- padmabati kund
ଯାଦବଙ୍କୁ ରଖି ମହମ୍ମଦ ସାମୀଙ୍କୁ ବାଦ ଦେବାରୁ ଜାଡେଜା, କ୍ରିକେଟ ଫ୍ୟାନ ବିରକ୍ତ

(ବେତାର ବ୍ୟୁରୋ) ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦୁଇଟି ମ୍ୟାଚ ଖେଳା ସାରିଥିବା ବେଳେ ଆଉ ତିନୋଟି ମ୍ୟାଚ ବାକି ରହିଛି। ବିସିସିଆଇର ଅଖିଳ ଭାରତୀୟ ସିନିୟର ଚୟନ ସମିତି ତରଫରୁ ଗୁରୁବାର ବାକି ତିନୋଟି ମ୍ୟାଚ ପାଇଁ ଦଳର ଘୋଷଣା କରାଯାଇଛି। ଦଳରୁ ମହମ୍ମଦ ସାମିଙ୍କୁ ବାଦ ଦେଇଥିବା ବେଳେ ଜସପ୍ରିତ ବୁମରାହ ଓ ଭୁବନେଶ୍ଵର କୁମାରଙ୍କୁ ସ୍ଥାନ ମିଳିଛି। ତେବେ ଏହି ଚୟନ ପ୍ରକ୍ରିୟାକୁ ନେଇ ଦର୍ଶକମାନେ ବିସିସିଆଇକୁ ପ୍ରଶ୍ନ କରିଛନ୍ତି, ଏହାସହିତ ପୂର୍ବତନ ଅଲରାଉଣ୍ଡର ଅଜୟ ଜାଡେଜା ମଧ୍ୟ ନିଜ ମତ ରଖିଛନ୍ତି।
ଆଗକୁ କ୍ରିକେଟ ୱାର୍ଲ୍ଡକପ ଆସୁଛି। ଏହାକୁ ଲକ୍ଷ୍ୟ କରି ଦଳରେ ଖେଳାଳୀ ମାନଙ୍କୁ ଚୟନ କରାଯାଉଛି। ତେବେ ଏନେଇ ଭାରତର ପୂର୍ବତନ ଅଲରାଉଣ୍ଡର ଅଜୟ ଜାଡେଜା କହିଛନ୍ତି,”ଆଗାମୀ ୱାର୍ଲ୍ଡକପ ପାଇଁ ଦଳକୁ ପ୍ରସ୍ତୁତ କରାଯାଉଥିବାର ଦେଖିବାକୁ ମିଳୁଛି, ମାତ୍ର ଦଳରେ ଖେଳାଳୀଙ୍କୁ ଚୟନ କରାଯାଉ ନାହିଁ ବରଂ ଖେଳାଳୀ ମାନଙ୍କୁ ଦଳରୁ ରିଜେକ୍ଟ କରାଯାଉଛି।“
ୱାନଡେ ସିରିଜରେ ବାକି ଥିବା ତିନୋଟି ମ୍ୟାଚ ପାଇଁ ବିସିସିଆଇ ତରଫରୁ ଦଳ ଘୋଷଣା କରାଯିବା ପରେ ଟ୍ଵିଟରରେ ଲୋକମାନେ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଦଳରୁ ମହମ୍ମଦ ସାମିଙ୍କୁ ବାଦ ଦେବା ଓ ଉମେଶ ଯାଦବଙ୍କୁ ରଖିବାକୁ ନେଇ ପ୍ରଶ୍ନ କରିଛନ୍ତି।
ଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି, “ ଉମେଶ ଯାଦବଙ୍କୁ କେଉଁ ଖୁସିରେ ଦଳରେ ରଖାଗଲା, କଣ ମ୍ୟାଚ ଟାଇ କରିଥିବା ପାଇଁ?”
ଆଉ ଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି, “ଉମେଶ ଯାଦବଙ୍କୁ ଦଳରେ ରଖି ମହମ୍ମଦ ସାମିଙ୍କୁ ଦଳରୁ ବାହାର କରାଯାଇଛି। ଆଶ୍ଚର୍ଯ୍ୟକର ନିଷ୍ପତ୍ତି।“
ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି, “ମହମ୍ମଦ ସାମି ଦଳରେ କାହାନ୍ତି? ଦ୍ଵିତୀୟ ୱାନଡେ ମ୍ୟାଚରେ ଉମେଶଙ୍କ ଠାରୁ ସେ ଭଲ ଖେଳିଥିଲେ।“
ପ୍ରଥମ ଦୁଇଟି ୱାନଡେ ମ୍ୟାଚରେ ଉଭୟ ମହମ୍ମଦ ସାମି ଓ ଉମେଶଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା, କିନ୍ତୁ କେବଳ ମହମ୍ମଦ ସାମିକୁ ଦଳରୁ ବାଦ ଦିଆଯାଇଛି। ପ୍ରଥମ ଦୁଇଟି ମ୍ୟାଚରେ ସାମି ମାତ୍ର ତିନୋଟି ୱିକେଟ ହାସଲ କରିଥିଲେ ଓ ତାଙ୍କର ଇକୋନୋମୀ ରେଟ 7 ରହିଥିଲା। ଗୌହାଟିରେ ଖେଳାଯାଇଥିବା ପ୍ରଥମ ୱାନଡେ ମ୍ୟାଚରେ ନିଜର ଦଶ ଓଭର ବୋଲିଂରେ ମୋଟ 81ରନ ଦେଇ 2ଟି ୱିକେଟ ହାସଲ କରିଥିଲେ ଓ ବିଶାଖାପାଟଣାରେ ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚରେ ଦଶ ଓଭର ବୋଲିଂରେ ମୋଟ 59ରନ ଦେଇ 1ଟି ୱିକେଟ ହାସଲ କରିଥିଲେ।

ଅନ୍ୟପଟେ ଉମେଶ ଯାଦବ ପ୍ରଥମ ଦୁଇଟି ୱାନଡେ ମ୍ୟାଚରେ ମାତ୍ର ଗୋଟିଏ ୱିକେଟ ହାସଲ କରିଥିଲେ ଓ ତାଙ୍କର ଇକୋନୋମି ରେଟ 7.10 ରହିଥିଲା। ପ୍ରଥମ ୱାନଡେ ମ୍ୟାଚରେ ସେ ମୋଟ 64 ରନ ଦେଇଥିବା ବେଳେ ଦ୍ଵିତୀୟ ୱାନଡେ ମ୍ୟାଚରେ 78 ରନ ଦେଇଥିଲେ।
ବୁଧବାର ଖେଳାଯାଇଥିବା ଦ୍ଵିତୀୟ ୱାନଡେ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜ ଦଳକୁ 322ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଭାରତକୁ ଶେଷ ଦୁଇ ଓଭରରେ 20 ରନ ଡିଫେଣ୍ଡ କରିବା ପାଇଁ ଥିଲା। 49 ଓଭରରେ ସାମି ମାତ୍ର 6 ରନ ଦେଇଥିଲେ କିନ୍ତୁ ଶେଷ ଓଭରରେ ଉମେଶ ଯାଦବ 14 ଦେଇଥିଲେ ଯାହାଫଳରେ ମ୍ୟାଚ ଟାଇ ହୋଇଯାଇଥିଲା।