• ବେତାର ବ୍ୟୁରୋ

ଜଗନ୍ନାଥଙ୍କ ଲୁଗା, ଠାକୁରଙ୍କ ଶୟନ ଗଦି କାଟୁଛନ୍ତି ମୂଷା : ପ୍ରଶାସନ ଅସହାୟ


(ବେତାର ବ୍ୟୁରୋ) ମହାପ୍ରଭୁ ଜଗନ୍ନାଥଙ୍କର ଶ୍ରୀମନ୍ଦିର ଗର୍ଭ ଗୃହରେ ମୂଷାମାନେ ଉତ୍ପାତ କରୁଛନ୍ତି। ମୂଷାମାନେ ଗର୍ଭଗୃହରେ ପଶି ମହାପ୍ରଭୁଙ୍କ ପିନ୍ଧିଥିବା ବସ୍ତ୍ର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷକୁ ନଷ୍ଟ କରୁଛନ୍ତି। ଦୁଇରୁ ତିନି ମାସ ଧରି ମୂଷାମାନେ ଏପରି ଉତ୍ପାତ କରୁଥିଲେ ମଧ୍ୟ ପ୍ରଶାସନ ମୂଷାକୁ ଧରିବାରେ ସଫଳ ହୋଇପାରି ନାହିଁ। ଶେଷରେ ପ୍ରଶାସନ ନିଜର ଅସହାୟତା ପ୍ରକାଶ କରିଛନ୍ତି ଓ ମହାପ୍ରଭୁ ନିଜେ ତାଙ୍କର ଶତ୍ରୁକୁ ଧରନ୍ତୁ ବୋଲି କହିଛନ୍ତି।

ଗର୍ଭଗୃହରେ ମୂଷାଙ୍କର ଏହି ଉତ୍ପାତ ଯୋଗୁଁ ପରିସ୍ଥିତି ଉଦବେଗଜନକ ରହିଛି। ଗର୍ଭଗୃହରେ ମହାପ୍ରଭୁଙ୍କ ବସ୍ତ୍ର ଓ ଅନେକ ମୂଲ୍ୟବାନ ଜିନିଷ ରହୁଥିବାରୁ ମୂଷା ଧରିବା ପାଇଁ ପ୍ରଶାସନ ତରଫରୁ ଅନେକ ଯୋଜନା କରାଯାଉଛି। ଗର୍ଭଗୃହରେ ଯନ୍ତା ବସାଇ ସେଥିରେ କଖାରୁ ଲଗାଯାଉଛି। କିନ୍ତୁ ମୂଷା ଯନ୍ତାରେ ପଡୁନାହାନ୍ତି। ମୂଷାଙ୍କୁ ଯନ୍ତାଆଡକୁ ଆକର୍ଷିତ କରିବା ପାଇଁ ଯନ୍ତାରେ ଗୁଆଘିଅ ମଧ୍ୟ ଲଗାଯାଉଛି କିନ୍ତୁ ରାତିରେ ଯନ୍ତାକୁ ଯେଉଁପରି ରଖାଯାଉଛି ସକାଳୁ ଯନ୍ତାକୁ ସେହିପରି ଭାବରେ କଢା ଯାଉଛି। ମୂଷାର କୌଣସି ଚିହ୍ନବର୍ଣ୍ଣ ମିଳୁନାହିଁ।

ଏନେଇ ଶ୍ରୀମନ୍ଦିରର ନୀତି ପ୍ରଶାସକ ପ୍ରଦୀପ ଦାଶ କହିଛନ୍ତି, “ବିଗ୍ରହର କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ଗତ ତିନି ଚାରିମାସ ହେବ ମୂଷାମାନେ ମୁଣ୍ଡ ଖରାପ କରିସାରିଲେଣି। ଏଥିପାଇଁ ଦୁଇ ତିନିଥର ବୈଠକ ମଧ୍ୟ ଡକାଯାଇଛି ଏବଂ ସମ୍ପୃକ୍ତ ସେବକ ଓ ପଞ୍ଚ ମହାନାୟକ ସ୍ତରରେ ମଧ୍ୟ ଆଲୋଚନା କରାଯାଇଛି। କେଉଁ ପ୍ରକାରରେ ମୂଷାଙ୍କୁ ଧରାଯିବ ସେନେଇ ବୈଠକରେ ଆଲୋଚନା କରଯାଇଥିଲା।“

ମହାପ୍ରଭୁଙ୍କର ଗର୍ଭଗୃହରେ ବିଷ କିମ୍ବା କୌଣସି ରାସାୟନିକ ପଦାର୍ଥ ପ୍ରୟୋଗ କରାଯାଇପାରିବ ନାହିଁ, ସେଥିପାଇଁ କେବଳ ଯନ୍ତା ସାହାଯ୍ୟରେ ମୂଷାକୁ ଧରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ନୀତି ପ୍ରଶାସକ ପ୍ରଦୀପ ଦାଶଙ୍କ କହିବା ଅନୁଯାୟୀ, ମୂଷାମାନେ ବହୁତ ଚାଲାକ। ଗର୍ଭଗୃହରେ ବଡ ମୂଷାଙ୍କର ଉତ୍ପାତ ରହିଛି ବୋଲି ସନ୍ଦେହ କରାଯାଇ ବ୍ରହ୍ମପୁରରୁ ଟ.800 ରୁ ଟ.1,000 ମୂଲ୍ୟର ସ୍ଵତନ୍ତ୍ର ଯନ୍ତା ମଧ୍ୟ ତିଆରି କରଯାଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନାହିଁ, କେବଳ ଦୁଇରୁ ତିନିଟି ଛୋଟ ମୂଷା ଧରା ପଡିଛନ୍ତି ବୋଲି ନୀତି ପ୍ରଶାସକ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୂଷାଙ୍କର ଗତିପଥ ମଧ୍ୟ କିଛି ଜଣାପଡୁନାହିଁ। କେତେକେ କହୁଛନ୍ତି କଳାହାଟ ଦ୍ଵାର ଦେଇ ମୂଷା ଆସୁଛି ଓ ଅନ୍ୟ କେତେକ କହୁଛନ୍ତି ଗର୍ଭଗୃହରୁ ପାଣି ଯାଉଥିବା ନଳାପଟେ ମୂଷା ଭିତରକୁ ପ୍ରବେଶ କରୁଛନ୍ତି। ଗର୍ଭଗୃହର ଛାତରୁ ମୂଷା ଖସୁଛନ୍ତି ବୋଲି ମଧ୍ୟ କେତେକ କହିଛନ୍ତି। ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ୱେ ମୂଷା ଧରା ପଡୁନାହାନ୍ତି ଓ ଏହି କ୍ଷୁଦ୍ରଶକ୍ତି ଆଗରେ ପ୍ରଶାସନ ହାର ମାନିଛି ବୋଲି ପ୍ରଦୀପ ଦାସ କହିଛନ୍ତି।

ମହାପ୍ରଭୁଙ୍କର ଗର୍ଭ ଗୃହରେ ସୃଷ୍ଟି ହୋଇଥିବା ଏପରି ବିଚିତ୍ର ସ୍ଥିତି ସେବାୟତଙ୍କ ସହିତ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି। ମହାପ୍ରଭୁଙ୍କ ସେବାରେ ଏପର୍ଯ୍ୟନ୍ତ କୌଣସି ବୁଝାମଣା କରାଯାଇନଥିଲେ ମଧ୍ୟ ସାମାନ୍ୟ ମୂଷା ପ୍ରଶାସନକୁ ନୟାନ୍ତ କରିଦେଇଛି।

#puritemple #garbhagruha #rat

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon