• padmabati kund

ଟି-ଟ୍ୱେଣ୍ଟି ପାଇଁ ଧୋନିଙ୍କୁ ମିଳିଲାନି ସ୍ଥାନ, ଏହି କାରଣ ଦେଲେ ଚୟନକର୍ତ୍ତା


(ବେତାର ବ୍ୟୁରୋ) ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଭାରତରେ ଖେଳିବାକୁ ଥିବା ଟି-ଟ୍ୱେଣ୍ଟିସିରିଜ ପାଇଁ ଦଳରେ ସାମିଲ କରାଯାଇନାହିଁ। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଏମ.କେ ଶର୍ମାଙ୍କ ଅଧ୍ୟକ୍ଷତାରେ ଚୟନ ସମିତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାସହିତ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-ଟ୍ୱେଣ୍ଟି ସିରିଜ ପାଇଁ ମଧ୍ୟ ଧୋନିଙ୍କୁ ଦଳରେ ସ୍ଥାନ ଦିଆଯାଇନାହିଁ।

ତେବେ ଟି-ଟ୍ୱେଣ୍ଟି କ୍ରିକେଟରେ ଧୋନିଙ୍କ କ୍ୟାରିୟର ଏହିଠାରେ ଶେଷ ହୋଇଯିବ କି ପଚାରିବାରୁ ଦଳ ଚୟନକର୍ତ୍ତା କହିଥିଲେ, “ବର୍ତ୍ତମାନ ଧୋନିଙ୍କ କ୍ୟାରିୟର ଟି-ଟ୍ୱେଣ୍ଟିରେ ସମାପ୍ତ ହୋଇନାହିଁ। ବର୍ତ୍ତମାନ ଦଳ ପାଇଁ ଦ୍ଵିତୀୟ ୱିକେଟକିପରର ବିକଳ୍ପ ଖୋଜା ଯାଉଛି। ସେଥିପାଇଁ ରିଷଭ ପନ୍ତ ଓ ଦିନେଶ କାର୍ତ୍ତିକଙ୍କୁ ଦଳରେ ସାମିଲ କରାଯାଇଛି। “

ଭାରତର ସବୁଠାରୁ ଅଭିଜ୍ଞ ଟି-ଟ୍ୱେଣ୍ଟି ଖେଳାଳୀ

37ବର୍ଷୀୟ ମହେନ୍ଦ୍ର ସିଂ ଧୋନି ଭାରତ ପାଇଁ ସବୁଠାରୁ ଅଧିକ ଟି-ଟ୍ୱେଣ୍ଟି ଇଣ୍ଟରନାସିନାଲ ମ୍ୟାଚ ଖେଳିଛନ୍ତି। ଭାରତ ଡିସେମ୍ବର ମାସ 2006ରୁ ଟି-ଟ୍ୱେଣ୍ଟି ଖେଳିବା ଦିନଠାରୁ ମୋଟ 104ଟି ମ୍ୟାଚ ଖେଳିଛି, ସେଥିମଧ୍ୟରୁ 93ଟି ମ୍ୟାଚରେ ଧୋନି ଖେଳିଛନ୍ତି। ଧୋନିଙ୍କ ଅଧିନାୟକତାରେ ଭାରତୀୟ ଦଳ 2007 ମସିହାରେ ପ୍ରଥମ ୱାର୍ଲ୍ଡ ଟି-ଟ୍ୱେଣ୍ଟି ଜିତିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଧୋନି ଟି-ଟ୍ୱେଣ୍ଟି ଇଣ୍ଟରନାସିନାଲରେ 1487 ରନ କରିଛନ୍ତି। ୱିକେଟ କିପର ଭାବରେ ଧୋନି ଟି-ଟ୍ୱେଣ୍ଟି ଇଣ୍ଟରନାସିନାଲରେ 54ଟି କ୍ୟାଚ ଧରିଛନ୍ତି ଓ 33ଟି ଷ୍ଟମ୍ପିଙ୍ଗ କରିଛନ୍ତି।

କୋହଲିଙ୍କୁ ଆରାମ

ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ନଭେମ୍ବର 4ରୁ ଆରମ୍ଭ ହେବାକୁ ଥିବା ଟି-ଟ୍ୱେଣ୍ଟି ସିରିଜରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସାମିଲ କରାଯାଇ ନାହିଁ। ଚୟନକର୍ତ୍ତାଙ୍କ କହିବା ଅନୁଯାୟୀ, ବିରାଟ କୋହଲିଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ସାମିଲ କରାଯାଇନାହିଁ ଓ ତାଙ୍କୁ ଆରାମ ଦିଆଯିବ। ସେ ପୁଣି ଅଷ୍ଟ୍ରେଲିଆ ବିରୁଦ୍ଧରେ ଟି-ଟ୍ୱେଣ୍ଟି ସିରିଜରେ ଖେଳିବେ। ବିରାଟଙ୍କ ଅନୁପସ୍ଥିତିରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚରେ ରୋହିତ ଶର୍ମା ଦଳର ଅଧିନାୟକ ଭାର ସମ୍ଭାଳିବେ।

ଆୟର ଓ ନଦୀମ ଦଳରେ ସାମିଲ

ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳରେ ଶ୍ରେୟସ ଆୟର ଓ ଶାହବାଜ ନଦୀମଙ୍କୁ ସାମିଲ କରାଯାଇଛି। 23ବର୍ଷୀୟ ଶ୍ରେୟସ ଆୟର ନିଜର ଶେଷ ଟି-ଟ୍ୱେଣ୍ଟି ଇଣ୍ଟରନାସିନାଲ ଡିସେମ୍ବର 2017ରେ ଖେଳିଥିଲେ। ଏହାପରେ ଇଣ୍ଡିଆ-ଏ ପାଇଁ ଖେଳିଥିଲେ। ଚଳିତ ବର୍ଷ ଆଇପିଏଲରେ ମଧ୍ୟ ଦିଲ୍ଲୀ ଡେୟାର ଡେଭିଲ୍ସ ପାଇଁ ଅଧିନାୟକ ହୋଇଥିଲେ। ଏହାସହିତ ବାମହତୀ ସ୍ପିନର ଶାହବାଜ ନଦୀମଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ଶାହବାଜ କିଛି ଦିନ ପୂର୍ବରୁ 50ଓଭର ମ୍ୟାଚରେ ରେକର୍ଡ କରିଛନ୍ତି। ସେ ମୋଟ ଦଶ ଓଭରରେ 10 ରନ ଦେଇ 8ଟି ୱିକେଟ ନେଇଥିଲେ। ଶାହବାଜଙ୍କ ସମେତ ଦଳରେ ୟୁଜବେନ୍ଦ୍ର ଚେହଲ, କୁଳଦୀପ ଯାଦବ, କ୍ରୁନାଲ ପାଣ୍ଡ୍ୟା ଓ ୱାଶିଙ୍ଗଟନ ସୁନ୍ଦରଙ୍କୁ ମଧ୍ୟ ସାମିଲ କରାଯାଇଛି।

#cricket #msdhoni #T20cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon