• padmabati kund

ଜିଓ ପ୍ରଭାବ : ଏୟାରଟେଲ,ଭୋଡଫୋନରେ କେବଳ ଟକ୍ ଟାଇମ ରିଚାର୍ଜ କଲେ ହେବ ଅଧିକ ଖର୍ଚ୍ଚ


(ବେତାର ବ୍ୟୁରୋ) ଟେଲିକମ ବଜାରରେ ରିଲାଏନ୍ସ ଜିଓ ପ୍ରବେଶ କରିବା ପରେ ଟେଲିକମ କମ୍ପାନୀ ଗୁଡିକ ମଧ୍ୟରେ ପ୍ରତିଯୋଗୀତା ବଢି ଯାଇଛି। ଦିନକୁ ଦିନ ଟେଲିକମ କମ୍ପାନୀ ଗୁଡିକ ନିଜର ଡାଟା ପ୍ୟାକ ଓ ଟକଟାଇମକୁ ମଧ୍ୟ ଶସ୍ତା କରିବାକୁ ଲାଗିଛନ୍ତି। ଏହାପରେ ଏୟାରଟେଲ ଓ ଭୋଡଫୋନ-ଆଇଡିଆ କମ୍ପାନୀ ଟକଟାଇମ ତାରିଫ ମାମଲାରେ ରିଲାଏନ୍ସ ଜିଓର ବିଜିନେସ ମଡେଲ କପି କରୁଥିବାର ଦେଖିବାକୁ ମିଳିଛି। ଯେଉଁ ଗ୍ରାହକମାନେ ମୋବାଇଲରେ ଡାଟା ଓ ଏସ.ଏମ.ଏସ ବ୍ୟତୀତ ଟକଟାଇମର ଅଧିକ ବ୍ୟବହାର କରିଥାଆନ୍ତି, ସେମାନଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ ଅଟେ।

ଟେଲିକମ କମ୍ପାନୀ ବିଷୟରେ ଖବର ପ୍ରକାଶ କରୁଥିବା ୱେବସାଇଟ trak.inର ଏକ ଖବର ଅନୁଯାୟୀ, ଏୟାରଟେଲ, ଭୋଡଫୋନ-ଆଇଡିଆ ସମେତ ଅନ୍ୟ ଟେଲିକମ କମ୍ପାନୀ ଗୁଡିକ ନିଜର କମ ଦାମର ଟକଟାଇମ ପ୍ଳାନକୁ ବନ୍ଦ କରିଦେଇଛନ୍ତି। ଯାହାଫଳରେ ଗ୍ରାହକମାନଙ୍କୁ ଅତିକମରେ 28 ଦିନରେ ରିଚାର୍ଜ କରିବାକୁ ପଡିବ।

ଟେଲିକମ କମ୍ପାନୀ ଗୁଡିକ ନିଜର କମ ମୂଲ୍ୟର ଟକଟାଇମ ପ୍ଳାନକୁ ବନ୍ଦ କରିବା ପରେ ବର୍ତ୍ତମାନ କେବଳ ତିନୋଟି ଟକଟାଇମ ପ୍ଳାନ ଦେଖିବାକୁ ମିଳୁଛି। ମାଇ ଏୟାରଟେଲ ଆପରେ ଟକଟାଇମ ଅଫରରେ କେବଳ ତିନୋଟି ପ୍ଳାନ ରହିଛି। ସେଗୁଡିକ ହେଉଛି ଟ.10, ଟ.1000 ଓ ଟ.5000।ଏହି ପ୍ଳାନ ଗୁଡିକୁ ରିଚାର୍ଜ କରିବାର ବୈଧତା ଅନଲିମିଟେଡ ବୋଲି ଉଲ୍ଲେଖ କରାଯାଇଛି ମାତ୍ର ଏହି ଟକଟାଇମ ରିଚାର୍ଜ ପରେ ଆଉଟଗୋଇଙ୍ଗ କଲ କରିବାର ବୈଧତା 28 ଦିନ ପର୍ଯ୍ୟନ୍ତ ରହିଛି। ଅର୍ଥାତ ଜଣେ ଗ୍ରାହକ ଏହି ପ୍ୟାକକୁ ରିଚାର୍ଜ କରିବା ପରେ କେବଳ 28ଦିନ ପର୍ଯ୍ୟନ୍ତ ଅନ୍ୟ ନମ୍ବରକୁ କଲ କରିପାରିବ।

ଅନ୍ୟପଟେ ଭୋଡାଫୋନ ଆପରେ ଟକଟାଇମ ଅଫର ଗୁଡିକରେ ଏପରି କିଛି ପରିବର୍ତ୍ତନ କରାଯାଇ ନାହିଁ, କିନ୍ତୁ ଭୋଡଫୋନ ୱେବସାଇଟରେ କେବଳ ତିନୋଟି ଟକଟାଇମ ପ୍ଳାନ ଦେଖିବାକୁ ମିଳୁଛି। ଏଥିରେ ଟ.10, ଟ.1000 ଓ ଟ.5000 ମୂଲ୍ୟର ପ୍ୟାକ ରହିଛି ଏବଂ ଏଥିରେ ମଧ୍ୟ 28 ଦିନ ପର୍ଯ୍ୟନ୍ତ ଆଉଟଗୋଇଙ୍ଗ କଲର ବୈଧତା ରହିଛି।

ଏୟାରଟେଲ, ଭୋଡାଫୋନ-ଆଇଡିଆ କମ୍ପାନୀର ସିମ ବ୍ୟବହାର କରୁଥିବା ଗ୍ରାହକମାନେ ଟ.100ରେ ମଧ୍ୟ ସଂପୂର୍ଣ୍ଣ ମାସ ପାଇଁ କଥା ହୋଇପାରୁଥିଲେ। କିନ୍ତୁ କମ୍ପାନୀ ତରଫରୁ ଟକଟାଇମ ପ୍ଳାନରେ ପରିବର୍ତ୍ତନ କରାଯିବା ପରେ ଗ୍ରାହକଙ୍କୁ ବର୍ତ୍ତମାନ ବାଧ୍ୟ ହୋଇ 28ଦିନିଆ ଡାଟା ଓ ଅନଲିମିଟେଡ କଲର କମ୍ବୋ ପ୍ୟାକ ରିଚାର୍ଜ କରିବାକୁ ପଡିବ।

ନିଜର ଏହି ନିଷ୍ପତ୍ତିକୁ ନେଇ ଟେଲିକମ କମ୍ପାନୀ ଗୁଡିକ କହିଛନ୍ତି ଯେ, “ଆମେ ପ୍ରତି ଗ୍ରାହକଙ୍କ ଠାରୁ ପ୍ରତି ମାସରେ ଟ.200ର ରିଚାର୍ଜ କରିବା ପାଇଁ ଚାହୁଁଛୁ, ଏହା ଫଳରେ କମ୍ପାନୀର ପ୍ରତି ଗ୍ରାହକଙ୍କ ଠାରୁ ମିଳୁଥିବା ରେଭିନ୍ୟୁ ମଧ୍ୟ ବଢିବ।

ତେବେ ଟେଲିକମ କମ୍ପାନୀ ଦ୍ଵାରା ନିଆଯାଇଥିବା ଏହି ନିଷ୍ପତ୍ତି ଉପରେ reddit ଓ କିଛି ଲୋକପ୍ରିୟ ଟେଲିକମ ବ୍ଲଗ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ ଟେଲିକମ କମ୍ପାନୀ ଗୁଡିକ ନିଜର ଟକଟାଇମ ପ୍ଳାନ ଗୁଡିକୁ ଏପରି ଅଚାନକ ବନ୍ଦ ନକରି କ୍ରମଶଃ ଧୀରେ ଧୀରେ ବନ୍ଦ କରିବା ଉଚିତ।

#mobile #talktimeplans #airtel #vodafoneidea

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon