• ବେତାର ବ୍ୟୁରୋ

ମାସକ ଭିତରେ ଏତିକି ବଢିଛି ସୁନା ଦର ; ଧନତେରସରେ ସୁନା ଛଡା କ'ଣ କିଣିପାରିବେ


ଧନତ୍ରୟୋଦଶୀ ତିଥିରେ ଘରକୁ ଦାମୀ ଜିନିଷ କିଣି ଆଣିଲେ ବର୍ଷ ସାରା ଘର ଧନଧାନ୍ୟରେ ପୂର୍ଣ୍ଣ ରୁହେ ବୋଲି ଲୋକମାନଙ୍କ ବିଶ୍ଵାସ । ସେଥିପାଇଁ ବହୁତ ଲୋକ ଏହିଦିନ ସୁନା ତଥା ରୂପା କିଣିଥାନ୍ତି ।

ଏହି ତିଥି ଅତ୍ୟନ୍ତ ଶୁଭ ଏବଂ ଏହିଦିନ ଅର୍ଥ ଓ ଧନଲାଭର ସୁଯୋଗ ମିଳିଥାଏ ବୋଲି ମାନ୍ୟତା ରହିଛି । ଭାରତୀୟ କ୍ୟାଲେଣ୍ଡର ଅନୁସାରେ ଦୀପାବଳି ଅମାବାସ୍ୟାର ଦୁଇଦିନ ପୂର୍ବରୁ ଧନତେରାସ ପର୍ବ ପଡିଥାଏ। ଉତ୍ତର ଭାରତରେ ଏହିଦିନ ଲକ୍ଷ୍ମୀ ଓ କୁବେରଙ୍କ ପୂଜା ହେଉଥିବା ବେଳେ ଦକ୍ଷିଣ ଭାରତରେ ଏହି ଦିନ ଗୋରୁଗାଇଙ୍କୁ ଲକ୍ଷ୍ମୀଙ୍କ ବରଦାନ ଭାବେ ପୂଜା କରିଥାନ୍ତି ।

ସୋମବାର ଦିନ ଭୁବନେଶ୍ୱର ବଜାରରେ 22 କ୍ୟାରେଟ ସୁନା ଦର ଗ୍ରାମ ପିଛା ଟ.3180 ରହିଛି । ଅକ୍ଟୋବର ରୁ ନଭେମ୍ବର ମାସ ମଧ୍ୟରେ ସୁନା ଦର ଗ୍ରାମ ପିଛା ପ୍ରାୟ ଟ.180 ବଢିଛି । ତେବେ ରୂପା ମୂଲ୍ୟରେ ସୁନାପରି ବୃଦ୍ଧି ହେଇନାହିଁ । ରାଜଧାନୀ ବଜାରରେ ରୂପା ଦର 10 ଗ୍ରାମ ପିଛା ଟ.412 ରହିଛି, ଯାହା ମାସକ ତଳେ ଟ.410 ଥିଲା , ଅର୍ଥାତ ମାତ୍ର ଟ.2 ବୃଦ୍ଧି ହେଇଛି ।

ତେବେ ଏଥିପାଇଁ ଅନେକ ଶସ୍ତା ଓ ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିଛି । ଆପଣ ଏହିଦିନ ସୁନା କି ରୂପା ନ କିଣି ପାରିଲେ ମଧ୍ୟ ଅନ୍ୟ କିଛି ବସ୍ତୁ କିଣିପାରିବେ, ଯାହା ନିମନ୍ତେ ଆପଣଙ୍କୁ ବେଶୀ ପଇସା ଖର୍ଚ୍ଚ କରିବାକୁ ନ ପଡିପାରେ । ଆସନ୍ତୁ ଜାଣିବା ସେହିସବୁ ଜିନିଷ ବିଷୟରେ ।

ଆକାଉଣ୍ଟ ଖାତା : ଯେଉଁ ବ୍ୟବସାୟୀମାନେ ଏହି ଦିନ ସୁନା କିଣି ନ ପାରିବେ ସେମାନେ ଆକାଉଣ୍ଟ ଖାତା କିଣିଲେ ଶୁଭ । ଆଜିକାଲି ଜିଏସଟି ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବାରୁ ଜିଏସଟି ସଫ୍ଟୱେୟାର ବା ଏଥିପାଇଁ ମିଳୁଥିବା ମୋବାଇଲ ଆପ ମଧ୍ୟ କିଣିପାରିବେ ।

ବାସନକୁସନ : ଏହିଦିନ ଆପଣ ଘରକୁ ଷ୍ଟିଲ ବା ଅନ୍ୟ ଯେକୌଣସି ଧାତୁର ବାସନକୁସନ ମଧ୍ୟ କିଣିଆଣି ପାରିବେ । ଏହାର ଅନେକ ଶୁଭ ଫଳ ମିଳିଥାଏ ।

ବ୍ୟବସାୟ/କାର୍ଯ୍ୟ ସମ୍ବନ୍ଧୀୟ ଜିନିଷ: ଧନତେରାସ ଦିନ ନିଜ ବ୍ୟବସାୟ ବା ପ୍ରଫେସନ ସମ୍ବନ୍ଧୀୟ ଜିନିଷ କିଣିଲେ ଶୁଭ ଫଳ ମିଳିଥାଏ । ଉଦାହରଣ ସ୍ୱରୂପ ଶିକ୍ଷକ ନିଜ ପାଇଁ ପେନ ବା ବହି କିଣିପାରିବେ। ସେହିପରି କଳାକାର ନିଜ ପାଇଁ ରଙ୍ଗତୁଳି ଓ ଗ୍ୟାରେଜ ମେକନିକ ନିଜ ପାଇଁ କିଛି ଯନ୍ତ୍ରପାତି କିଣିପାରିବେ।

ଝାଡୁ : ମହାଲକ୍ଷ୍ମୀ ସର୍ବଦା ପରିଷ୍କାର ପରିଚ୍ଛନ୍ନତାକୁ ପସନ୍ଦ କରିଥାନ୍ତି । ସେଥିପାଇଁ ଏହିଦିନ ଘର ସଫା କରିବା ଝାଡୁ ବା ସେହିପରି ଅନ୍ୟ କୌଣସି ଜିନିଷ କିଣିଲେ ମଧ୍ୟ ଶୁଭ ବୋଲି ଶାସ୍ତ୍ରରେ କୁହାଯାଇଛି ।

ଇଲେକ୍ଟ୍ରୋନିକ୍ସ ସାମଗ୍ରୀ : ଏହି ଧନତେରାସରେ ଆପଣ ଫ୍ରିଜ, ଟିଭି, ୱାଶିଙ୍ଗ ମେସିନ ମାଇକ୍ରୋୱେଭ ଓଭନ, ମୋବାଇଲ , ଲାପଟପ ବା ସେହିଭଳି ଜିନିଷ କିଣିପାରିବେ । ଏହି ସବୁ ଜିନିଷ କିଣି ଏହାକୁ ଘରର ଉତ୍ତର-ପଶ୍ଚିମ ଦିଗରେ ରଖିଲେ ଭଲ ।

ଶୁଭ ମୁହୂର୍ତ୍ତ

ଏହିସବୁ ଜିନିଷ ଆପଣ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କିଣିପାରିବେ । ଚଳିତ ବର୍ଷ ରାତି ଦଶଟା ପରେ କିଣାଯାଇଥିବା ଦ୍ରବ୍ୟ ଅନେକ ଶୁଭ ପରିଣାମ ଦେବାର ସମ୍ଭାବନା ରହିଛି ।

ତେବେ ଆପଣଙ୍କ ରାଶି ହିସାବରେ କଣ କିଣିବା ଆପଣଙ୍କ ପାଇଁ ଶୁଭ ହେବ ଜାଣିବା ପାଇଁ ଏହିଠାରେ କ୍ଲିକ କରନ୍ତୁ ।

#dhanteras #gold

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon