- padmabati kund
ମୋବାଇଲ ସିମ କିଣିବା ପାଇଁ ଆସିଲା ନୂଆ ନିୟମ

(ବେତାର ବ୍ୟୁରୋ) ମୋବାଇଲ ସିମ କାର୍ଡ କିଣିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ଗତ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ରାୟ ଦେବା ପରେ କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ ଟେଲିକମ (DOT) ତରଫରୁ ନଭେମ୍ବର 6 ତାରିଖରୁ ସିମ କିଣିବା ପାଇଁ ନୂଆ ନୀତି ପ୍ରଣୟନ କରାଯାଇଛି। ଏହି ନିୟମ ଅନୁଯାୟୀ ଟେଲିକମ ଅପରେଟରମାନେ ଆଧାରକାର୍ଡ ପରିବର୍ତ୍ତେ ଏକ ନୂଆ ଡିଜିଟାଲ ଗ୍ରାହକ ଚିହ୍ନଟ ପ୍ରଣାଳୀକୁ ଅନୁସରଣ କରି ସିମ ବିକ୍ରି କରିପାରିବେ ।
ନୂତନ ନିୟମ ଅନୁଯାୟୀ ସିମ କିଣିବା ସମୟରେ ଗ୍ରାହକଙ୍କୁ ରିଟେଲରଙ୍କ ଦୋକାନରେ ସଙ୍ଗେ ସଙ୍ଗେ ଫଟୋ ଉଠାଇ ଦେବାକୁ ପଡିବ।
ଏହି ବ୍ୟବସ୍ଥା ଅନୁସାରେ ନୂଆ ମୋବାଇଲ ସିମ କିଣିବାକୁ ଆଗ୍ରହୀ ଥିବା ଗ୍ରାହକ ଯେଉଁ କମ୍ପାନୀର ସିମ କିଣିବା ପାଇଁ ଚାହୁଁଛି, ତାଙ୍କୁ ସେହି କମ୍ପାନୀର ଷ୍ଟୋରକୁ ଯିବାକୁ ପଡିବ ଓ ନିଜ ସହିତ ପରିଚୟ ପ୍ରମାଣପତ୍ର ଓ ଠିକଣା ପ୍ରମାଣପତ୍ର ନେବାକୁ ପଡିବ। ଏହାପରେ ସେହି ଷ୍ଟୋରରେ ଗ୍ରାହକଙ୍କର ସଙ୍ଗେ ସଙ୍ଗେ ଏକ ଫଟୋ ଉଠାଯିବ। ଆଗରୁ ପୁରୁଣା ଫଟୋ ଦେଉଥିଲେ ମଧ୍ୟ ଗ୍ରହଣ କରାଯାଉଥିଲା, ଯାହାକି ବର୍ତ୍ତମାନ ଗ୍ରହଣ କରାଯାଇ ପାରିବ ନାହିଁ।

ଏହି ଫଟୋକୁ ରିଟେଲରମାନେ ସ୍କାନ କରି ଫର୍ମରେ ଟେଲିକମ କମ୍ପାନୀର ୱାଟରମାର୍କ ସହିତ ଲଗାଇବେ ଓ ଲାଇଭ ଫଟୋରେ ସମୟ ଓ ତାରିଖର ଷ୍ଟାମ୍ଫ ଲଗାଇବେ। ଗ୍ରାହକଙ୍କ ଫଟୋ ସହିତ ପରିଚୟ ପ୍ରମାଣପତ୍ର ଓ ଠିକଣା ପ୍ରମାଣପତ୍ରରେ ମଧ୍ୟ ଟେଲିକମ ଅପରେଟରର ୱାଟରମାର୍କ ଲଗାଯିବ।
ଫର୍ମରେ ଥିବା ସମସ୍ତ ଆବଶ୍ୟକୀୟ ତଥ୍ୟକୁ ପୂରଣ କରିବାକୁ ପଡିବ। କ୍ୟୁ.ଆର କୋଡ ଥିବା ପ୍ରମାଣପତ୍ରକୁ ସ୍କାନ କରାଯାଇପାରିବ, ଏହାଦ୍ଵାରା ଉକ୍ତ ପ୍ରମାଣପତ୍ରରେ ଥିବା ତଥ୍ୟ ଆପେ ଆପେ ପୂରଣ ହୋଇଯିବ। ଉଦାହରଣ ସ୍ୱରୂପ ଯଦି ଜଣେ ଗ୍ରାହକ ଆଧାର କାର୍ଡ ଦେଇଥାଆନ୍ତି ତେବେ ଗ୍ରାହକଙ୍କ ନାମ, ଲିଙ୍ଗ, ଜନ୍ମ ତାରିଖ ଇତ୍ୟାଦି ଆପେ ଆପେ ପୂରଣ ହୋଇଯିବ।
ରିଟେଲର ମାନେ ଗ୍ରାହକଙ୍କ ଠାରୁ ଏହି ସମସ୍ତ ତଥ୍ୟ ଗ୍ରହଣ କରିସାରିବା ପରେ ଗ୍ରାହକଙ୍କ ଅନ୍ୟ ନମ୍ବରକୁ ଏକ ୱାନ ଟାଇମ ପାସୱାର୍ଡ (ଓଟିପି) ପଠାଯିବ। ଯଦି ଗ୍ରାହକଙ୍କ ଅନ୍ୟକୌଣସି ନମ୍ବର ନଥାଏ ତେବେ ପରିବାରର ଯେ କୌଣସି ସଦସ୍ୟଙ୍କ ନମ୍ବର ମଧ୍ୟ ଦେଇପାରିବେ। ଭବିଷ୍ୟତରେ ଅନ୍ୟକିଛି ବ୍ୟବହାର ପାଇଁ ଗ୍ରାହକଙ୍କୁ ଏକ ଟ୍ରାଞ୍ଜାକ୍ସନ ଆଇଡି ମଧ୍ୟ ଦିଆଯିବ। ଟେଲିକମ କମ୍ପାନୀ ତରଫରୁ ସମସ୍ତ ତଥ୍ୟକୁ ଯାଞ୍ଚ କରାଯିବା ପରେ ସିମ ଆକ୍ଟିଭେଟ ହୋଇଯିବ।

ଦିନକୁ କିଣିପାରିବେ ଦୁଇଟି ସିମ
ଏହି ନୂଆ ନିୟମ ସହିତ DOT ତରଫରୁ ଆହୁରି ମଧ୍ୟ ଘୋଷଣା କରାଯାଇଛି ଯେ ଜଣେ ଗ୍ରାହକ ଗୋଟିଏ ପ୍ରମାଣପତ୍ରରେ ଦିନକୁ ଦୁଇଟି ସିମ ନେଇପାରିବେ। ଅର୍ଥାତ ଗୋଟିଏ ଟେଲିକମ କମ୍ପାନୀ ଗୋଟିଏ ନିର୍ଦ୍ଧିଷ୍ଟ ପ୍ରମାଣପତ୍ରରେ ଦିନକୁ ଦୁଇଟି ହିଁ ସିମ ବିକ୍ରି କରିପାରିବେ। ଏହି ପ୍ରଣାଳୀରେ ବିଦେଶରେ ରହୁଥିବା ଗ୍ରାହକ ଓ ବିଦେଶରୁ ବୁଲିବାକୁ ଆସିଥିବା ଗ୍ରାହକମାନେ ମଧ୍ୟ ନୂଆ ସିମ କିଣିପାରିବେ ବୋଲି DOT ତରଫରୁ କୁହାଯାଇଛି।