• padmabati kund

ଦୀପାବଳୀ ଗିଫ୍ଟ : ସଲମାନ କରିବେ କପିଳ ଶର୍ମାଙ୍କ ଶୋ' ପ୍ରଯୋଜନା


(ବେତାର ବ୍ୟୁରୋ) କମେଡି କିଙ୍ଗ କପିଳ ଶର୍ମା ଖୁବ ଶୀଘ୍ର ଛୋଟ ପରଦାକୁ କମବ୍ୟାକ କରିବାକୁ ଯାଉଛନ୍ତି। ବହୁ ସମୟର ବ୍ୟବଧାନ ପରେ ଆସନ୍ତା ଡିସେମ୍ବର ୧୬ ତାରିଖରୁ ସେ ନିଜର ନୂଆ ଶୋ’ର ଶୁଟିଙ୍ଗ ଆରମ୍ଭ କରିବେ। ତେବେ କପିଳ ଶର୍ମାଙ୍କ ଏହି ଶୋ’ ପଛରେ ବଲିଉଡର ଭାଇଜାନ ସଲମାନ ଖାନଙ୍କର ହାତ ରହିଛି। କପିଳ ଶର୍ମାଙ୍କର ଏହି ଶୋ’କୁ ସଲମାନ ଖାନଙ୍କର ପ୍ରଡ଼କ୍ସନ ହାଉସ ତରଫରୁ ପ୍ରଯୋଜିତ କରାଯିବ ବୋଲି ଖବର ସାମ୍ନାକୁ ଆସିଛି।

ମିଡ ଡେ’ ରେ ପ୍ରକାଶିତ ଖବର ଅନୁଯାୟୀ, କପିଳ ଶର୍ମାଙ୍କର ଏହି ନୂଆ କମେଡି ଶୋ’କୁ ସଲମାନ ଖାନଙ୍କର ପ୍ରଡ଼କ୍ସନ ହାଉସ ତରଫରୁ ପ୍ରଯୋଜିତ କରାଯିବ। ଏହାର ସୁଟିଙ୍ଗ ଆସନ୍ତା ମାସଠାରୁ ଆରମ୍ଭ କରାଯିବ। ଏହାପୂର୍ବରୁ କପିଳ ନିଜ ଶୋ’ରେ ନିଜେ ପ୍ରଯୋଜନା କରୁଥିଲେ। କପିଳଙ୍କର ଏହି ଶୋ’ ପାଇଁ ଫିଲ୍ମସିଟିର ଆଠ ନମ୍ବର ଫ୍ଲୋରରେ ଷ୍ଟୁଡିଓ ପ୍ରସ୍ତୁତ କରାଯାଇଛି।

ଛୋଟ ପରଦାରେ କମେଡି ମାଧ୍ୟମରେ ବହୁତ ଚର୍ଚ୍ଚାରେ ଥିବା କପିଳ ଶର୍ମାଙ୍କ ଶୋ’ ‘କମେଡି ନାଇଟ୍ସ ୱିଥ କପିଳ’ ବନ୍ଦ ହୋଇଯିବା ପରେ କପିଳ ‘ଫ୍ୟାମିଲି ଟାଇମ ୱିଥ କପିଳ ଶର୍ମା’ ନାମକ ଶୋ’ ଆରମ୍ଭ କରିଥିଲେ। କିନ୍ତୁ ଏହି ଶୋ’ ବହୁଦିନ ପର୍ଯ୍ୟନ୍ତ ଚାଲି ପାରିନଥିଲା। ଏହାପରେ କପିଳ ଟିଭି ଦୁନିଆରୁ ଦୂରେଇ ଯାଇଥିଲେ।

କପିଳଙ୍କ ଶୋ’ “କମେଡି ନାଇଟ୍ସ ୱିଥ କପିଳ’ରୁ ଲୋକପ୍ରିୟତା ହାସଲ କରିଥିବା ସୁନୀଲ ଗ୍ରୋଭର ଓ କପିଳଙ୍କ ଯୋଡିଙ୍କୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ୨୦୧୭ ମସିହାରେ ଉଭୟ ମଧ୍ୟରେ ଫ୍ଲାଇଟରେ ହୋଇଥିବା ଝଗଡା ପରେ ସୁନୀଲ ଓ କପିଳ ଅଲଗା ଅଲଗା ହୋଇଯାଇଥିଲେ। କପିଳ ସୁନୀଲଙ୍କୁ ଫ୍ଲାଇଟରେ ମାରପିଟ କରିବା ସହିତ ଗାଳିଗୁଲଜ କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା।ଏହାପରେ କପିଳ ଗଣମାଧ୍ୟମ ଆଗରେ ନିଜର ଭୁଲ ସ୍ଵୀକାର କରି କ୍ଷମା ମଧ୍ୟ ମାଗିଥିଲେ। ଏହାପରେ ସୁନୀଲଙ୍କୁ ନିଜ ଶୋ’କୁ ଆଣିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସୁନୀଲ ରାଜି ହୋଇନଥିଲେ।

ତେବେ କିଛି ଦିନ ପୂର୍ବରୁ କପିଳ ନିଜ ପ୍ରଡ଼କ୍ସନ ହାଉସରେ ପ୍ରଥମ ଥର ପାଇଁ ଏକ ପଞ୍ଜାବୀ ଫିଲ୍ମ ‘ସନ ଅଫ ମନଜିତ ସିଂ’ର ନିର୍ମାଣ କରିଛନ୍ତି। ଏହି ଫିଲ୍ମରେ ଏପରି ବାପା ଓ ପୁଅର କାହାଣୀକୁ ଚିତ୍ରିତ କରାଯାଇଛି, ଯେ କି ପରସ୍ପରକୁ ବହୁତ ଭଲ ପାଆନ୍ତି, କିନ୍ତୁ ଉଭୟଙ୍କ ସ୍ଵପ୍ନ ଅଲଗା ଅଲଗା। ବାପା ଚାହୁଁଛନ୍ତି ପୁଅ ଭଲ ପାଠପଢୁ, କିନ୍ତୁ ପୁଅ ପାଠ ପଢା ଅପେକ୍ଷା ଖେଳକୁଦରେ ଅଧିକ ମନ ଦେଉଛି ଓ ଖେଳରେ କିଛି କରିବାକୁ ଚାହୁଁଛି।

ନିଜର ଶୋ’ ଆରମ୍ଭ କରିବା ଆଗରୁ କପିଳ ତାଙ୍କର ଗାର୍ଲଫ୍ରେଣ୍ଡ ଗିନ୍ନୀ ଚତରଥଙ୍କ ସହ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ଡିସେମ୍ବର ୧୨ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓ ଏହାପରେ ଡିସେମ୍ବର ୧୬ ତାରିଖରୁ ନିଜ ଶୋ’ର ସୁଟିଙ୍ଗ ଆରମ୍ଭ କରିବେ।   

#entertainment #kapilsharmaa #salmankhan

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon