବେ ଓ ଏହା ସହଜରେ ବଜାରରେ ଉପଲବ୍ଧ ହୋଇପାରିବ। ତେବେ ଚଳିତ ବର୍ଷ ଏହାର ଉପଯୋଗ ହୋଇପାରିବ ନାହିଁ, କିନ୍ତୁ ଆସନ୍ତା ବର୍ଷକୁ ଏହାର ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି।

#greencracker #ecrackers

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon