• ବେତାର ବ୍ୟୁରୋ

ଭୁବନେଶ୍ଵରରେ ଆର ସପ୍ତାହରୁ ମିଳିବ ଭଡାରେ ସାଇକେଲ : ଶାଢୀ ପିନ୍ଧି ଚଳାଇପାରିବେ ମହିଳା


(ବେତାର ବ୍ୟୁରୋ) ରାଜଧାନୀ ଭୁବନେଶ୍ଵର ଅଧିବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଏବଂ ଭୁବନେଶ୍ଵରକୁ ପ୍ରଦୂଷଣ ମୁକ୍ତ ସହର କରିବା ପାଇଁ ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସସିଏଲ) ପକ୍ଷରୁ ରାଜଧାନୀରେ ପବ୍ଲିକ ବାଇସାଇକେଲ ସେୟାରିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ୨୦୦୦ ସାଇକେଲ ଚଳାଇବାକୁ ଯୋଜନା ହୋଇଥିବାବେଳେ ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ସାଇକେଲର ମୁଖ୍ୟ ବିଶେଷତ୍ଵ ହେଉଛି, ମହିଳା ମାନେ ଲୁଗା ପିନ୍ଧିକରି ମଧ୍ୟ ଏହାକୁ ଚଳାଇ ପାରିବେ।

ପବ୍ଲିକ ବାଇସାଇକେଲ ଶେୟାରିଙ୍ଗ ବ୍ୟବସ୍ଥାରେ ଲୋକଙ୍କୁ ସହଜରେ, କମ୍‌ ଖର୍ଚ୍ଚରେ ସାଇକେଲ ଚଳାଇବାର ସୁଯୋଗ ମିଳିବ। ଜିପିଏସ ବ୍ୟବସ୍ଥା ଦ୍ଵାରା ଏହା ପରିଚାଳିତ ହେବ, ମୋବାଇଲ ଆପ ଦ୍ଵାରା ସାଇକେଲ କେଉଁଠି ଅଛି ତାହା ଜାଣିହେବ ଓ ଅନଲାଇନରେ ମଧ୍ୟ ବୁକିଂ ହେବ। ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଆରମ୍ଭ କରି ଆବାସିକ ଅଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହାର ରହଣି ବ୍ୟବସ୍ଥା ହେବ, ଫଳରେ ଲୋକମାନେ ଘରୁ ବାହାରିଲେ ସୁବିଧାରେ ସାଇକେଲ ବ୍ୟବହାର କରିପାରିବେ ଏବଂ ଏହାକୁ ଫେରାଇ ପାରିବେ।

ରାଜଧାନୀରେ ଲୋକଙ୍କୁ ଭଡ଼ାରେ ସାଇକେଲ୍‌ ଯୋଗାଇବା ପାଇଁ ତିନିଟି ସଂସ୍ଥାକୁ ଦାୟିତ୍ଵ ଦିଆଯାଇଛି। ହେକ୍ସି ବାଇକ୍ ୧୦୦୦ଟି ହିରୋ ସାଇକେଲ୍ ଯୋଗାଇବାକୁ ଥିବାବେଳେ ୟାନା ଓ ୟୁଲୁ ସଂସ୍ଥା ୫୦୦ଟି ଲେଖାଏଁ ସାଇକେଲ୍‌ ଦେବେ। ଏହି ସାଇକେଲ୍‌ଗୁଡ଼ିକୁ ଯେପରି କମ୍ ବୟସର ପିଲା, ସ୍କୁଲ ଛାତ୍ରଛାତ୍ରୀ ଏବଂ ଶାଢ଼ି ପିନ୍ଧିଥିବା ମହିଳାମାନେ ଚଲାଇପାରିବେ ସେହିଭଳି ଭାବରେ ଏହାକୁ ନିର୍ମାଣ କରାଯାଇଛି। ଆବଶ୍ୟକସ୍ଥଳେ ସିଟ୍‌କୁ ତଳ ଉପର ମଧ୍ୟକରି ହେବ।

ସ୍ମାର୍ଟ ଲକିଙ୍ଗ ବ୍ୟବସ୍ଥା

ବିଏସସିଏଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ଅଧୀନରେ ଏହି ପବ୍ଲିକ ବାଇ‌ସାଇକେଲ୍ ସେୟାରିଂ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହି ବ୍ୟବସ୍ଥା ବିଏମ୍‌ସି ଅଞ୍ଚଳରେ ରହୁଥିବା ଲୋକ ପାଇପାରି‌ବେ। ଏହା ବାହାରକୁ ସାଇକେଲ ନଯିବା ପାଇଁ ଏଥିରେ ସ୍ମାର୍ଟ ଲକିଙ୍ଗ ବ୍ୟବସ୍ଥା କରାଯାଇଛି। ଏହାସହ ଲୋକମାନେ ମୋବାଇଲ ଆପ ବ୍ୟବହାର କରି ସାଇକେଲ ଲକ ଖୋଲିପାରିବେ।

ପଞ୍ଜୀକୃତ ସଦସ୍ୟଙ୍କୁ ଅଧଘଣ୍ଟା ମାଗଣା ମିଳିବ ସାଇକେଲ

ଯେଉଁମାନେ ସାଇକେଲ ଚଳାଇବା ପାଇଁ ନାମ ପଞ୍ଜୀକରଣ କରି ‌ସଦସ୍ୟ ହେବେ ତାଙ୍କୁ ମାଗଣାରେ ଅଧ ଘଣ୍ଟା ସାଇକେଲ ଚଳାଇବାର ସୁଯୋଗ ମିଳିବ। ଏହାପରେ ଯେତେ ସମୟ ସାଇକେଲ ଚଲାଇବେ ସେହି ଅନୁଯାୟୀ ଫି’ ଦେବାକୁ ପଡ଼ିବ। ସେହିପରି ଯେଉଁମାନେ ମେମ୍ବରସିପ ନେଇ ନଥିବେ ସେମାନଙ୍କୁ ସାଇକେଲ ଚଳାଇବା ପାଇଁ ଫି’ ଦେବାକୁ ପଡ଼ିବ। ଓଡ଼ିଶୀ କାର୍ଡ, ଅନଲାଇନରେ ଏବଂ ଡେବିଟ ଓ କ୍ରେଡିଟ କାର୍ଡ ବ୍ୟବହାର କରି ମଧ୍ୟ ସାଇକେଲ ଭଡ଼ାରେ ନେଇ ହେବ।

ପବ୍ଲିକ ବାଇସାଇକେଲ ଶେୟାରିଙ୍ଗ ବ୍ୟବସ୍ଥା ପ୍ରଥମ ପର୍ଯ୍ୟାୟରେ ୩ଟି ରୁଟ୍‌ରେ ଲାଗୁ ହେବ। ପ୍ରଥମ ରୁଟଟି ଗଭର୍ଣ୍ଣର ହାଉସ ଛକରୁ କଳିଙ୍ଗ ଷ୍ଟାଡିୟମ-ଜୟଦେବ ବିହାର-କଳିଙ୍ଗ ହସ୍ପିଟାଲ ଛକ- ପଟିଆ- କିଟ୍ ଛକ। ଦ୍ଵିତୀୟ ରୁଟଟି ବିମାନବନ୍ଦରରୁ ସଚିବାଳୟ ମାର୍ଗ-ଜୟଦେବ ବିହାର- କଳିଙ୍ଗ ହସ୍ପିଟାଲ ଛକ। ତୃତୀୟ ରୁଟଟି ୟୁନିଟ ୧ରୁ ରେଳ ଷ୍ଟେସନ-ବାଣୀବିହାର ପର୍ଯ୍ୟନ୍ତ ଜନପଥ ରାସ୍ତା। ଏହାଛଡ଼ା ଏହି ମୁଖ୍ୟ ରାସ୍ତାଗୁଡ଼ିକୁ ସ˚ଯୋଗ କରୁଥିବା ରାସ୍ତାଗୁଡ଼ିକରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ।

ବର୍ତ୍ତମାନ ୪୦କିମି ରାସ୍ତାରେ ବାଇସାଇକେଲ ଗଡ଼ିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ୧୨୦କିମି ରାସ୍ତାରେ ଏହା ଲାଗୁ ହେବ। ଏଥିପାଇଁ ସ୍ଵତନ୍ତ୍ର ଟ୍ରାକ ନିର୍ମାଣ ହେଉଛି। ସାଇକେଲ ଷ୍ଟେସନ୍‌ ମଧ୍ୟରେ ହାରାହାରି ବ୍ୟବଧାନ ପ୍ରାୟ ୨କିଲୋମିଟର ରଖିବାକୁ ସ୍ଥିର ହୋଇଥିବା ବେଳେ ସ୍ଥଳ ବିଶେଷରେ ୫୦୦ ମିଟର ଦୂରତାରେ ଏହି ଷ୍ଟେସନ ନିର୍ମାଣ ହେବ। ଏହାସହ ଏବେ ୧୦୦ଟି ବସ୍ କ୍ୟୁ ସେଲ୍ଟରରେ ସାଇକେଲ୍ ରଖି ହେବ। ପୁରୁଣା ଭୁବନେଶ୍ଵରରୁ ଆରମ୍ଭ କରି ଇନଫୋସିଟି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଡକିଂ ଷ୍ଟେସନ ରହିବ।

#smartcity #bhubaneswar #rentcycle

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon