- padmabati kund
ଭିଡିଓ : ଉତ୍ତରାଖଣ୍ଡର ପ୍ରଳୟଙ୍କରୀ ବନ୍ୟା ଉପରେ ନିର୍ମିତ ବଲିଉଡ ଫିଲ୍ମ ‘କେଦାରନାଥ’ର ଟିଜର ରିଲିଜ

(ବେତାର ବ୍ୟୁରୋ) ଅନେକ ବାଦବିବାଦ ପରେ ପ୍ରତୀକ୍ଷାର ଅନ୍ତ ଘଟାଇ ସୁଶାନ୍ତ ସିଂ ରାଜପୁତ ଓ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘କେଦାରନାଥ’ର ଟିଜର ରିଲିଜ କରାଯାଇଛି। ଫିଲ୍ମଟି ଆସନ୍ତା ଡିସେମ୍ବର 7 ତାରିଖରେ ରିଲିଜ କରାଯିବ। ଏହି ଫିଲ୍ମରେ କେଦାରନାଥରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ସହିତ ଏକ ପ୍ରେମକାହାଣୀକୁ ଚିତ୍ରିତ କରାଯାଇଛି ।
ଏହାର ଟିଜରକୁ ଆର.ଏସ.ଭି.ପି ମୁଭିଜ ତରଫରୁ ୟୁଟ୍ୟୁବରେ ରିଲିଜ କରାଯାଇଛି। 100ସେକେଣ୍ଡର ଏହି ଟିଜରରେ କିଛି ଡାଇଲଗ ନାହିଁ। ଏଥିରେ କେବଳ ମ୍ୟୁଜିକ ରହିଛି ଓ କାହାଣୀର କିଛି ଝଲକ ମଧ୍ୟ ରହିଛି, ଯାହାକି ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ଉଠାଇବ।
2013 ମସିହାରେ କେଦାରନାଥରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଇଥିଲା। ସେହି ସମୟର ଏକ ପ୍ରେମ କାହାଣୀକୁ ଫିଲ୍ମରେ ଚିତ୍ରିତ କରାଯାଇଛି। ଟିଜରରେ ମଧ୍ୟ ଉକ୍ତ ବନ୍ୟାର ଝଲକ ଦେଖିବାକୁ ମିଳିଛି, ଯାହା ଦର୍ଶକଙ୍କ ଲୋମ ଟାଙ୍କୁରୀ ଦେବ।
ତେବେ ଟିଜର ରିଲିଜ ହେବା ପୂର୍ବରୁ ଫିଲ୍ମର ଏକ ପୋଷ୍ଟର ଟ୍ଵିଟରରେ ରିଲିଜ କରଯାଇଥିଲା। ଫିଲ୍ମର ନିର୍ଦ୍ଦେଶକ ଅଭିଷେକ କପୂର ନିଜ ଟ୍ଵିଟର ଆକାଉଣ୍ଟରେ ଏହୋ ପୋଷ୍ଟରକୁ ଶେୟାର କରିଥିଲେ। ଏହି ପୋଷ୍ଟରରେ ସେ ଲେଖିଥିଲେ, ‘ନା ବିୟୋଗାନ୍ତକ ନାଟକ, ନା ପ୍ରକୃତିର ପ୍ରକୋପ, ନା ଭଗବାନ ପ୍ରେମକୁ ହରାଇ ପାରିବେ।‘
ସୁଶାନ୍ତ ସିଂ ରାଜପୁତଙ୍କୁ ଏହି ଫିଲ୍ମରେ ଜଣେ ପିଠୁ ଶ୍ରମିକ ଭାବରେ ଦେଖିବାକୁ ମିଳିବ। ପିଠୁ ମାନେ ପାହାଡି ରାସ୍ତାରେ ଲୋକମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚାଇବା କାମ କରିଥାଆନ୍ତି। ଏହି ଶ୍ରମିକମାନେ କାଠରେ ତିଆରି ଏକ ଜିନିଷକୁ ନିଜ ପିଠିରେ ବାନ୍ଧିରଖନ୍ତି ଓ ଏଥିରେ ଲୋକଙ୍କୁ ବସାଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଥାନ୍ତି। କେଦାରନାଥଙ୍କ ପୀଠରେ ଏପରି ପିଠୁଙ୍କୁ ଦେଖିବାକୁ ମିଳିଥାଏ।
ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନ ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସାରା ଏଥିରେ ଜଣେ ଭାରତୀୟ ପର୍ଯ୍ୟଟକ ମୁକ୍କୁ ଭୂମିକାରେ ଅଭିନୟ କରିଛନ୍ତି। ସେ ଗୌରୀକୁଣ୍ଡରୁ କେଦାରନାଥ ପର୍ଯ୍ୟନ୍ତ ପିଠୁ (ସୁଶାନ୍ତ ସିଂ ରାଜପୁତ)ରେ ଯାତ୍ରା କରୁଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଯାଇଛି ଓ ଅନ୍ୟପଟେ କେଦାରନାଥରେ ଭୟଙ୍କର ବନ୍ୟା ମଧ୍ୟ ଆସିଛି। ତେବେ ପ୍ରକୃତିର ଏହି ପ୍ରଳୟଙ୍କରୀ ବନ୍ୟାରୁ ସୁଶାନ୍ତ ସିଂ ରାଜପୁତ କିପରି ନିଜର ପ୍ରେମକୁ ବଞ୍ଚାଉଛନ୍ତି ତାହା ଏଥିରେ ଦେଖିବାକୁ ମିଳିବ।
ରୋନି ସ୍କୃୱାଲା ଓ ପ୍ରଜ୍ଞା କପୁର ଏହାର ପ୍ରଯୋଜନା କରିଛନ୍ତି । ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦ ଯୋଗୁଁ ଏହାର ସୁଟିଙ୍ଗ ଅନେକ ସମୟ ଧରି ବନ୍ଦ ରହିଥିଲା। ତେବେ ଅନେକ ସମୟ ବ୍ୟବଧାନ ପରେ ଏହା ଡିସେମ୍ବର 7 ତାରିଖ’ରେ ରିଲିଜ ହେବାକୁ ଯାଉଛି। ସାରା ଏହି ଫିଲ୍ମ ବ୍ୟତୀତ ରୋହିତ ଶେଟ୍ଟୀଙ୍କ ‘ଶିମ୍ବା’ରେ ମଧ୍ୟ ଅଭିନୟ କରୁଛନ୍ତି। ଏଥିରେ ସେ ରଣବୀର ସିଂଙ୍କ ସହିତ ଅଭିନୟ କରିଛନ୍ତି।