- ବେତାର ବ୍ୟୁରୋ
ପ୍ରାଇଭେଟ ଗ୍ରାଣ୍ଟ କଲେଜରେ ବାହାରିଲା 833 ଅଧ୍ୟାପକ ପଦ

(ବେତାର ବ୍ୟୁରୋ) ରାଜ୍ୟର ସରକାରୀ ସାହାଯ୍ୟପ୍ରାପ୍ତ ବେସରକାରୀ କଲେଜରେ 833ଟି ଅଧ୍ୟାପକ ପଦରେ ନିଯୁକ୍ତି ପ୍ରଦାନ କରାଯିବା ପାଇଁ ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି)ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ।
ପଦବୀ ସଂଖ୍ୟା
ଏଥିରେ ମୋଟ 833ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ସେଥିମଧ୍ୟରୁ ମହିଳାଙ୍କ ପାଇଁ ମୋଟ 273ଟି ପଦ ସଂରକ୍ଷିତ ରହିଛି। ମୋଟ 833ଟି ପଦ ମଧ୍ୟରୁ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ 183(ମହିଳା62), ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ପାଇଁ 132(ମହିଳା 43), ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ ପ୍ରାର୍ଥୀଙ୍କ ପାଇଁ 90 (ମହିଳା 28) ଓ ସାଧାରଣବର୍ଗ ପ୍ରାର୍ଥୀଙ୍କ ପାଇଁ 428(ମହିଳା 140)ଟି ପଦ ସଂରକ୍ଷିତ ରହିଛି।
ଆବେଦନ ତାରିଖ
ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଅନଲାଇନରେ ନଭେମ୍ବର 12 ତାରିଖରୁ ଡିସେମ୍ବର 12 ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଦରମା
ଯୋଗ୍ୟବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.9.300 ରୁ ଟ.34,800 ମଧ୍ୟରେ ଦରମା ପ୍ରଦାନ କରାଯିବ।

ବୟସସୀମା
ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସେପ୍ଟେମ୍ବର 1 ତାରିଖ 2018 ସୁଦ୍ଧା 21 ବର୍ଷରୁ 42 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି, ଜନଜାତି, ଏସ.ଇ.ବି.ସି ପ୍ରାର୍ଥୀ, ମହିଳା ପ୍ରାର୍ଥୀ ଓ ଭୂତପୂର୍ବ ସୈନିକ ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସସୀମା 5ବର୍ଷ କୋହଳ କରାଯିବ ଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କୁ 10ବର୍ଷ କୋହଳ କରାଯିବ।
ଶିକ୍ଷାଗତ ଯୋଗ୍ୟତା
ଆବେଦନ କରିବା ପାଇଁ ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରୁ ଉକ୍ତ ବିଷୟରେ ମାଷ୍ଟର ଡିଗ୍ରୀ/ପିଜିରେ 55% ମାର୍କ ରଖି ପାସ କରିଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀ 50% ମାର୍କ ରଖି ପାସ କରିଥିବା ଆବଶ୍ୟକ।
ଚୟନ ପଦ୍ଧତ୍ତି
ଯୋଗ୍ୟ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା, କ୍ୟାରିୟର ନମ୍ବର ଓ ସାକ୍ଷାତକାର ମାଧ୍ୟମରେ ଚୟନ କରାଯିବ। ଛାତ୍ରଛାତ୍ରୀଙ୍କୁ ମୋଟ 200 ନମ୍ବର ପରୀକ୍ଷା କରାଯିବ। ସେଥିମଧ୍ୟରୁ କ୍ୟାରିୟର 25ନମ୍ବର, ଲିଖିତ ପରୀକ୍ଷା 25 ନମ୍ବର ଓ ସାକ୍ଷାତକାର ପରୀକ୍ଷା 10ନମ୍ବର ଦିଆଯିବା ନେଇ ବ୍ୟବସ୍ଥା ରହିଛି। ଚଳିତ ବର୍ଷ ପି.ଏଚଡି, ଏମ.ଫିଲ କିମ୍ବା ନେଟ ପ୍ରାର୍ଥୀଙ୍କୁ ପରୀକ୍ଷାରେ 25ନମ୍ବର ପର୍ଯ୍ୟନ୍ତ ଅତିରିକ୍ତ ନମ୍ବର ଦିଆଯିବ। ତେବେ କ୍ୟାରିୟର ମାର୍କିଙ୍ଗରେ ପି.ଏଚଡି ପାଇଁ 25ନମ୍ବର ଦିଆଯିବାକୁ ଥିବାବେଳେ ଏମ.ଫିଲ ଏବଂ ନେଟ ପାଇଁ 10 ନମ୍ବର ଦିଆଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆବେଦନ ଫି
ଆବେଦନ କରିବା ପରେ ଫି’ ବାବଦକୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଟ.500 ଦେବାକୁ ପଡିବ ଏବଂ ଅନୁସୂଚିତ ଜାତି, ଜନଜାତି ଓ ଶାରୀରିକ ଭାବେ ଅକ୍ଷମ ପ୍ରାର୍ଥୀଙ୍କୁ ଟ.200 ଦେବାକୁ ପଡିବ। ଏହି ଫି’ ଅନଲାଇନରେ ପଇଠ କରିବେ।
କିପରି ଆବେଦନ କରିବେ
ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି)ର ଅଫିସିଆଲ ୱେବସାଇଟ www.ssbodisha.nic.in ରେ ଲଗଇନ କରିବାକୁ ପଡିବ। ଏହାପରେ ସମସ୍ତ ତଥ୍ୟ ପୂରଣ କରିବା ସହିତ ପାସପୋର୍ଟ ସାଇଜ ଫଟୋ, ଦସ୍ତଖତ ଓ ବାମହାତ ଆଙ୍ଗୁଳିର ଚିହ୍ନର ସ୍କାନ କପି ଦେବାକୁ ପଡିବ।
ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ପାଇଁ ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି)ର ଅଫିସିଆଲ ୱେବସାଇଟ www.ssbodisha.nic.in ରେ ଲଗଇନ କରନ୍ତୁ।