• padmabati kund

ଗୋବିନ୍ଦାଙ୍କ ବିସ୍ଫୋରକ ବୟାନ : ବଲିଉଡରେ କିଛି ଲୋକ ମୋ ଫିଲ୍ମ ରିଲିଜ ରୋକୁଛନ୍ତି


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଆଗାମୀ ଫିଲ୍ମ “ରଙ୍ଗୀଲା ରାଜା’କୁ ସେନ୍ସର ବୋର୍ଡ ତରଫରୁ ଅନେକ କଟକଣା ଲଗାଯିବା ପରେ ଗୋବିନ୍ଦା ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀରେ କିଛି ଲୋକଙ୍କର ଏକ ଦଳ ତାଙ୍କ ଫିଲ୍ମ ରିଲିଜ ନକରିବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଗୋବିନ୍ଦା ଆରୋପ ଲଗାଇଛନ୍ତି। ଗୋବିନ୍ଦାଙ୍କର ଏହି ଫିଲ୍ମକୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ (ସିବିଏଫସି)ର ପୂର୍ବତନ ପ୍ରମୁଖ ଓ ଫିଲ୍ମନିର୍ମାତା ପହଲାଜ ନିହଲାନି ନିର୍ମାଣ କରିଛନ୍ତି।

କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ (ସିବିଏଫସି) ଦ୍ଵାରା ଗୋବିନ୍ଦାଙ୍କ ‘ରଙ୍ଗୀଲା ରାଜା’ ଫିଲ୍ମରୁ 20ଟି ଦୃଶ୍ୟ କଟାଯିବା ପରେ ଶନିବାର ଦିନ ସାମ୍ବାଦିକ ସମ୍ମିଳନୀରେ ସେ ଏହି କଥା କହିଛନ୍ତି। ସେ କହିଛନ୍ତି, “ଏହା ଗତ ନଅ ବର୍ଷରୁ ହେଇଆସୁଛି। ଫିଲ୍ମ ଇଣ୍ଡଷ୍ଟ୍ରୀରେ କିଛି ଲୋକଙ୍କର ଏକ ଦଳ ଅଛି, ଯେଉଁମାନେ କି ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି ଓ ମୋ ଫିଲ୍ମକୁ କୌଣସି ଭଲ ମଞ୍ଚରେ ରିଲିଜ ହେବାକୁ ଦେଉନାହାନ୍ତି।“

ସେ ଆହୁରି ମଧ୍ୟ କହିଛନ୍ତି, “ସେମାନେ ଚାହୁଁଛନ୍ତି ଯେ, ମୋ ଫିଲ୍ମ ରିଲିଜ ନହେଉ। ଯଦି ବା ଫିଲ୍ମ ରିଲିଜ ହେଉଛି ତେବେ ଭଲ ମଞ୍ଚରେ ରିଲିଜ ନହେଉ ବୋଲି ଚାହୁଁଛନ୍ତି। ଏହାର ସବୁଠାରୁ ବଡ ଉଦାହରଣ ହେଉଛି କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମ ‘ଫ୍ରାଏ ଡେ’। ଏହି ଫିଲ୍ମକୁ ଗଣମାଧ୍ୟମ ତରଫରୁ ଭଲ ରିଭ୍ୟୁ ମିଳିଥିଲେ ମଧ୍ୟ ଫିଲ୍ମକୁ ଥିଏଟରରୁ ହଟାଇ ଦିଆଯାଇଥିଲା।“

ପହଲାଜ ନିହଲାନିଙ୍କ ଫିଲ୍ମ ‘ଇଲଜାମ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଗୋବିନ୍ଦା ‘ଶୋଲା ଔର ସବନମ’ ଓ ‘ଆଁଖେ’ରେ ମଧ୍ୟ ପହଲାଜଙ୍କ ସହିତ କାମ କରିଛନ୍ତି। ଏହି ଦୁଇଟି ଫିଲ୍ମ ମଧ୍ୟ ସୁପରହିଟ ହୋଇଥିଲା।

କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ (ସିବିଏଫସି)ର ପୂର୍ବ ଚେୟାରମ୍ୟାନ ପହଲାଜ ନିହଲାନିଙ୍କ ଆଗାମୀ ଫିଲ୍ମ ‘ରଙ୍ଗୀଲା ରାଜା’ରୁ 20ଟି ଦୃଶ୍ୟ କଟାଯିବା ପରେ ସେନ୍ସର ବୋର୍ଡ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ବମ୍ବେ ହାଇକୋର୍ଟର ମଧ୍ୟ ଦ୍ଵାରସ୍ଥ ହୋଇଛନ୍ତି। ତାଙ୍କ ମତରେ ଫିଲ୍ମରୁ 20ଟି ଦୃଶ୍ୟ କଟାଯିବା ସଂପୂର୍ଣ୍ଣ ଭୁଲ ଅଟେ।

ପହଲାଜ ନିହଲାନି କହିଛନ୍ତି ଯେ, ସେ ବର୍ତ୍ତମାନ ପର୍ଯ୍ୟନ୍ତ 24ଟି ଫିଲ୍ମ ନିର୍ମାଣ କରିଛନ୍ତି। ସେନ୍ସର ବ୍ବୋର୍ଡରୁ ଏହି ଫିଲ୍ମ ପାଇଁ ସାର୍ଟିଫିକେଟରେ କୌଣସି ଅସୁବିଧା ହେଉନଥିଲା। କାରଣ ତାଙ୍କ ମତରେ ସେ ଯେବେବି ଫିଲ୍ମ ପ୍ରସ୍ତୁତ କରନ୍ତି ସେନ୍ସରକୁ ଧ୍ୟାନରେ ରଖିବା ସହିତ ସମାଜ, ସଂସ୍କୃତି ଓ ଯୁବଗୋଷ୍ଠୀଙ୍କୁ ଆଖିରେ ରଖି କରନ୍ତି। ସେ ଚାହାନ୍ତି ଯେ ତାଙ୍କ ଫିଲ୍ମ ସଂପୂର୍ଣ୍ଣ ପରିବାର ବସି ଦେଖିପାରୁ, କାରଣ ଯେଉଁ ଫିଲ୍ମକୁ ପରିବାର ବସି ଦେଖେ ସେହି ଫିଲ୍ମ ଅଧିକ ଦିନ ପର୍ଯ୍ୟନ୍ତ ଚାଲିଥାଏ।         

#entertainment #bollywood #rangeelarajagobinda

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon