• padmabati kund

ୱେଷ୍ଟଇଣ୍ଡିଜ ସହ ରବିବାରରୁ ଆରମ୍ଭ ଟି-ଟ୍ୱେଣ୍ଟି ସିରିଜ : ଭାରତ ପାଇଁ ଜିତିବା ହେବ କଠିନ


(ବେତାର ବ୍ୟୁରୋ) ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ମ୍ୟାଚ ସିରିଜ ଓ ୱାନ-ଡେ ସିରିଜ ସରିଯାଇଛି। ଦୁଇଟି ଯାକ ସିରିଜରେ ଭାରତ ୱେଷ୍ଟଇଣ୍ଡିଜକୁ ହରାଇଛି। ତେବେ ରବିବାର ଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ  ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ।  ଭାରତ ଟି-ଟ୍ୱେଣ୍ଟି ସିରିଜ ମଧ୍ୟ ଜିତିବ ବୋଲି ଆଶା ରଖାଯାଇଛି, କିନ୍ତୁ ଭାରତୀୟ ଦଳ ପାଇଁ ଟି-ଟ୍ୱେଣ୍ଟି ସିରିଜ ଜିତିବା ସେତେଟା ସହଜ ହେବ ନାହିଁ ବୋଲି ଅନୁମାନ କରାଯାଉଛି।

ପ୍ରଥମ ଥର ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ ବିନା ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବାକୁ ଯାଉଛି। 2006 ମସିହା ପରଠାରୁ ଭାରତ ମୋଟ 104ଟି ଅନ୍ତରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଛି। ସେଥିମଧ୍ୟରୁ ଧୋନୀ 93ଟି ମ୍ୟାଚରେ ଖେଳିଛନ୍ତି। ବାକି ଯେଉଁ ମ୍ୟାଚରେ ଖେଳିନାହାନ୍ତି ସେଥିରେ ସେ ନିଜ ଇଚ୍ଛାରେ ବିଶ୍ରାମ ନେଇଛନ୍ତି। କିନ୍ତୁ ଚଳିତ ଥର ତାଙ୍କୁ ଦଳରେ ସାମିଲ କରାଯାଇନାହିଁ।

ଏହି ତିନୋଟି ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଅଧିନାୟକ ବିରାଟ କୋହଲିଙ୍କୁ ଆରାମ ଦିଆଯାଇଛି। କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଦଳର ଅଧିନାୟକତ୍ଵ କରିବେ। ଟେଷ୍ଟ ସିରିଜ ଓ ୱାନ-ଡେ ସିରିଜ ହାରିଥିବା ୱେଷ୍ଟଇଣ୍ଡିଜ ଦଳ ଟି-ଟ୍ୱେଣ୍ଟି ସିରିଜକୁ ଜିତିବା ଲକ୍ଷ୍ୟରେ ଖେଳ ପଡିଆକୁ ଆସିବ।

ଟି-ଟ୍ୱେଣ୍ଟିରେ ୱେଷ୍ଟଇଣ୍ଡିଜ ଅଧିକ ମଜଭୁତ

ୱେଷ୍ଟଇଣ୍ଡିଜର ଖେଳାଳୀ ବ୍ରେଥୱେଟ 2016 ମସିହାରେ କୋଲକାତାର ଇଡେନ ଗାର୍ଡେନରେ ଶେଷ ଓଭରରେ ଲଗାତର ଦୁଇଟି ଛକା ମାରି ୱେଷ୍ଟଇଣ୍ଡିଜକୁ ଦ୍ଵିତୀୟ ୱାର୍ଲ୍ଡକପ ଜିତାଇଥିଲେ। 2009 ମସିହାରୁ 2018 ମଧ୍ୟରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୋଟ ଆଠଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଲାଯାଇଥିବା ବେଳେ ୱେଷ୍ଟଇଣ୍ଡିଜ ସେଥିମଧ୍ୟରୁ ପାଞ୍ଚଟି ମ୍ୟାଚ ଜିତିଛି। ଭାରତ ଶେଷ ଥର ପାଇଁ 2014 ମସିହା ମାର୍ଚ୍ଚ 23 ତାରିଖରେ ବାଂଲାଦେଶରେ ୱେଷ୍ଟଇଣ୍ଡିଜକୁ ଟି-ଟ୍ୱେଣ୍ଟିରେ ହରାଇଥିଲା।

ଉଭୟ ଦଳ ମଧ୍ୟରେ ଖେଲାଯାଇଥିବା ଶେଷ ଚାରିଟି ଟି-ଟ୍ୱେଣ୍ଟି ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ହରାଇ ପାରିନାହିଁ। 2016 ୱାର୍ଲ୍ଡକପ ସେମିଫାଇନାଲରେ ମୁମ୍ବାଇରେ ଭାରତକୁ ୱେଷ୍ଟଇଣ୍ଡିଜ ହରାଇଥିଲା। ତେବେ ୱେଷ୍ଟଇଣ୍ଡିଜ ଦଳରେ ଟି-ଟ୍ୱେଣ୍ଟିର ଷ୍ଟାର ଖେଳାଳୀ ଡେରେନ ବ୍ରାଭୋ, କିରେନ ପୋଲାର୍ଡ ଓ ଆଣ୍ଡ୍ରେ ରସେଲ ମଧ୍ୟ ପ୍ରତ୍ୟାବର୍ତ୍ତନ କରୁଛନ୍ତି।

ଏହି ଖେଳାଳୀ ଉପରେ ରହିବ ନଜର

ରବିବାର ଠାରୁ ଖେଳିବାକୁ ଥିବା ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ଥଙ୍କ ଉପରେ ସମସ୍ତଙ୍କର ବିଶେଷ ନିଜର ରହିବ। ଯୁବା ଖେଳାଳୀ ରିଷଭ ବ୍ୟାଟିଙ୍ଗ ଓ ୱିକେଟ ପଛରେ କିପରି ପ୍ରଦର୍ଶନ କରୁଛନ୍ତି, ଏହା ଉପରେ ସମସ୍ତଙ୍କ ନଜର ରହିବ। ଏହାସହିତ ବିରାଟ କୋହଲିଙ୍କ ପରିବର୍ତ୍ତେ ଦଳରେ କେ.ଏଲ ରାହୁଲଙ୍କୁ ସ୍ଥାନ ଦିଆଯାଇଛି। ମଧ୍ୟକ୍ରମରେ ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ଦିଆଯାଇଛି। ତେବେ ଏହି ଦୁଇ ଖେଳାଳୀଙ୍କ ପ୍ରଦର୍ଶନ ଉପରେ ମଧ୍ୟ ବିଶେଷ ନଜର ରହିବ।

#cricket #indiavswestindies #t20series

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon