• ବେତାର ବ୍ୟୁରୋ

ଏବେଠୁ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର କଲେ ଜୋରିମାନା


(ବେତାର ବ୍ୟୁରୋ) ରାଜ୍ୟରେ ପଲଥିନ ବ୍ୟବହାରକୁ କମେଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅକ୍ଟୋବର ୨ରେ ପଲିଥିନ ଓ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଜାରି ହୋଇଥିଲା। ଏହାସତ୍ତ୍ଵେ ମଧ୍ୟ ସହର ସାରା ବେଧଡ଼କ ଭାବରେ ପଲିଥିନ ବ୍ୟବହାର ହେଉଥିଲା। ପରିବା ଦୋକାନ ଠାରୁ ଆରମ୍ଭ କରି ଜଳଖିଆ ଦୋକାନରେ ଏହାର ବ୍ୟବହାର ଦେଖିବାକୁ ମିଳୁଥିଲା। ସରକାରୀ କଟକଣାର କାର୍ଯ୍ୟକାରିତା ନେଇ ବିଭିନ୍ନ ଆଡ଼ୁ ପ୍ରଶ୍ନ ଉଠିବା ପରେ ଏବେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ଏଥିପାଇଁ ଭୁବନେଶ୍ଵର ମହାନଗର ନିଗମ(ବିଏମସି) ତତ୍ପରତା ଦେଖାଇଛି ଓ କଟକଣାକୁ ଆଜିଠାରୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି।

ସରକାରଙ୍କ ଏହି ନିୟମକୁ ନ ମାନିଲେ ଜୋରିମାନା ଦେବାକୁ ପଡିବ। ଜୋରିମାନା ପୁଣି ୧୦ କି ୨୦ ଟଙ୍କା ନୁହେଁ। ସାଧାରଣ ଲୋକଙ୍କ ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ଟ.୨୦୦ ଜରିମାନା ଦେବାକୁ ପଡ଼ିବ। ଦ୍ଵିତୀୟ ଥରକୁ ଟ.୫୦୦, ତୃତୀୟ ଥରକୁ ଟ.1000। ଅନ୍ୟପକ୍ଷରେ ବୁଧବାର ବସିଥିବା ବିଏମ୍‌ସି କାଉନ୍‌ସିଲ୍‌ ବୈଠକରେ ପଲିଥିନ୍‌ ବ୍ୟବହାରକାରୀଙ୍କ ବିରୋଧରେ କେତେ ପରିମାଣର ଜରିମାନା ଲାଗୁ ହେବ ତାହା ନିଷ୍ପତ୍ତି ହୋଇଛି। କେଉଁ ପ୍ରକାର ସଂସ୍ଥା ବିରୋଧରେ କେତେ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବ ତାହାକୁ କାଉନସିଲ ବୈଠକରେ ମୋହର ଲଗାଯାଇଛି।

ଖାଦ୍ୟ ବ୍ୟବସାୟୀ ଯଥା: ମିଠା, ସ୍ନାକ୍ସ, ଫାଷ୍ଟଫୁଡ୍‌, ଆଇସ୍‌କ୍ରିମ୍‌, ଆଖୁ, ଜୁସ୍‌, ପରିବା, ମାଂସ ‌ଦୋକାନୀ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ଟ.500, ଦ୍ଵିତୀୟ ଥର ଟ.1,000 ଓ ତୃତୀୟ ଥର ଟ.2,000 ଜୋରିମାନା ଦେବାକୁ ପଡିବ। ରେଷ୍ଟୁରାଣ୍ଟ ଗୁଡିକରେ ପ୍ରଥମ ଥର ନିୟମ ଉଲ୍ଲଂଘନ ପାଇଁ ଟ.1,000, ଦ୍ଵିତୀୟ ଥର ଟ.2,000 ଓ ତୃତୀୟ ଥର ଟ.5,000 ଜୋରିମାନା ଦେବାକୁ ପଡିବ।

ସେହିପରି ତାରକା ହୋଟେଲ, ବିବାହ ମଲ, ଶିଳ୍ପ ସଂସ୍ଥା, ସ୍କୁଲ, କଲେଜ ଓ ବ୍ୟାଙ୍କ ଗୁଡିକରେ ପ୍ରଥମ ଥର ନିୟମ ଉଲ୍ଲଂଘନ ପାଇଁ ଟ.2,000, ଦ୍ଵିତୀୟ ଥର ପାଇଁ ଟ.10,000 ଓ ତୃତୀୟ ଥର ପାଇଁ ଟ.50,000 ଜୋରିମାନା ଦେବାକୁ ପଡିବ। ଆଉ ଶେଷକୁ ‌ଫୌଜଦାରୀ ମାମଲା ରୁଜୁ କରିବା ସହିତ ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ। ୨୦୧୮ ସେପ୍ଟେମ୍ବର ୨୯‌ରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ୩୦ ଦିନ ସମୟ ଦିଆଯାଇଥିଲା। ବୁଧବାର ଏହାର ଅବଧି ଶେଷ ହେବା ପରେ ବିଏମସି ପକ୍ଷରୁ ଚଢ଼ଉ ଆରମ୍ଭ ହୋଇଛି। ବିଏମସି ସ୍କ୍ୱାଡଗୁଡ଼ିକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହ ପଲିଥିନ ଓ ପ୍ଲିଷ୍ଟିକ ସାମଗ୍ରୀଗୁଡ଼ିକୁ ଜବତ କରିଛି।

ଷ୍ଟ୍ରିଟ ଲାଇଟ ନଜଳିଲେ ଜୋରିମାନା

ସହରର ବିଭିନ୍ନ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇଥିବା ସଂସ୍ଥା ବିରୋଧରେ ମଧ୍ୟ ଏଣିକି କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି କୌଣସି ସ୍ଥାନରେ ୪୮ ଘଣ୍ଟା ଧରି ଲାଇନ୍‌ ଜଳୁ ନଥିବା ଅଭିଯୋଗ ଆସେ ସଙ୍ଗେ ସଙ୍ଗେ ଉକ୍ତ ସଂସ୍ଥା ବିରୁଦ୍ଧରେ ପଦକ୍ଷେପ ନିଆଯିବ। ସମ୍ପୃକ୍ତ ସଂସ୍ଥାଠାରୁ ଗୋଟିଏ ଲାଇଟ ପିଛା ପ୍ରତିଦିନ ୧୫ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ।

ଆଜିଠାରୁ ବିଇସି ମାଧ୍ୟମରେ ସମସ୍ତ ଅଭିଯୋଗ ଭୁବନେଶ୍ଵର ସ୍ମାର୍ଟ ସିଟିର ଜନ ସହଯୋଗ କେନ୍ଦ୍ର ପ୍ରଚଳନ ଯୋଗୁଁ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟ କରୁଥିବା ବର୍ଷା ଜଳ ନିଷ୍କାସନ ଅଭିଯୋଗ ଗ୍ରହଣ କେନ୍ଦ୍ର ଓ ସାଧାରଣ ଅଭିଯୋଗ କେନ୍ଦ୍ରକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏଥିପାଇଁ ନଭେମ୍ବର ପହିଲାରୁ ସାଧାରଣ ଲୋକମାନେ ସମସ୍ତ ଅଭିଯୋଗ ଏକକ ବ୍ୟବସ୍ଥା ଭୁବନେଶ୍ଵର ଅପରେସନ ‌ସେଣ୍ଟର(ବିଇସି) ମାଧ୍ୟମରେ ନିଃଶୁକ୍ଳ ନମ୍ବର (୧୮୦୦-୩୪୫-୦୦୬୧) ଓ ଭୁବନେଶ୍ଵର ୱାନ ହ୍ଵାଟସଅପ ହେଲ୍ପ ଲାଇନ ନମ୍ବର ୮୫୯୯୦୭୧୯୦୦ ଦ୍ଵାରା କରିପାରିବେ ବୋଲି ସ୍ଥିର ହୋଇଛି।

#smartcity #plastikban #polithinban

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon