• padmabati kund

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ରୋହିତଙ୍କ ସିଲେକ୍ସନକୁ ନେଇ ଉଠିଲା ପ୍ରଶ୍ନ


(ବେତାର ବ୍ୟୁରୋ) ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ ତରଫରୁ କିଛି ଦିନପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଚାରିଟି ଟେଷ୍ଟ ମ୍ୟାଚ ପାଇଁ ଦଳ ଘୋଷଣା କରାଯାଇଛି। ଦଳରେ ମୂରଲୀ ବିଜୟ, ରିଷଭ ପନ୍ଥ, ପାର୍ଥିବ ପଟେଲ ଓ ପୃଥ୍ଵୀ ଶ’ଙ୍କ ସମେତ ରୋହିତ ଶର୍ମାଙ୍କୁ ମଧ୍ୟ ସ୍ଥାନ ମିଳିଛି। ତେବେ ରୋହିତ ଶର୍ମାଙ୍କୁ ଦଳରେ ସାମିଲ କରିବା ନେଇ ବିସିସିଆଇର ନିଷ୍ପତ୍ତିରେ ଭାରତର ପୂର୍ବତନ ଖେଳାଳୀ ସୁବ୍ରମନିଆନ ବଦ୍ରିନାଥ ପ୍ରଶ୍ନ ଉଠାଇଛନ୍ତି ଓ ମୟଙ୍କ ଅଗ୍ରୱାଲଙ୍କୁ ଦଳରୁ କାହିଁକି ବାହାର କରାଗଲା ବୋଲି ପ୍ରଶ୍ନ କରିଛନ୍ତି।

ବଦ୍ରିନାଥ କହିଛନ୍ତି, “ମୟଙ୍କ ଅଗ୍ରୱାଲଙ୍କୁ ଦଳରୁ ବାହାର କରି ରୋହିତଙ୍କୁ କାହିଁକି ଦଳରେ ସାମିଲ କରାଯାଇଛି? ମୟଙ୍କ ଅଗ୍ରୱାଲଙ୍କ କିଛି ଭୁଲ ନାହିଁ। ସେ ଲଗାତାର ରନ ସଂଗ୍ରହ କରୁଛନ୍ତି ଓ ଲମ୍ବା ସମୟ ପର୍ଯ୍ୟନ୍ତ ଖେଳୁଛନ୍ତି। ସେ ନିଜର ପରିଶ୍ରମ ଫଳରେ ଦଳରେ ସ୍ଥାନ ପାଇଥିଲେ, କିନ୍ତୁ ତାଙ୍କୁ ଗୋଟିଏ ମ୍ୟାଚ ଖେଳିବା ପାଇଁ ସୁଯୋଗ ଦିଆଯାଇନାହିଁ। କୌଣସି ମ୍ୟାଚ ଖେଳିବାକୁ ସୁଯୋଗ ନଦିଆଯାଇ ତାଙ୍କୁ ଦଳରୁ ବାହାର କରିଦିଆଗଲା।“

ଏହାବ୍ୟତୀତ ବଦ୍ରିନାଥ ଚୟନକର୍ତ୍ତାଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଦଳରେ ଚୟନ କରିବାର ପ୍ରକ୍ରିୟା କଣ? ମୟଙ୍କଙ୍କୁ କଣ ସନ୍ତୁଷ୍ଟି ଦେବା ପାଇଁ ଦଳରେ ସାମିଲ କରଯାଇଥିଲା। ଏପରି କରି ଚୟନକର୍ତ୍ତା କଣ ପ୍ରମାଣ କରିବାକୁ ଚାହୁଁଛନ୍ତି।“

ବଦ୍ରିନାଥ ଆହୁରି ମଧ୍ୟ କହିଛନ୍ତି ଯେ, ରୋହିତ ଶର୍ମା ୱାନ-ଡେ ଏବଂ ଟି-ଟ୍ୱେଣ୍ଟି ଖେଳିବାରେ ସବୁଠାରୁ ଭଲ ବ୍ୟାଟ୍ସମ୍ୟାନ କିନ୍ତୁ ଟେଷ୍ଟ କ୍ରିକେଟରେ ସେତେଟା ପ୍ରଭାବିତ କରିପାରିନାହାନ୍ତି।ଏପରି ସ୍ଥିତିରେ ରୋହିତଙ୍କୁ କାହିଁକି ଦଳରେ ସ୍ଥାନ ଦିଆଯାଇଛି ସେ ବୁଝି ପାରୁନାହାନ୍ତି। ମୟଙ୍କ ଅଗ୍ରୱାଲ 2017-18ରେ ଖେଳିଥିବା ଘରୋଇ ମ୍ୟାଚରେ 1160 ରନ ସଂଗ୍ରହ କରିଛନ୍ତି।

ଏହାପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ, ରୋହିତଙ୍କୁ ଦଳରେ ଚୟନ କରିବାକୁ ନେଇ କହିଥିଲେ ଯେ, ରୋହିତ ଶର୍ମା ବ୍ୟାକଫୁଟର ଜଣେ ଭଲ ଖେଳାଳୀ ଅଟନ୍ତି ଏବଂ ଅଷ୍ଟ୍ରେଲିଆର ପିଚରେ ରୋହିତ ଭାରତ ପାଇଁ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖାଯାଇଛି।

ଅଷ୍ଟ୍ରେଲିଆରେ ଟେଷ୍ଟ ମ୍ୟାଚ ପାଇଁ ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସାମିଲ କରାନଯିବାକୁ ନେଇ କ୍ରିକେଟପ୍ରେମୀ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଯେଉଁଠି ମୁରଲୀ ବିଜୟଙ୍କୁ ପୁଣିଥରେ ଦଳରେ ସ୍ଥାନ ଦିଆଯାଇଛି, ସେଠାରେ ଘରୋଇ କ୍ରିକେଟରେ ଲଗାତର ଭାବରେ ରନ ସଂଗ୍ରହ କରୁଥିବା ମୟଙ୍କ ଅଗ୍ରୱାଲଙ୍କୁ କାହିଁକି ଅଣଦେଖା କରାଯାଉଛି ବୋଲି କ୍ରିକେଟପ୍ରେମୀମାନେ ମଧ୍ୟ ପ୍ରଶ୍ନ କରିଛନ୍ତି।

#cricket #rohitsharmaa

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon