• ବେତାର ବ୍ୟୁରୋ

ଓକିଲ ଆନ୍ଦୋଳନ ବୁଧବାର ପର୍ଯ୍ୟନ୍ତ ଚାଲୁ ରହିବ


(ବେତାର ବ୍ୟୁରୋ) ପୋଲିସ ଓ ଆଇନଜୀବୀ ମଧ୍ୟରେ ଲାଗିରହିଥିବା ବିବାଦକୁ ଦୀର୍ଘ ଅଢେଇମାସ ବିତିଯାଇଛି। ଏହି ବିବାଦକୁ ନେଇ ରାଜ୍ୟ ଆଇନ ବ୍ୟବସ୍ଥାରେ ମଧ୍ୟ ଅଚଳାବସ୍ଥା ଲାଗିରହିଛି। ତେବେ ସୋମବାର ବସିଥିବା ହାଇକୋର୍ଟ ଓକିଲ ସଂଘ ବୈଠକରେ ମଧ୍ୟ ବିବାଦର ସମାଧାନ ନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଫଳରେ ଆସନ୍ତା ବୁଧବାର ଯାଏ ଆନ୍ଦୋଳନ ଜାରି ରହିବ ବୋଲି ହାଇକୋର୍ଟ ବାର ଆସୋସିଏସନ ତରଫରୁ ନିଷ୍ପତ୍ତି ନିଆଯାଇଛି।

ବୁଧବାର ଦିନ ପୁଣି ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ବସିବ। ଏଥିରେ ସଂଘର ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରି ପାରି ନଥିବାରୁ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ମାଡ଼ ମାରିବା ମାମଲାର ଆଜି ଶୁଣାଣୀ ହୋଇପାରି ନାହିଁ। ଏହି ଶୁଣାଣୀକୁ ମଙ୍ଗଳବାରକୁ ସ୍ଥଗିତ ରଖାଯାଇଛି ଓ ଆସନ୍ତାକାଲି ସୁଦ୍ଧା ଚାର୍ଜସିଟ୍‌ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ପୋଲିସ କର୍ମଚାରୀଙ୍କ ନିଲମ୍ବନ ପ୍ରତ୍ୟାହାର ଉପରେ କୋର୍ଟ ରୋକ ଲଗାଇଛନ୍ତି । ତଦନ୍ତ ନସରିବା ଯାଏଁ ନିଲମ୍ବନ ପ୍ରତ୍ୟାହାର ନିଷ୍ପତ୍ତିକୁ କାର୍ଯ୍ୟକାରୀ ନ କରିବାକୁ କୋର୍ଟ ସ୍ପଷ୍ଟଭାବରେ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି।

ଅନ୍ୟପଟେ ଭୁବନେଶ୍ଵର ଓକିଲ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ଯେ, ମଙ୍ଗଳବାରଠାରୁ କୋର୍ଟ କାର୍ଯ୍ୟ ଆରମ୍ଭ ହେବ। ଏନେଇ ଭୁବନେଶ୍ଵର ବାର ଆସୋସିଏସନର ସଭାପତି ଦୁର୍ଗାମାଧବ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବଲପୁରର ପଶ୍ଚିମଓଡିଶା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ବୈଠକରେ ପଶ୍ଚିମଓଡିଶା ମହାବନ୍ଦ ଡାକରା ଦିଆଯାଇଛି। ହାଇକୋର୍ଟ ବେଞ୍ଚ ଦାବିରେ ଏହି ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି। ଆସନ୍ତା ନଭେମ୍ବର 19 ରୁ 30 ତାରିଖ ପର୍ଯ୍ୟନ୍ତ ସରକାରୀ ଅଫିସରେ ତାଲା ପକାଯିବ ମଧ୍ୟ ବୋଲି କୁହାଯାଇଛି।

କାହିଁକି ହେଲା ବିବାଦ

ଗତ ଅଗଷ୍ଟ ମାସ 28 ତାରିଖ ମଙ୍ଗଳବାର ଠାରୁ ଏହି ବିବାଦ ଆରମ୍ଭ ହୋଇଥିଲା। କଟକ ଚାଉଳିଆଗଞ୍ଜ ଓଭରବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଦେବୀପ୍ରସାଦ ପଟ୍ଟନାୟକ ନାମକ ଜଣେ ଆଇନଜୀବୀଙ୍କ ବାଇକ ଅନ୍ୟ ଏକ ବାଇକ ସହିତ ଧକ୍କା ହୋଇଥିଲା। ଏହାକୁ ନେଇ ଦେବୀପ୍ରସାଦଙ୍କୁ ସ୍ଥାନୀୟ ଲୋକେ ଘେରି ଯାଇଥିଲେ।

ଖବର ପାଇ ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚଥିଲା। ହେଲେ ସେଠାରେ ପୋଲିସ ଓ ଦେବୀପ୍ରସାଦଙ୍କ ମଧ୍ୟରେ କଥା କଟାକଟି ହୋଇ ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ମାତ୍ର ଚାଉଳିଆଗଞ୍ଜ ଥାନା ପୋଲିସ ଦେବୀପ୍ରସାଦଙ୍କୁ ମାଡ଼ ମାରିଥିବା ଅଭିଯୋଗ କରି ବହୁସଂଖ୍ୟକ ଆଇନଜୀବୀ ବିଳମ୍ବିତ ରାତି ଯାଏ ଥାନା ଘେରାଉ କରିଥିଲେ। ଏହି ଘଟଣାକୁ ନେଇ ଅଗଷ୍ଟ 29 ତାରିଖରେ ହାଇକୋର୍ଟରେ ଆଇନଜୀବୀଙ୍କ ସାଧାରଣ ପରିଷଦ ବୈଠକ ବସି କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନିଆଯାଇଥିଲା। ପୋଲିସ ବିରୋଧୀ ନାରାବାଜି କରିବା ସହ ଟାୟାର ଜାଳି ହାଇକୋର୍ଟ ସାମ୍ନା ରାସ୍ତାରେ ହାଇକୋର୍ଟର ବହୁ ସଂଖ୍ୟକ ଆଇନଜୀବୀ ପ୍ରତିବାଦ କରିବାକୁ ଓହ୍ଲାଇଥିଲେ।

#odishapolicelawyercase #highcourt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon