- ବେତାର ବ୍ୟୁରୋ
ଶ୍ରୀମନ୍ଦିରରେ କୋହଳ ହେଲା ଧାଡି ଦର୍ଶନ ବ୍ୟବସ୍ଥା

(ବେତାର ବ୍ୟୁରୋ) ସୁପ୍ରିମ୍କୋର୍ଟଙ୍କ ଅନ୍ତରୀଣ ଆଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଶ୍ରୀମନ୍ଦିରରେ ଯେଉଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯାଇଥିଲା ସେଥିରେ କିଛିଟା କୋହଳ କରାଯାଇଛି। ସିଂହଦ୍ଵାରରେ ପୂର୍ବ ପରି ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରାଯାଇଥିଲେ ମଧ୍ୟ ଭକ୍ତମାନେ ଚାହିଁଲେ ଅନ୍ୟ ଦ୍ଵାର ଦେଇ ଶ୍ରୀମନ୍ଦିରକୁ ଯାଇପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟି ଓ ସେବାୟତଙ୍କ ମିଳିତ ବୈଠକରେ ମଙ୍ଗଳବାର ନିଷ୍ପତ୍ତି ନିଆଯାଇଛି।
ସେହିପରି ସିଂହଦ୍ଵାର ଦେଇ ମନ୍ଦିରକୁ ଧାଡ଼ିରେ ଯାଉଥିବା ଭକ୍ତମାନେ ଚାହିଁଲେ ଶ୍ରୀମନ୍ଦିର ପରିସରରେ ଧାଡ଼ି ମଧ୍ୟରୁ ବାହାରି ପାରିବେ। ଆନନ୍ଦ ବଜାରକୁ ଯାଇ ଅବଢ଼ା କିଣାକିଣି କରିପାରିବେ ଓ ଶ୍ରୀମନ୍ଦିରର ଅନ୍ୟାନ୍ୟ ସ୍ଥାନ ଗୁଡିକରେ ମଧ୍ୟ ବୁଲିପାରିବେ।
ଅନ୍ୟପଟେ ଆନନ୍ଦ ବଜାରରେ ଅବଢ଼ାକୁ ନେଇ ଦେଖା ଦେଉଥିବା ବିଶୃଙ୍ଖଳା ଉପରେ କାର୍ତ୍ତିକ ମାସ ଶେଷ ପରେ ବିଚାର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। କାର୍ତ୍ତିକ ମାସ ସରିବା ପରେ ଆନନ୍ଦ ବଜାରରେ ଅବଢା ଦର ତାଲିକା ଲାଗିବା ସହ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଅଭିଯୋଗ କେନ୍ଦ୍ର ଖୋଲାଯିବ। ଏହାସହିତ କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରକୁ ଆସିଥିବା ହବିଷ୍ୟାଳିଙ୍କୁ ପ୍ରଥମ ଭୋଗମଣ୍ଡପ ମହାପ୍ରସାଦ ଯୋଗାଇ ଦେବାକୁ ବୈଠକରେ ନିଷ୍ପତ୍ତି ନିଆ ଯାଇଛି।
ସ୍ଵତନ୍ତ୍ର ଦିନରେ ଲାଗୁରହିବା ଧାଡି ବ୍ୟବସ୍ଥା

ଧାଡି ବ୍ୟବସ୍ଥାକୁ କୋହଳ କରାଯିବା ସହିତ କେବଳ ସ୍ଵତନ୍ତ୍ର ଦିନମାନଙ୍କରେ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପଞ୍ଚୁକ ସମେତ ଦୀପାଭଳି ଭଳି ସ୍ଵତନ୍ତ୍ର ପର୍ବପର୍ବାଣିରେ ଭକ୍ତଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏଣୁ ଭକ୍ତମାନେ ସିଂହଦ୍ଵାର ସମେତ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ଵାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଅନ୍ୟପଟେ କାର୍ତ୍ତିକ ମାସରେ ସାଢ଼େ ୯ଟାରୁ ଉତ୍ତର ଦ୍ଵାର ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।
ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ୍ ଷଡ଼ଙ୍ଗୀଙ୍କ ସମେତ ପରିଚାଳନା କମିଟିର ୬ ଜଣ ସଦସ୍ୟ, ସୁପକାର ନିଯୋଗର କର୍ମକର୍ତ୍ତା, ମୁକ୍ତି ମଣ୍ଡପର ୫ ଜଣ ସଦସ୍ୟ ଓ ସେବାୟତ ଉପସ୍ଥିତ ଥିଲେ। ଧାଡ଼ି ଦର୍ଶନକୁ ନେଇ ଗତ କିଛି ଦିନ ମଧ୍ୟରେ ଶ୍ରୀମନ୍ଦିରରେ ନାନାଦି ବିଶୃଙ୍ଖଳା ଦେଖା ଦେଉଥିବାରୁ ଏହାକୁ କୋହଳ କରିବା ଲାଗି ବୈଠକରେ ଆଲୋଚନା ହୋଇଥିଲା।
ବିଚାର ବିମର୍ଶ ପରେ ସିଂହଦ୍ଵାରରେ ଯେଉଁଭଳି ଧାଡ଼ି ଦର୍ଶନ ଚାଲିଛି ତାକୁ ବଳବତ୍ତର ରଖାଯାଇଛି। କିନ୍ତୁ ଧାଡ଼ିରେ କେବଳ ଶ୍ରୀମନ୍ଦିରକୁ ନୁହେଁ, ଭକ୍ତ ଚାହିଁଲେ ଧାଡ଼ିରୁ ବାହାରି ମନ୍ଦିରର ଅନ୍ୟ ସ୍ଥାନକୁ ଯାଇ ପାରିବ ବୋଲି ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଆଦେଶ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ସିଂହଦ୍ଵାରରେ ପ୍ରବେଶ ଏବଂ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ଵାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଆରମ୍ଭରୁ ଏହାକୁ ବିରୋଧ ପରେ ଆଜି ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି।